କେଉଁ ଭକ୍ତ ପାଇଁ ଅଟକିଲେ ଜଗତର ନାଥ

କାହିଁକି ଗତକାଲି ଶରଧାବାଲିରେ ଲାଗିଲାନି ତିନିରଥ ? କାହିଁକି ସନ୍ଧ୍ୟା ପରେ ବି ଟଣା ହେଲା ରଥ ? କଣ ପାଇଁ ଆଜି ଭୋକିଲା ରହିଲେ ଠାକୁର ? ଯାହାକୁ ନେଇ ଆରମ୍ଭ ହୋଇଛି ସମୀକ୍ଷା

କେଉଁ ଭକ୍ତ ପାଇଁ ଅଟକିଲେ ଜଗତର ନାଥ
କାହିଁକି ଗତକାଲି ଶରଧାବାଲିରେ ଲାଗିଲାନି ତିନିରଥ ? 
କାହିଁକି ସନ୍ଧ୍ୟା ପରେ ବି ଟଣା ହେଲା ରଥ ?
କଣ ପାଇଁ ଆଜି ଭୋକିଲା ରହିଲେ ଠାକୁର ?
ଯାହାକୁ ନେଇ ଆରମ୍ଭ ହୋଇଛି ସମୀକ୍ଷା 
ସବୁ କିଛି ଠିକ୍ ଠାକ୍ ଥିବା ବେଳେ କଣ ପାଇଁ ଶ୍ରୀଜିଉଙ୍କ ଘୋଷ ଯାତ୍ରା ରେ ବିଭ୍ରାଟ ବିଶୃଙ୍ଖଳା ଦେଖା ଦେଇଛି। ତାକୁ ନେଇ ଏବେ ଆରମ୍ଭ ହୋଇଛି କସରତ।
କାହିଁକି ନିର୍ଦ୍ଧାରିତ ସମୟରେ ଶରଧାବାଲିରେ ଲାଗି ପାରିଲାନି ତିନିରଥ। ସଅଳ ପହଣ୍ଡି ନୀତି ସତ୍ତ୍ୱେ ବହୁ ବର୍ଷର ବ୍ୟବଧାନରେ କାହିଁକି ଦ୍ୱିତୀୟ ଦିନକୁ ବାକି ରହିଲା ରଥ ଟଣା। ତେବେ ରଥ ଉପରେ ଅଧିକ ସଂଖ୍ୟକ ସେବାୟତ ବସିବାରୁ ଓ ରଥ ବାରମ୍ବାର ମୋଡ଼ ନେବାରୁ ଏଭଳି ବିଭ୍ରାଟ ନେଇ ଚର୍ଚ୍ଚା ହେଉଥିଲା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିନ୍ତୁ ବିଳମ୍ବ ପାଇଁ  ଭକ୍ତ ସାଲବେଗ ଓ ବନ୍ଧୁ ମହାନ୍ତି, ବଳରାମ ଦାସ ଙ୍କ ଥିଓରୀ ବାଢ଼ିଛନ୍ତି।

ଧାର୍ଯ୍ୟ ସମୟର ୫୦ ମିନିଟ୍ ପୂର୍ବରୁ ପହଣ୍ଡି ହୋଇ ତିନି ଠାକୁର ରଥାରୁଢ଼ ହେବା ପରେ କାଲି ଥିଲା ମୁଖ୍ୟ ଶାସନ ସଚିବଙ୍କ ଆଶା। ଅବଶ୍ୟ ୨ଟା ସୁଦ୍ଧା ରଥ ଟଣା ଆରମ୍ଭ ହୋଇ ନପାରି ବି ନିର୍ଦ୍ଧାରିତ ସମୟର ପାଖାପାଖି ଘଣ୍ଟାଏ ପୂର୍ବରୁ ୩ଟା୫୦ରେ ରଥ ଟଣା ଆରମ୍ଭ ହେଲା। ହେଲେ ତା ସତ୍ତ୍ୱେ କାହିଁକି ନିର୍ଦ୍ଧାରିତ ସମୟ ଭିତରେ ଶରଧାବାଲିରେ ପହଞ୍ଚି ପାରିଲେନି ତିନି ରଥ ?

ସଂଧ୍ୟା ପରେ ରଥଟଣା ନିୟମ ନଥିଲେ ସୁଦ୍ଧା ରାତି ୮ଟା ବେଳ ଯାଏଁ ରଥ ଟଣା ଗଲା ଏହା ସତ୍ତ୍ୱେ ପରେ ବି ବଳଭଦ୍ରଙ୍କ ତାଳଧ୍ବଜକୁ ଛାଡ଼ି କାହିଁକି ଗୁଣ୍ଡିଚା ମନ୍ଦିର ପହଞ୍ଚି ପାରିଲାନି ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ? କେଉଁଠି ରହିଲା ସମସ୍ୟା ? ପରିଚାଳନାଗତ ତ୍ରୁଟି, ନା ପ୍ରାଶାସନିକ ସମନ୍ୱୟର ଅଭାବ ? ନା ଆଉ କିଛି ? ଏପରିକି କୁହାଯାଉଛି ଯେ ରଥ ଟଣା ସମୟରେ କାଲି କେତେ ବେଳେ ବାମ ତ କେତେ ବେଳେ ଡାହାଣ ଆଡ଼କୁ ବାରମ୍ବାର ମୋଡ଼ ନେଉଥିଲା ତାଳଧ୍ବଜ ରଥ। କାହିଁକି ?

ପ୍ରଥମେ ଉତ୍କଳ ହିନ୍ଦ ବିଦ୍ୟାପୀଠ ପାଖରେ ତାଳଧ୍ବଜ ରଥ ଡାହାଣ ମୋଡ଼ ନେଇଥିଲା। ଯାହାଫଳରେ ସେଠି ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା ଯେଉଁଥିରେ କି ୧୪ରୁ ଅଧିକ ଭକ୍ତ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିଲେ।  କେବଳ ସେତିକି ନୁହେଁ, ତାଳଧ୍ବଜ ରଥ ଗୁଣ୍ଡିଚା ମନ୍ଦିର ପହଞ୍ଚିବା ଭିତରେ ମରିଚିକୋଟ ଛକ ଠାରୁ ମାର୍କେଟ୍ ଛକ ପର୍ଯ୍ୟନ୍ତ, ପରେ ପରେ ମାଉସୀମା ଛକ ଭଳି ଏମିତି ୧୦ଟି ସ୍ଥାନରେ ରଥ ମୋଡ଼ ନେବାରୁ ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ବି ବିଭିନ୍ନ ସ୍ଥାନରେ ଅଟକି ବାକୁ ପଡ଼ିଥିଲା।

ତେଣୁ ଏଠି ପ୍ରଶ୍ନ କଣ ପାଇଁ ଏଭଳି ସ୍ଥିତି ଉପୁଜିଲା ? ରଥ ଟାଣିବାରେ କେଉଁଠି ସମସ୍ୟା ହେଲା ? କୁହାଯାଉଛି, ରଥ ଉପରେ ବହୁ ସଂଖ୍ୟାରେ ସେବାୟତ ଏବଂ କର୍ଡନରେ ଅଧିକ ସଂଖ୍ୟାରେ ବିନା ପାସଧାରୀଙ୍କ ପାଇଁ ହିଁ ଏଭଳି ବିଭ୍ରାଟ ସୃଷ୍ଟି ହୋଇଥିଲା। ଯାହାକୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ମଧ୍ୟ ସ୍ବୀକାର କରିଛନ୍ତି। ଏପରିକି ରଥ ଉପରେ ଏତେମାତ୍ରାରେ ସେବାୟତଙ୍କ ପାଇଁ ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ ବିରକ୍ତି ପ୍ରକାଶ ବି କରିଛନ୍ତି।

ଏଥିସହ ସମନ୍ୱୟ ଅଭାବକୁ ମଧ୍ୟ ସବୁଠୁ ବଡ଼ କାରଣ ବୋଲି କୁହାଯାଉଛି। ହେଲେ ରଥ କର୍ଡନରେ ଅଧିକ ଲୋକ ରହିବା ଅଭିଯୋଗର ତର୍ଜମା ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ ବି ରଥରେ ଅଧିକ ସେବାୟତ ଥିବା ଅଭିଯୋଗକୁ ଏଡ଼ାଇ ଯାଇଛନ୍ତି। ଏପରିକି ରଥ କାଲି ଶରଧା ବାଲିରେ ନପହଞ୍ଚିବା ପ୍ରସଙ୍ଗରେ ବଳରାମ ଦାସ, ଭକ୍ତ ସାଲବେଗ ଓ ବନ୍ଧୁ ମହାନ୍ତିଙ୍କ ଥିଓରୀ ମଧ୍ୟ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ତେବେ ଏ ବିଳମ୍ବ ବିଭ୍ରାଟ ଆଜି ପର୍ଯ୍ୟନ୍ତ ବି ଜାରି ରହିଛି। ଦ୍ବିତୀୟ ଦିନରେ ରଥଟଣା ଶେଷ ପରେ ଠାକୁରଙ୍କ ଅବକାଶ ନୀତି ପରେ ଗୋପାଳ ବଲ୍ଲଭ ନୀତିରେ ବିଳମ୍ବ ପାଇଁ ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଭୋକ ଉପାସରେ ରହିବାକୁ ପଡ଼ିଛି। ଏଥିପାଇଁ କାହାକୁ ଦୋଷୀ ସାବ୍ୟସ୍ତ କରାଯିବ ସେନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା । ତେବେ ଜଗନ୍ନାଥଙ୍କ ଏ କି ଲୀଳା ? କଣ ଭଗବାନ ନିଜେ ଉପବାସ ରହିବାକୁ ପସନ୍ଦ କରୁଛନ୍ତି ନା କିଂ କର୍ତ୍ତବ୍ୟ ମୁଢ ହୋଇ ଏହି ମନୁଷ୍ୟ କୃତ ସେବା ସାଧନା କୁ ପରଖୁଛନ୍ତି ତାକୁ ନେଇ ଏବେ ଜଗନ୍ନାଥ ପ୍ରେମୀଙ୍କ ମନରେ ବିସ୍ମୟ ସୃଷ୍ଟି କରିଛି। କିନ୍ତୁ ଅପରପକ୍ଷେ ଏ ଛାର ମଣିଷ ସମାଜ କିନ୍ତୁ କହି ବୁଲୁଛି ସବୁ ସେଇ କାଳିଆ ସାଆନ୍ତ ର ଇଚ୍ଛା କାରଣ କରି କରାଉ ଥାଏ ସେହି ତା ବିନୁ ଅନ୍ୟ ଗତି ନାହିଁ। ଜୟ ଜଗନ୍ନାଥ ।