୨୪ ଘଣ୍ଟାରେ ୩ଟି ରେଳ ଦୁର୍ଘଟଣା, ଭୟରେ ଯାତ୍ରୀ

୨୪ ଘଣ୍ଟାରେ ୩ଟି ରେଳ ଦୁର୍ଘଟଣା, ବାରମ୍ବାର ଦୁର୍ଘଟଣା ପାଇଁ ଭୟରେ ଅଛନ୍ତି ଯାତ୍ରୀ

୨୪ ଘଣ୍ଟାରେ ୩ଟି ରେଳ ଦୁର୍ଘଟଣା,  ଭୟରେ ଯାତ୍ରୀ

ବାହାନଗା ଟ୍ରେନ ଦୁର୍ଘଟଣାର ଭୟ ମନରୁ ଏବେ ବି ଲିଭିନି । ଲୋକଙ୍କ ଚିତ୍କାର ଓ କୁଢ଼ କୁଢ଼ ଶବ କଥା ଭାବିଲେ ଏବେ ବି ଦେହ ଥରି ଉଠେ । ସେ ଅନ୍ଧାର ରାତିରେ ଯେଉଁ ଦୁର୍ଘଟଣା ଘଟିଥିଲା ତାକୁ ଭୁଲିବା ମୁସ୍କିଲ । ସେ କଥା ମନରୁ ଲିଭି ନଥିବା ବେଳେ ପୁଣି ଘଟିଛି ଆଉ ତିନୋଟି ରେଳ ଦୁର୍ଘଟଣା । କେଉଁଠି ଟ୍ରେନରେ ନିଆଁ ଲାଗିଛି ତ ଆଉ କେଉଁଠି ଧୂଆଁ ବାହାରୁଛି ।

ଏସବୁ ଦେଖିବା ପରେ ଯାତ୍ରୀଙ୍କ ମନରେ ଭରିଯାଇଛି ଭୟ । ଲୋକମାନେ ଟ୍ରେନରେ ଯାତ୍ରା କରିବାକୁ ଭୟ କରୁଛନ୍ତି । ଟ୍ରେନରେ ବସିଲେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ କି ନାହିଁ ତାକୁ ନେଇ ଚିନ୍ତା ଘାରୁଛି । ଆଉ ଟ୍ରେନରୁ ଓହ୍ଲାଇବା ପରେ ଶାନ୍ତିରେ ନିଶ୍ୱାସ ମାରୁଛନ୍ତି । ତେବେ ଏଭଳି ଟ୍ରେନ ଦୁର୍ଘଟଣାର କାରଣ କଣ । କାହିଁକି ବାରମ୍ବାର ଏପରି ଘଟୁଛି । ଏଥିପାଇଁ ଦାୟୀ କିଏ ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଛି ।

ଗତ କାଲି ରାତିରେ ନୂଆଦିଲ୍ଲୀରୁ ଦରଭଙ୍ଗା ଅଭିମୁଖେ ଯାଉଥିବା କ୍ଲୋନ ସ୍ପେସାଲ ଏକ୍ସପ୍ରେସରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ଗୋଟିଏ କୋଚ୍ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା ଏବଂ ଏହାକୁ ଲାଗି ରହିଥିବା ଅନ୍ୟ ଦୁଇଟି କୋଚ୍ ମଧ୍ୟ ନିଆଁରେ କ୍ଷତିଗ୍ରସ୍ତ ହୋଇଥିଲା । ଉତ୍ତରପ୍ରଦେଶର ସରାଇ ଭୋପତ ଷ୍ଟେସନ ଅତିକ୍ରମ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ରେଳ ଦୁର୍ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେଉଛି । ତେବେ ଏହି ନିଆଁରେ ଯଦି ମଣିଷ ଫସି ଯାଏ ତେବେ ତାର ଅବସ୍ଥା ଯେ କଣ ହେବ ତାହା ନ କହିବା ଭଲ । ଯେଉଁ ନିଆଁରେ କୋଚ ଜଳି ପୋଡ଼ି ପାଉଁଶ ହୋଇ ଯାଉଛି ସେଠି ମଣିଷର କଣ ହେବ ତାହା କେବଳ ଅନୁମାନ କରିହେବ ।

ଅନ୍ୟପଟେ ଏହି ଦୁର୍ଘଟଣାର ୧୨ ଘଣ୍ଟା ନ ପୁରୂଣୁ ପୁଣି ହେଲା ଆଉ ଏକ ରେଳ ଦୁର୍ଘଟଣା । ୧୨ ଘଣ୍ଟା ଭିତରେ ହିଁ ଉତ୍ତରପ୍ରଦେଶର ଇଟାଓ୍ଵାରେ ଦୁଇଟି ଟ୍ରେନରେ ହେଲା ଅଗ୍ନିକାଣ୍ଡ । ବୈଶାଳୀ ଏକ୍ସପ୍ରେସ ଟ୍ରେନରେ ପୁଣି ହୋଇଥିଲା ଅଗ୍ନିକାଣ୍ଡ । ଦିଲ୍ଳୀରୁ ସହରସା ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଏହି ଟ୍ରେନର ଏସ୍‌-୬ ବଗିରେ ଅଗ୍ନିକାଣ୍ଡ ହୋଇଥିଲା । ତେବେ ପ୍ରଥମ ଦୁର୍ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇ ନଥିବାବେଳେ ଦ୍ୱିତୀୟ ଦୁର୍ଘଟଣାରେ ୧୯ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

ଏହି ଦୁଇଟି ଦୁର୍ଘଟଣା ଘଟିବାର ୨୪ ଘଣ୍ଟା ବିତି ନଥିବା ବେଳେ ପୁଣି ଆଉ ଏକ ଟ୍ରେନରେ ନିଆଁ ଲାଗିଥିଲା । ଟ୍ରେନର ବଗି ତଳୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବା ପରେ ଭୟରେ ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ । ଏହି ଦୁର୍ଘଟଣା ବିଶାଖାପାଟଣା ବିଜୟନଗରମ ଷ୍ଟେସନ ମଝିରେ ଘଟିଛି ବୋଲି ଜଣା ପଡ଼ିଛି । ଫଳରେ ଆଖପାଖ ଅଞ୍ଚଳର ସମସ୍ତ ଅଞ୍ଚଳ ଧୂଅାଁ ମୟ ହୋଇଯାଇଥିଲା । ଏନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

ତେବେ ୨୪ ଘଣ୍ଟାରେ ଏଭଳି ୩ଟି ରେଳ ଦୁର୍ଘଟଣା ଘଟିଥିବାରୁ ଯାତ୍ରୀମାନେ ଭୟରେ ଅଛନ୍ତି । ଟ୍ରେନରେ ଯାତ୍ରା ସବୁଠାରୁ ନିରାପଦ ପରିବହନର ମାଧ୍ୟମ ବୋଲି ବିଚାର କରାଯାଏ । କିନ୍ତୁ ବାହାନଗା ଟ୍ରେନ ଦୁର୍ଘଟଣା ପରେ ବାରମ୍ବାର ହେଉଥିବା ଟ୍ରେନ ଦୁର୍ଘଟଣାକୁ ନେଇ ଭୟଭୀତ ଜନ ସାଧାରଣ । ଟ୍ରେନରେ ଯିବାକୁ ଲୋକମାନେ ଆଉ ନିରାପଦ ମନେ କରୁ ନାହାନ୍ତି । ଦେଖିବାକୁ ବାକି ରହିଲା କେତେ ଦିନ ଚାଲୁଛି ଏଭଳି ଦୁର୍ଘଟଣା ଓ ଏହାକୁ କମାଇବା ପାଇଁ ସରକାର ନେଉଛନ୍ତି କଣ ପଦକ୍ଷେପ ।