ଘର ନିର୍ମାଣ ଓ କ୍ରୟ ପାଇଁ ଆର୍ଥିକ ସହାୟତା ଦେବେ ସରକାର

ଆଗକୁ ନିର୍ବାଚନ । ତେଣୁ ଗରିବ, ମଧ୍ୟବିତ୍ତ ଓ କୃଷକଙ୍କ ଉପରେ ସରକାରଙ୍କ ଆଖି । ମଧ୍ୟବିତ୍ତଙ୍କ ପାଇଁ ହାଉସିଂ ଯୋଜନା ଆଣିବାକୁ ଯାଉଛନ୍ତି ସରକାର। ଘର ନିର୍ମାଣ ଓ କ୍ରୟ ପାଇଁ ଆର୍ଥିକ ସହାୟତା ଦେବେ ସରକାର । ସେହିପରି ଚାଷୀଙ୍କ ଆୟ ବଢାଇବାକୁ ହୋଇଛି ଯୋଜନା । ଲୋକଙ୍କ ଉପରୁ ବିଜୁଳି ବିଲ ବୋଝ ହ୍ରାସ କରିବା ପାଇଁ ୧ କୋଟି ଘରେ ଲାଗିବ ସୋଲାର ପ୍ୟାନେଲ ।
ନିର୍ମଳାଙ୍କ ଫୋକସରେ ମଧ୍ୟବିତ୍ତ ଓ ଅନ୍ନଦାତା । ଆଗକୁ ନିର୍ବାଚନ ଥିବାରୁ ଲୋକଙ୍କୁ ଖୁସି କରିବାକୁ ମଧ୍ୟବିତ୍ତଙ୍କ ପାଇଁ ଏକ ହାଉସିଂ ସ୍କିମ ଆଣିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କହିଛନ୍ତି, ଗରିବ ଲୋକଙ୍କୁ ଘର କିଣିବା ଏବଂ ଘର ନିର୍ମାଣ କରିବା ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। ମଧ୍ୟବିତ୍ତ, ବସ୍ତି ଓ ଚାଲରେ ରହୁଥିବା ଲୋକଙ୍କ ପାଇଁ ଘର କିଣିବା ଓ ନିର୍ମାଣ କରିବାରେ ସରକାର ସହାୟତା କରିବେ। ପିଏମ୍ ଗ୍ରାମୀଣ ଆବାସ ଯୋଜନାରେ ଆସନ୍ତା ୫ ବର୍ଷରେ ଆଉ ୨ କୋଟି ପକ୍କାଘର ନିର୍ମାଣ କରାଯିବ । ଯାହା ଦ୍ବାରା ୩ କୋଟି ଲୋକ ଲାଭବାନ ହେବେ ।
:Budget 2024: ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବେ ଆଶା ଓ ଅଙ୍ଗନବାଡ଼ି କର୍ମୀ!
ଗ୍ରାମାଞ୍ଚଳ ବିକାଶ ଓ ସାମାାଜିକ ନ୍ୟାୟ ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାକୁ ପୂରଣ କିରବା ପାଇଁ ମଧ୍ୟବିତ୍ତ ଓ କୃଷକଙ୍କ ଆୟ ବଢାଇବା ପାଇଁ ଯୋଜନା କରିଛନ୍ତି ସରକାର । ପ୍ରତି ପରିବାରକୁ ମାଗଣା ଘର, ବିଜୁଳି ଓ ପାଣି ଯୋଗାଇବାକୁ ଉଦ୍ୟମ କରାଯାଇଛି । ୪ କୋଟି ଚାଷୀ ଫସଲ ବୀମା ଦ୍ବାରା ଲାଭବାନ ହୋଇଥିବା ବେଳେ ୧୧.୮ କୋଟି ଚାଷୀ ପିଏମ୍ କିଷାନ ଯୋଜନାରେ ଲାଭ ପାଇଛନ୍ତି । ସେହିପରି ୧.୮ କୋଟି ଚାଷୀ ଡିଜିଟାଲ ଏଗ୍ରି ମାର୍କେଟରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
ମଧ୍ୟବିତ୍ତଙ୍କ ଉପରୁ ବିଜୁଳି ବୋଝ କମାଇବା ପାଇଁ ସୋଲାର ଏନର୍ଜୀ ବ୍ୟବହାରକୁ ପ୍ରୋତ୍ସାହିତ କରିବେ ସରକାର । ୧ କୋଟି ଘରେ ଲାଗିବ ରୁଫ୍ ଟପ୍ ସୋଲାର ପ୍ୟାନେଲ । ଯାହା ଦ୍ବାରା ପ୍ରତି ଘରକୁ ପ୍ରତି ମାସରେ ୩ ଶହ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ ।
୧୦ ବର୍ଷରେ ୨୫ କୋଟି ଲୋକ ଗରିବ ସୀମା ରେଖା ଉପରକୁ ଆସିଛନ୍ତି। 'ପିଏମ୍ ସ୍ବନିଧି' ସ୍କିମରେ ୭୫ ଲକ୍ଷ ଦୋକାନୀ ଲାଭବାନ ହୋଇପାରିଛନ୍ତି । ଜନଧନ ଯୋଜନାରେ ୩୪ କୋଟି ଲୋକଙ୍କୁ ସିଧାସଳଖ ଅର୍ଥ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।