ନଭେମ୍ବର ୧ରୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ
ଆସନ୍ତା ନଭେମ୍ବର ୧ ତାରିଖରୁ ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ

ଆସନ୍ତା ନଭେମ୍ବର ୧ ତାରିଖରୁ ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ। ଗଡ଼଼ିବନି ୧, ୩୦୦ ଆମ୍ବୁଲାନ୍ସ। ଠପ୍ ହୋଇଯିବ ଏହି ଜରୁରୀ ସେବା। ନୂତନ ଠିକା ସଂସ୍ଥାର ମନୋମୁଖୀ କାର୍ଯ୍ୟ ବିରୋଧରେ ଏଭଳି ନିଷ୍ପତ୍ତି ନେଇଛି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ। ରବିବାର ମହାସଂଘ ପକ୍ଷରୁ ସ୍ଥାନୀୟ ରାଣୀସତୀ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା।
ମହାସଂଘ କର୍ମକର୍ତ୍ତା କହିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବହୁତ୍ ବିପଦ ସମୟରେ ରୋଗୀ ସେବା ଯୋଗାଇ ଦେଇ ଆସୁଛନ୍ତି। କରୋନା ମହାମାରୀ, ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ ତଥା ବନ୍ୟା, ବାତ୍ୟା, ପବନକୁ ଖାତିର ନ କରି ନିଜ ଜୀବନକୁ ପାଣି ଛଡ଼ାଇ ସେବା କରିଆସୁଛନ୍ତି। କିନ୍ତୁ ସେମାନଙ୍କ ଦୁଃଖ ଶୁଣିବାକୁ କେହି ନାହିଁ। ଆଶଙ୍କା ଭିତରେ କାମ କରୁଛନ୍ତି। ଗତ ୨୧ ତାରିଖଠାରୁ ନୂତନ ଭାବେ ଏମ୍ରି ଗ୍ରୀନ ହେଲ୍ଥ ସର୍ଭିସ ନାମକ ଏକ ଘରୋଇ କମ୍ପାନୀ ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ଜରୁରିକାଳୀନ ସେବାକୁ ଠିକା ଭାବେ ଟେଣ୍ଡର ନେଇଛି। ସମସ୍ତ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଚଳିତ ଟେଣ୍ଡରରେ କାର୍ଯ୍ୟ କରାଇବା ପାଇଁ ନେଇଥିବା ବେଳେ ସେମାନଙ୍କଠାରୁ ୫୯୦ ଟଙ୍କା ଲେଖାଏଁ ଅନ୍ଲାଇନ ମାଧ୍ୟମରେ ଆଦାୟ କରିଛି। ମାତ୍ର ଏହି ସଂସ୍ଥା ପ୍ରତ୍ୟେକ ଜିଲ୍ଲା ସଂଘର ମୁଖ୍ୟମାନଙ୍କୁ ଜାଣିଶୁଣି ଡ୍ୟୁଟି କିମ୍ବା ନିଯୁକ୍ତି ଦେଉନାହିଁ। କାରଣ ପୂର୍ବରୁ ମୁଖ୍ୟମାନେ ଲଢ଼େଇ କରି କର୍ମଚାରୀମାନଙ୍କୁ ଶୋଷଣରୁ ସୁରକ୍ଷା ଦେଇ ଆସିଛନ୍ତି। ତେଣୁ ନୂଆ ସଂସ୍ଥା ଏବେ ସେମାନଙ୍କୁ ଅଣଦେଖା କରି କାର୍ଯ୍ୟରେ ନିୟୋଜିତ କରୁନାହିଁ। ଫଳରେ ବିଶୃଙ୍ଖଳା ସୃଷ୍ଟି ହୋଇଛି।
ସୋମବାର ସମସ୍ତ ୩୦ଟି ଜିଲ୍ଲାର ଡ୍ୟୁଟି ନ ଥିବା କର୍ମଚାରୀମାନଙ୍କୁ ନେଇ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ)ଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଏହି ଦାବିଗୁଡ଼ିକ ମଧ୍ୟରେ ବାଦ୍ ଦିଆଯାଇଥିବା ୨୦୦ରୁ ଅଧିକ ପିଲାଙ୍କୁ ତୁରନ୍ତ କାର୍ଯ୍ୟରେ ନିଯୁକ୍ତି ଦିଆଯିବା, ୧୨ ଘଣ୍ଟା ଡ୍ୟୁଟି କରୁଥିଲେ ହେଁ ୮ ଘଣ୍ଟାର ପାରିଶ୍ରମିକ ମିଳୁଛି; ତେଣୁ ୧୨ ଘଣ୍ଟା କାର୍ଯ୍ୟକୁ ୧୨ ଘଣ୍ଟାର ପାରିଶ୍ରମିକ ଦେବା, ୧୧ ବର୍ଷର ଅଭିଜ୍ଞ କର୍ମଚାରୀଙ୍କ ଯେତିକି ଦରମା ନୂଆ କର୍ମଚାରୀଙ୍କ ମଧ୍ୟ ସେତିକି ଦରମା ଦିଆଯାଉଥିବାରୁ ଅଭିଜ୍ଞ କର୍ମଚାରୀଙ୍କୁ ଅଧିକ ଦରମା ଦିଆଯିବା, ମନଇଚ୍ଛା ଛଟେଇ ନ କରିବା ଆଦି ରହିଛି। ଏହି ଦାବି ପୂରଣ ନ ହେଲେ ଜିଲ୍ଲାରେ କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ ୩୦ ତାରିଖରେ ଗାଡ଼ିରେ ଥିବା ଜିପିଏସ୍ ବନ୍ଦ କରି ରୋଗୀ ସେବା ଦିଆଯିବ। ଏହାପରେ ନଭେମ୍ବର ୧ ତାରିଖରୁ ପ୍ରତ୍ୟେକ ଜିଲ୍ଲାରୁ ଆମ୍ବୁଲାନ୍ସ ଗାଡ଼ି ଛାଡି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘର ରାଜ୍ୟ ଅଧ୍ୟକ୍ଷ ଶୋଭେନ୍ଦ୍ର ସାମଲ, ରାଜ୍ୟ ଉପାଧ୍ୟକ୍ଷ ପ୍ରଦୀପ କୁମାର ଦଶ, ରାଜ୍ୟ ସମ୍ପାଦକ ଶ୍ରୀରାମ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।