କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ
ସେନା ଗାଡ଼ି ଜାଳି ଦେଲେ, ୫ ଯବାନ ସହିଦ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ପୁଞ୍ଚରେ ଗୁରୁବାର ଦିନ ଆତଙ୍କବାଦୀଙ୍କ ଗ୍ରେନେଡ଼ ମାଡ଼ରେ ସେନା ଗାଡ଼ି ଜଳି ଯାଇଛି। ଫଳରେ ୫ ଜଣ ଯବାନ ସହିଦ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ମଧ୍ୟ ଅଛନ୍ତି। ସେ ହେଉଛନ୍ତି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଅଳଗୁମ ଖଣ୍ଢାୟତସାହିର ଦେବାଶିଷ ବିଶ୍ବାଳ(୨୮ ବର୍ଷ)।
ଭାଟା ଧୁରିଆନ ଅଞ୍ଚଳରେ ଗୁରୁବାର ଦିନ ଆତଙ୍କବାଦୀମାନେ ଏଭଳି ବଡ଼ ଆକ୍ରମଣ କରିଛନ୍ତି। ପ୍ରାଥମିକ ସୂଚନାରୁ ଜଣାପଡ଼ିଥିଲା ଯେ ବଜ୍ରାଘାତ ଯୋଗୁଁ ଗାଡ଼ିରେ ନିଆଁ ଲାଗି ଯାଇଥିଲା। କିନ୍ତୁ ପରେ ଜଣାପଡ଼ିଥିଲା ଯେ ଏହା ଆତଙ୍କବାଦୀଙ୍କ ଯୋଜନାବଦ୍ଧ ଆକ୍ରମଣ। ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ପ୍ରବଳ ଗ୍ରେନେଡ୍ ମାଡ଼ କରିଥିଲେ। ଫଳରେ ଗାଡ଼ିଟି ଜଳି ଯାଇଥିଲା। ଟ୍ରକ୍ ନିକଟସ୍ଥ ରାସ୍ତାରୁ ଯବାନମାନଙ୍କ ଅର୍ଦ୍ଧଦଗ୍ଧ ଶରୀର ମିଳିଛି।
ଗୁରୁବାର ଅପରାହ୍ନ ପ୍ରାୟ ୩ଟା ସମୟରେ ସେନାର ଏହି ଟ୍ରକ୍ ଜଳି ଯାଇଥିଲା। ଟ୍ରକ୍ଟି ପୁଞ୍ଚ ଜିଲ୍ଲାର ଭିମ୍ବର ଗଲିରୁ ସଙ୍ଗଜୋତ ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ ଆକ୍ରମଣ ହୋଇଥିଲା। ସଙ୍ଗେସଙ୍ଗେ ଅଗ୍ନି ନିର୍ବାପକ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସମସ୍ତ ଉଦ୍ୟମ ସତ୍ତ୍ବେ ୫ ଜଣ ଯବାନ ଜଳି ଯାଇଛନ୍ତି। ମିଳିତ ସୁରକ୍ଷା ବାହିନୀ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି।