ଦେଶରେ ଡିଜେଲ ବିକ୍ରି ହ୍ରାସ
ଦେଶରେ ଡିଜେଲ ବିକ୍ରି ହ୍ରାସ, ଜାଣନ୍ତୁ ଖସିଲା କେତେ ପ୍ରତିଶତ?

ନୂଆଦିଲ୍ଲୀ : ଦେଶରେ ଜୁନ ମାସରେ ଡିଜେଲ ବିକ୍ରି ହ୍ରାସ ହୋଇଛି। ବାର୍ଷିକ ଆଧାରରେ ୩.୭ ପ୍ରତିଶତ ବିକ୍ରି ହ୍ରାସ ହୋଇ ୭୧ ଲକ୍ଷ ଟନକୁ ଖସିଛି। ଦେଶରେ ସର୍ବାଧିକ ଖର୍ଚ୍ଚ ହେଉଥିବା ଇନ୍ଧନ ହେଉଛି ଡିଜେଲ। ମୋଟ ତୈଳ ଚାହିଦାରେ ଏହାର ଭାଗିଦାରୀ ୨୦ପ୍ରତିଶତ। ତେବେ ମୌସୁମୀ ଆଗମନ ଓ କୃଷିକ୍ଷେତ୍ରରେ ଚାହିଦା ହ୍ରାସ ସାଙ୍ଗକୁ ଯାତାୟାତ ହ୍ରାସ ଜୁନରେ ଡିଜେଲ ବିକ୍ରି ହ୍ରାସର ମୁଖ୍ୟ କାରଣ ପାଲଟିଛି। ପ୍ରତିବର୍ଷ ମୌସୁମୀ ଆଗମନ ପରେ ଦେଶରେ ଡିଜେଲ ବିକ୍ରି ହ୍ରାସ ହୋଇଥାଏ।
ତେବେ ଏହା ପୂର୍ବରୁ ଗତ ଏପ୍ରିଲ ଓ ମେ ମାସରେ ଡିଜେଲ ଖର୍ଚ୍ଚ ଯଥାକ୍ରମେ ୬.୭ ଓ ୯.୩ ପ୍ରତିଶତ ପର୍ଯ୍ୟନ୍ତ ବଢି ଯାଇଥିଲା। କାରଣ ଏହି ସମୟରେ କୃଷି କ୍ଷେତ୍ର ଲାଗି ଡିଜେଲର ଚାହିଦା ବୃଦ୍ଧି ହୋଇଥିଲା ଓ ଗ୍ରୀଷ୍ମରୁ ବର୍ତ୍ତିବା ପାଇଁ କାରମାନଙ୍କରେ ଖୁବ ଏୟାର କଣ୍ଡିସନର ଚାଲିଥିଲା। ତେବେ ମାସିକ ଆଧାରରେ ଡିଜେଲ ଖର୍ଚ୍ଚ ପାଖାପାଖି ସ୍ଥିର ରହିଛି। ମେ ମାସରେ ଡିଜେଲ ବିକ୍ରି ୭୦.୯ ଲକ୍ଷ ଟନ ଥିଲା। ତେବେ ଜୁନରେ ପେଟ୍ରୋଲ ବିକ୍ରି ବାର୍ଷିକ ଆଧାରରେ ଢେର ବୃଦ୍ଧି ହୋଇଛି।
ଜୁନ ମାସରେ ଡିଜେଲ ବିକ୍ରି ହ୍ରାସ ହୋଇଥିବା ବେଳେ ପେଟ୍ରୋଲ ବିକ୍ରିରେ ବୃଦ୍ଧି ଦେଖାଯାଇଛି। ବାର୍ଷିକ ଆଧାରରେ ୩.୪ ପ୍ରତିଶତ ପର୍ଯ୍ୟନ୍ତ ବିକ୍ରି ବୃଦ୍ଧି ହୋଇ ୨୯ ଲକ୍ଷ ଟନକୁ ପହଞ୍ଚି ଯାଇଛି। ତେବେ ତଥ୍ୟ ଅନୁସାରେ ମାସିକ ଆଧାରରେ ଡିଜେଲ ଭଳି ପେଟ୍ରୋଲ ବିକ୍ରି ହାର ମଧ୍ୟ ଦେଶରେ ସ୍ଥିର ରହିଛି। ପେଟ୍ରୋଲ ଭଳି ଜୁନ ମାସରେ ଦେଶରେ ବିମାନ ଇନ୍ଧନ (ଏଟିଏଫ) ଚାହିଦା ବାର୍ଷିକ ଆଧାରରେ ୬ ପ୍ରତିଶତ ବଢି ୫୮୭,୩୦୦ ଟନକୁ ପହଞ୍ଚିଛି।
ଅନୁଷ୍ଠିତ ହେବ ‘ଟମାଟୋ ଗ୍ରାଣ୍ଡ ଚ୍ୟାଲେଞ୍ଜ ହକାଥନ’, ମୂଲ୍ୟ ନିୟନ୍ତ୍ରଣ ପାଇଁ ସରକାରଙ୍କୁ ପରାମର୍ଶ ଦେବେ ଜନତା