ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ: ପ୍ରତାପ ଦେବ

ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ: ପ୍ରତାପ ଦେବ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ନ୍ୟାୟ ଦିଅନ୍ତୁ । ଏଭଳି କହିଛନ୍ତି ବିଜେଡି ନେତା ତଥା ବିଧାୟକ ପ୍ରତାପ ଦେବ ।ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଜଣେ ଏଏସଓଙ୍କୁ ମାଡ଼ ମାରିଥିବା ଅଭିଯୋଗ ଘଟଣାରେ ଶ୍ରୀ ଦେବ ଏଭଳି କହିଛନ୍ତି । 

ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ ।

ରାଜ୍ୟପାଳଙ୍କ ପୁଅ ଜଣେ ଏଏସଓଙ୍କୁ ମାଡ଼ ମାରିବା ନେଇ ଏତଲା ହୋଇଛି । କିନ୍ତୁ ପୁଲିସ ପକ୍ଷରୁ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇନାହିଁ । ମୁଖ୍ୟମନ୍ତ୍ରୀ ନିଜେ ଗ୍ରୀଭାନ୍ସ ଖୋଲିଛନ୍ତି । ସାଧାରଣ କର୍ମଚାରୀଙ୍କୁ ନ୍ୟାୟ ଦିଅନ୍ତୁ । 

ଅନ୍ୟପକ୍ଷରେ ଶନିବାର ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ କରାଯାଇଛି । ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଜଣେ ଏଏସଓଙ୍କୁ ମାଡ଼ ମାରିଥିବା ଅଭିଯୋଗରେ କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ କରାଯାଇଛି । ରାଜ୍ୟପାଳଙ୍କ ଇସ୍ତଫା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଆନେ୍ଦାଳନ କରାଯାଇଛି । ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ରାଜଭବନ ପର୍ଯ୍ୟନ୍ତ ଯାଇ ସେଠାରେ ନାରାବାଜି କରିଥିଲେ । 

ପ୍ରକାଶ ଯେ ରଥଯାତ୍ରା ସମୟରେ ରାଜ୍ୟପାଳ ରଘୁବର ଦାସ ପୁରୀ ରାଜଭବନରେ ଥିବା ସମୟରେ ତାଙ୍କ ପୁଅ ଲଳିତ କୁମାର ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣା ବିଷୟରେ ବୈକୁଣ୍ଠ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଜଣାଇଥିଲେ ମଧ୍ୟ ସେ ଚୁପ ରହିଥିଲେ। ତେବେ ଏନେଇ ରାଜ୍ୟପାଳଙ୍କ ଅଫିସରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଶନିବାର ମାଡ଼ ମାରିଥିବା ନେଇ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ବୈକୁଣ୍ଠ।

ସଂସଦୀୟ ବ୍ୟାପାର ବିଭାଗର ଏଏସଓ ବୈକୁଣ୍ଠ ପ୍ରଧାନ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ପୁରୀରେ ରଥଯାତ୍ରା ରାତିରେ ରାଜଭବନରେ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିଲେ। ବୈକୁଣ୍ଠ ପ୍ରଧାନ ଦାୟର କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ ଜୁଲାଇ ୭ ଓ ୮ ତାରିଖ ଦୁଇ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରହଣି ବ୍ୟବସ୍ଥା ତଦାରଖ ପାଇଁ ତାଙ୍କୁ ରାଜଭବନରେ ନିୟୋଜିତ କରାଯାଇଥିଲା। ୭ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ ବେଶ ଭଲରେ ସମ୍ପାଦନ ହୋଇଥିଲା। କିନ୍ତୁ ସେହି ରାତି ପ୍ରାୟ ୧୧ଟା ୪୫ମିନିଟରେ ସେ ରାଜଭବନସ୍ଥିତ ଅଫିସ ରୁମରେ ବସିଥିବାବେଳେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂ ତାଙ୍କ ପାଖକୁ ଆସି ଲଳିତ କୁମାର ଡାକୁଥିବା କହିଥିଲେ। ଲଳିତଙ୍କୁ ଭେଟିବାକୁ ସେ ଯାଇଥିଲେ କିନ୍ତୁ ତାଙ୍କୁ ଦେଖୁଦେଖୁ ଲଳିତ ଉତକ୍ଷିପ୍ତ ହୋଇ ଅତ୍ୟନ୍ତ ଆଶାଳୀନ ଭାଷାରେ ବଡ଼ ପାଟିରେ ଗାଳିଗୁଲଜ କରିଥିଲେ। ତାଙ୍କର ଏଭଳି ଆଚରଣକୁ ପ୍ରତିବାଦ କରିବାରୁ ଲଳିତ ତାଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲେ। ନିଜକୁ ଅସହାୟ ମଣି ସେ ଉକ୍ତ ରୁମରୁ ଦୌଡ଼ି ପଳାଇ ଆସି ଆନେକ୍ସ ବିଲିଡିଂରେ ଲୁଚି ରହିବାକୁ ଚେଷ୍ଟା କରିଥିଲେ। ମାତ୍ର ଲଳିତଙ୍କର ଦୁଇଜଣ ପିଏସଓ ତାଙ୍କୁ ଖୋଜି ପୁଣିଥରେ ଲଳିତଙ୍କ ପାଖକୁ ଟେକି ନେଇଯାଇଥିଲେ ଆଉ ସେଠାରେ ତାଙ୍କ ମୁହଁକୁ ଚାପୁଡ଼ା ସହ ଶରୀରର ବିଭିନ୍ନ ଭାଗକୁ ଗୋଇଠା ମାରିଥିଲେ ଏବଂ ଲଳିତ ତାଙ୍କୁ ହତ୍ୟା ପାଇଁ ଧମକ ଦେବା ସହ କେହିବି ତାଙ୍କୁ ବଞ୍ଚାଇ ପାରିବେ ନାହିଁ ବୋଲି ଚେତାବନୀ ଦେଇଥିବା ନେଇ ବୈକୁଣ୍ଠନାଥ ଅଭିଯୋଗ କରିଛନ୍ତି। ତେଣୁ ଏସମସ୍ତ ଘଟଣା ପ୍ରତି ଦୃଷ୍ଟି ଦେଇ ତାଙ୍କୁ ନ୍ୟାୟ ଦେବା ସହ ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ବୈକୁଣ୍ଠନାଥ ଦାବି କରିଛନ୍ତି। ତେବେ ଅଭିଯୋଗ ନେଇ ରାଜ୍ୟପାଳଙ୍କ ପୁଅଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।