ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ହୋଇଛନ୍ତି । ମର୍ଣ୍ଣିଂ କନସଲ୍ଟ ନାମକ ଏକ ବୈଶ୍ୱିକ ବିଚାର ବୁଦ୍ଧିମତ୍ତା ସଂସ୍ଥା ବିଶ୍ୱର ୨୫ଟି ଦେଶର ନେତାଙ୍କ ଲୋକପ୍ରିୟତାକୁ ନେଇ ଏକ ସଦ୍ୟତମ ତାଲିକା ଜାରି କରିଛି। ଯେଉଁଥିରେ ୬୯ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ମୋଦି ତାଲିକାର ଶୀର୍ଷରେ ରହିଛନ୍ତି ।

ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଆହ୍ୱାନର ସଫଳତାର ସହ ମୁକାବିଲା କରି ମୋଦି ବିଶ୍ୱବାସୀଙ୍କ ନିକଟରେ ଜଣେ ଦୃଢ଼ ନେତା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଏଥିସହ ସେ ଭାରତକୁ ମଧ୍ୟ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ କରିଛନ୍ତି । ଅବଶ୍ୟ ଗତଥର ଅପେକ୍ଷା ଚଳିତଥର ମୋଦିଙ୍କ ଆପ୍ରୁଭାଲ ରେଟିଂ ସାମାନ୍ୟ ହ୍ରାସ ପାଇଛି । ତଥାପି ସେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି । 

ସେହିଭଳି ୬୦ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେ ମାନୁଆଲ ଲୋପେଜ ଓବ୍ରାଡୋର ଦ୍ୱିତୀୟ ସ୍ଥାନରେ ରହିଥିଲା ବେଳେ ସମାନ ରେଟିଂ ସହ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଲେଇ ତୃତୀୟ ସ୍ଥାନରେ ଅଛନ୍ତି । ଏହା ତଳକୁ ଯଥାକ୍ରମେ ସୁଇଜରଲାଣ୍ଡ ଫେଡେରାଲ କାଉନସିଲର ଭିଓଲା ଏମହର୍ଡ (୫୨%), ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ସିମୋନ ହାରିସ (୪୭%), ବ୍ରିଟେନ ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମର (୪୫%), ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ (୪୫%), ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ (୪୨%), ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ (୪୦%) ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ (୪୦%) ରହିଛନ୍ତି । ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆପ୍ରୁଭାଲ ରେଟିଂ ୩୯ ପ୍ରତିଶତ ରହିଥିଲା ବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କର ୨୯ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ରେଟିଂ ରହିଛି ୨୦ ପ୍ରତିଶତ । 

ତେବେ ତାଲିକାର ସବୁଠାରୁ ତଳେ ରହିଛନ୍ତି ଚେକ ଗଣରାଜ୍ୟ ପ୍ରଧାନମନ୍ତ୍ରୀ ପିଟର ଫିଆଲା, ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ-ୟେଓଲ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । କିଶିଦାଙ୍କର ଆପ୍ରୁଭାଲ ରେଟିଂ ସବୁଠାରୁ କମ୍ ୧୬ ପ୍ରତିଶତ ରହିଛି । ଜୁଲାଇ ୮ରୁ ୧୪ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଥିବା ମର୍ଣ୍ଣିଂ କନ୍ସଲ୍ଟ ସଂସ୍ଥା ପକ୍ଷରୁ କୁହାଯାଇଛି।