ନବୀନ ପଟ୍ଟନାୟକଙ୍କ ଚିଠିର ଜବାବ ଦେଲେ ସିଏମ୍ ମାଝୀ
ଆପଣଙ୍କ ପରାମର୍ଶ ସବୁବେଳେ ମୋ ପାଇଁ ଗ୍ରହଣୀୟ’: ନବୀନ ପଟ୍ଟନାୟକଙ୍କ ଚିଠିର ଜବାବ ଦେଲେ ସିଏମ୍ ମାଝୀ

ଆଡ଼ପ ପହଣ୍ଡିବେଳେ ଚାରମାଳ ଉପରେ ବଡ଼ ଠାକୁର ପ୍ରଭୁ ବଳଭଦ୍ର ଖସିପଡ଼ିବା ଘଟଣାରେ ପୁର୍ବତନ ମୁଖ୍ୟମନ୍ତ୍ରୀ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଙ୍କ ମଧ୍ୟ ରେ ଏକ ପ୍ରକାର ଚିଠିପତ୍ର ଯୁଦ୍ଧ ଆରମ୍ଭ ହୋଇଛି। ବଳଭଦ୍ରଙ୍କ ପଡିଯିବା ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘‘ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଅସ୍ମିତାର ପ୍ରତୀକ । ଏଭଳି ଘଟଣା ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି। ଏହାର ପୁନରାବୃତ୍ତି ଯେପରି ନଘଟିବ, ତାହା ସୁନିଶ୍ଚିତ କରିବେ’’ ବୋଲି ଚିଠିରେ ଉଲ୍ଲେଖ କରି ଥିଲେ ନବୀନ। ଏଥି ସହିତ ଆହୁରି ଲେଖିଥିଲେ ଯେ ମୁଁ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ । ହଜାର ହଜାର ବର୍ଷର ପରମ୍ପରାରେ ଏଭଳି କେବେ ଘଟିନଥିଲା । ବଡ଼ଠାକୁର ବଳଭଦ୍ର ପଡ଼ିଥିବା ଅତ୍ୟନ୍ତ ହୃଦୟ ବିଦାରକ । କିଛି ମନ୍ତ୍ରୀଙ୍କ ହାଲୁକା ମନ୍ତବ୍ୟ, ଲୋକଙ୍କ ଦୁଃଖକୁ ବଢ଼ାଇଛି । ଏହା ଭକ୍ତର ଭାବାବେଗକୁ ଗଭୀର ଆଘାତ ଦେଇଛି । ଏହାର ପୁନରାବୃତ୍ତି ଯେପରି ନଘଟିବ, ତାହା ସୁନିଶ୍ଚିତ କରିବେ । CM ନିଜେ ଦାୟିତ୍ବ ନେଇ ସୁନିଶ୍ଚିତ କରାନ୍ତୁ । ଦୃଷ୍ଟାନ୍ତମୂଳକ ପଦକ୍ଷେପ, ଭକ୍ତଙ୍କୁ ଆଶ୍ବସ୍ତ କରିବ ।’’
ଆଉ ଏବେ ନବୀନଙ୍କ ଏହି ଚିଠିର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ମର୍ମାହତ ଥିବା ନେଇ କହିବା ସହ ଅଘଟଣ ପରେ ତୁରନ୍ତ ଉପମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀଙ୍କୁ ପୁରୀ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେନେଇ ସମସ୍ତଙ୍କୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିବା କହିଛନ୍ତି । ବଡ଼ କଥା ହେଉଛି ମୁଖ୍ୟମନ୍ତ୍ରୀ ଏପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ପରାମର୍ଶକୁ ସମ୍ମାନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ‘‘ଏ ସମ୍ବନ୍ଧରେ ଆପଣ ମୋତେ ଲେଖିଥିବା ପତ୍ରକୁ ମୁଁ ଗୁରୁତ୍ବର ସହ ପାଠ କରିଛି। ଆମେ ସମସ୍ତେ ମିଶି ଚତୁର୍ଦ୍ଧାମୂର୍ତ୍ତିଙ୍କ ସମସ୍ତ ସେବା ଓ ଶ୍ରୀଗୁଣ୍ଡିଚ ଯାତ୍ରା ସଠିକ୍ ଭାବେ ସମ୍ପନ୍ନ କରିବା। ଆପଣଙ୍କର ପରାମର୍ଶ ମୋ ପାଇଁ ସବୁବେଳେ ସମ୍ମାନର ସହିତ ଗ୍ରହଣୀୟ ହେବ।’
ତେବେ ନବୀନ ପଟ୍ଟନାୟକ ଓଡ଼ିଆରେ ଚିଠି ଲେଖିବା ଓ ପ୍ରଥମ ଥର ପାଇଁ ବିରୋଧୀ ଦଳର ନେତାଙ୍କ ଭୁମିକା ଲିଭେଇବା ନିଶ୍ଚିନ୍ତ ଏକ ଚର୍ଚ୍ଚାର ବିଷୟ ସେଥିରେ ପୁଣି କାଳବିଳମ୍ବ ନକରି ମୁଖ୍ୟମନ୍ତ୍ରୀ ତୁରନ୍ତ ସେ ଚିଠିର ଉତ୍ତର ରଖିବା ଏହା ଓଡ଼ିଶା ର ରାଜନୈତିକ ପାଣିପାଗ କୁ ବେଶ୍ ଚର୍ଚ୍ଚା ର ଖୋରାକ ଯୋଗାଇଛି ।