ମହାପ୍ରୟାଣ ଗାଡ଼ି ବନ୍ଦ ହୋଇଯିବ : କ୍ୟାପିଟାଲ ହସ୍ପିଟାଲ

ରାଜଧାନୀରୁ ଆଉ ଗଡ଼ିବନି ମହାପ୍ରୟାଣ ଗାଡ଼ି! ଚକିତ କଲେ ବି ଏପରି ଏକ ଆଶଙ୍କା ଦେଖା ଦେଇଛି

ମହାପ୍ରୟାଣ ଗାଡ଼ି ବନ୍ଦ ହୋଇଯିବ : କ୍ୟାପିଟାଲ ହସ୍ପିଟାଲ

ରାଜଧାନୀରୁ ଆଉ ଗଡ଼ିବନି ମହାପ୍ରୟାଣ ଗାଡ଼ି! ଚକିତ କଲେ ବି ଏପରି ଏକ ଆଶଙ୍କା ଦେଖା ଦେଇଛି। ଦରମା ବଢ଼ୁ ନଥିବାରୁ କ୍ୟାପିଟାଲ ହସ୍ପିଟାଲରୁ ଗଡ଼ୁଥିବା ମହାପ୍ରୟାଣ ଗାଡ଼ିଗୁଡ଼ିକର ଡ୍ରାଇଭର ଓ କର୍ମଚାରୀମାନେ ଚାକିରି ଛାଡ଼ିବାକୁ ଚେତାବନୀ ଦେଇଛନ୍ତି। ଦରମା ବଢ଼ାଇବାକୁ ଓ ଠିକ୍‌ ସମୟରେ ଦରମା ଦେବାକୁ ଜିଲ୍ଲାପାଳଙ୍କ ସମେତ ଉପରିସ୍ଥ ଅଧିକାରୀମାନଙ୍କୁ ବାରମ୍ବାର ଅନୁରୋଧ ଚିଠି ଲେଖାଯାଇଥିଲେ ମଧ୍ୟ ତାଙ୍କ ଦାବି କେହି ଶୁଣୁ ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ରାଜ୍ୟରେ ଗରିବ ଲୋକଙ୍କ ସୁବିଧା ପାଇଁ ସରକାରଙ୍କ ଦ୍ବାରା ପ୍ରମୁଖ ଡାକ୍ତରଖାନ‌ାମାନଙ୍କରୁ ମାଗଣାରେ ଶବବୁହା ଗାଡ଼ି ବା ‘ମହାପ୍ରୟାଣ’ ଗାଡ଼ି ଯୋଗାଇ ଦିଆଯାଇଥିଲା। ଏହି ଯୋଜନାରେ ପ୍ରଥ‌ମେ କ୍ୟାପିଟାଲ ହସ୍ପିଟାଲକୁ ଗୋଟିଏ ଗାଡ଼ି ଦିଆଯାଇଥିବା ବେଳେ ଅଧିକ ଗାଡ଼ି ଆବଶ୍ୟକ ପଡ଼ିବାରୁ ଚଳିତ ବର୍ଷ ପ୍ରାରମ୍ଭରେ ଆଉ ଏକ ଗାଡ଼ି ଯୋଗାଇ ଦିଆଯାଇଥିଲା। ଦୁଇଟି ଗାଡ଼ି ପାଇଁ ଦୁଇଜଣ ଡ୍ରାଇଭର ଓ ଜ‌ଣେ ଗ୍ରାଜୁଏଟ୍ କୋର୍ଡିନେଟର ନିୟୋଜିତ ଅଛନ୍ତି।

ସେମାନେ ସମସ୍ତେ କୁଶଳୀ ଶ୍ରମିକରେ ଯାଉଥିବା ସତ୍ତ୍ବେ ତାଙ୍କୁ ମାସକୁ ମାତ୍ର ୫୫୦୦ ଟଙ୍କା ଦରମା ଦିଆଯାଉଛି। ଏହାସହ ‌ସେମାନଙ୍କ ସୁରକ୍ଷା ପାଇଁ ସରକ‌ାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ ଅଛି। ଅଭିଯୋଗ ଅଛି ଯେ ଜିଲ୍ଲାପାଳ, ପ୍ରଶାସନ ନିକଟରେ ବାରମ୍ବାର ଦାବି କରାଯିବା ସ‌ତ୍ତ୍ବେ ସେମାନଙ୍କ ଦାବି ପୂରଣ ହୋଇ ପାରୁନାହିଁ। ଏପରିକି ସେମାନଙ୍କୁ ଠିକ୍ ସମୟରେ ଦରମା ମଧ୍ୟ ଦିଆ ଯାଉନାହିଁ। ୩-୪ ମାସ ଅନ୍ତରାଳରେ ବାରମ୍ବାର ମାଗିବା‌ ପରେ ହିଁ ଦରମା ଦିଆଯାଉଛି। ଏଥିରେ ଅସନ୍ତୁଷ୍ଟ ହୋଇ ପୂର୍ବରୁ ଡ୍ରାଇଭରମ‌ାନେ ୨- ୩ ଥର ଚାକିରି ଛାଡ଼ି ଦେଇଥିଲେ। କିନ୍ତୁ ପରେ ସେମାନଙ୍କୁ ପ୍ରତିଶ୍ରୁତି ଦେଇ ପୁଣି ଫେରାଇ ଅଣାଯାଇଛି। କିନ୍ତୁ ଦାବି ପୂରଣ କରାଯାଉ ନାହିଁ।