ଆହୁରି ଅନେକ କିଶୋର ସୃଷ୍ଟି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ:ନବୀନ
ବିଦେଶ ମାଟିରେ ସମଗ୍ର ଦେଶକୁ ଗୌରବାନ୍ୱିତ କରିଥିବା ଓଡ଼ିଆ ପୁଅ ତଥା ଜାଭେଲିନ୍ ଖେଳାଳୀ କିଶୋର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ

ବିଦେଶ ମାଟିରେ ସମଗ୍ର ଦେଶକୁ ଗୌରବାନ୍ୱିତ କରିଥିବା ଓଡ଼ିଆ ପୁଅ ତଥା ଜାଭେଲିନ୍ ଖେଳାଳୀ କିଶୋର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି । ହଙ୍ଗେରି ସ୍ଥିତ ବୁଦାପେଷ୍ଟ ଠାରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ ଚାମ୍ପିଅନ୍ସିପ୍ରେ ଉଲ୍ଳେଖନୀୟ ପ୍ରଦର୍ଶନ କରି ଫାଇନାଲ୍କୁ ଯାଇଥିବାରୁ ଶ୍ରୀ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି । ପ୍ରଥମ ଥର ପାଇଁ କୌଣସି ଓଡ଼ିଆ କ୍ରୀଡ଼ାବିତ୍ ଏହି ସ୍ତରକୁ ଯାଇପାରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ଜେନାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କିଶୋରଙ୍କର ଏହି ସଫଳତା କେବଳ ତାଙ୍କ ନିଜର ନୁହେଁ । ବରଂ ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଛନ୍ତି । ବିଶ୍ୱ ଆଥଲେଟିକ୍ ଚାମ୍ପିଅନ୍ସିପ୍ ପର୍ୟ୍ୟନ୍ତ ତାଙ୍କର ସଫଳ ଯାତ୍ରା ଆମର ଯୁବକ ଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । ଓଡ଼ିଶାର ପିଲାମାନେ ମଧ୍ୟ ବିଶ୍ୱସ୍ତରରେ ନିଜ ଦକ୍ଷତା ପ୍ରତିପାଦନ କରିପାରନ୍ତି ତାହା ଶ୍ରୀ ଜେନା ପ୍ରମାଣ କରି ଦେଖାଇଛନ୍ତି । ଆମ ରାଜ୍ୟରୁ ଆହୁରି ଅନେକ କିଶୋର ସୃଷ୍ଟି ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି ।