ସମ୍ବଲପୁରରେ ଉନ୍ନତିର ବର୍ଷା କରି ସବୁଜ ପତାକା ଉଡାଇଲେ କାର୍ତ୍ତିକ ପାଣ୍ଡିଆନ

ସମ୍ବଲପୁରରେ ହେବ ବିଗ ଫାଇଟ।

ସମ୍ବଲପୁରରେ ଉନ୍ନତିର ବର୍ଷା କରି ସବୁଜ ପତାକା ଉଡାଇଲେ କାର୍ତ୍ତିକ ପାଣ୍ଡିଆନ

ସମ୍ବଲପୁରରେ ହେବ ବିଗ ଫାଇଟ। ସେଠାରେ ଲଢେଇ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଥିପାଇଁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସେହି ଅଞ୍ଚଳର ବିକାଶ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାରେ ଲାଗିଛନ୍ତି। ଆଜି ବଡି ଭୋରରୁ ସମ୍ବଲପୁର ଗସ୍ତ କରି ସେ ସେହି ଅଞ୍ଚଳରେ ବିକାଶର ବର୍ଷା କରି ବିଜେଡିର ସବୁଜ ପତାକା ଉଡାଇଛନ୍ତି।

ସେ ଆଜି ସକାଳ ୬ ଟା ସମୟରେ ସମ୍ବଲପୁରର ପ୍ରଥମ ମହାନାଦୀ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ମାରାଥନରେ ୪୦୦୦ ରୁ ଅଧିକ ବିଭିନ୍ନ ବର୍ଗ ଲୋକେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି ଯେ ସମ୍ବଲପୁରର ଭଲ କ୍ରୀଡା ସଂସ୍କୃତି ରହିଛି ଏବଂ ଏହି ଜିଲ୍ଲାର ପ୍ରତିଭାମାନଙ୍କର ଆହୁରି ବିକାଶ କରିବା ପାଇଁ ସର୍ବୋତ୍ତମ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ୩୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୁର୍ଲାସ୍ଥିତ ଇନଡୋର ଷ୍ଟାଡିୟମର ଉଦଘାଟନ କରାଯାଇଛି।

ସମୁଦାୟ ୧୦୦ କୋଟି ଟଙ୍କା ବ୍ୟୟରେ ହକି ଷ୍ଟାଡିୟମ ଏବଂ ଇନଡୋର କ୍ରୀଡା ସୁବିଧା ସମେତ ସମ୍ବଲପୁର ଫୁଟବଲ ଏକାଡେମୀ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏକ ନୂତନ ଫୁଟବଲ ଷ୍ଟାଡିୟମ ନିର୍ମାଣ ଏବଂ ଭିଏସଏସ କ୍ରିକେଟ ଷ୍ଟାଡିୟମକୁ ଆଧୁନିକ ଷ୍ଟାଡିୟମରେ ନବୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଷ୍ଟାଡିୟମଗୁଡିକର ଆନୁମାନିକ ମୂଲ୍ୟ ୩୫୦ କୋଟିରୁ ଅଧିକ ହେବ। ଏହା ଦ୍ବାରା ଜିଲ୍ଲାର କ୍ରୀଡା ବିକାଶ ପାଇଁ ଏକ ପ୍ରମୁଖ ପେଣ୍ଠ ପାଲଟିବ।

କାର୍ତ୍ତିକ ପାଣ୍ଡିଆନ୍ ଭିଏସ୍ଏସ୍ ଷ୍ଟାଡିୟମ୍ ପରିଦର୍ଶନ କରି ଖେଳାଳିଙ୍କ ସହ କଥାବାର୍ତ୍ତା କରିଥିଲେ। ସେ ନିଜେ ଜଣେ କ୍ରୀଡ଼ାବିତ୍ ଥିଲେ ଏବଂ ସ୍ପୋର୍ଟସ୍ ହଷ୍ଟେଲରେ ରହିଥିଲେ। ସେଠାରେ ସେ ଖେଳାଳିଙ୍କ ସହ ତାଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ଏଥିସହିତ ସେ ଖେଳାଳିଙ୍କ ସହ କ୍ରିକେଟ୍ ମଧ୍ୟ ଖେଳିଥିଲେ।