କେନ୍ଦ୍ରୀୟ ଯୋଜନାର ବ୍ରାଣ୍ଡ ଚୋର, ନବୀନ ସରକାର : ଡ.ଲେଖାଶ୍ରୀ

କେନ୍ଦ୍ରୀୟ ଯୋଜନାର ବ୍ରାଣ୍ଡ ଚୋର, ନବୀନ ସରକାର : ଡ.ଲେଖାଶ୍ରୀ

ବିଭିନ୍ନ ସମୟରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଦେଉଥିବା ଅର୍ଥ ଅନୁଦାନ ଏବଂ ଯୋଜନାକୁ ନିଜ ନାଁରେ କପି, ପେଷ୍ଟ କରି ରାଜ୍ୟ ରାଜନୀତିରେ ପାସ୍ କରିବାକୁ ଅପଚେଷ୍ଟା କରିଆସିଛନ୍ତି । ସତ ଧରାପଡିବା ପରେ ତାହା ପ୍ରତ୍ୟାହାର ମଧ୍ୟ କରିଛନ୍ତି । ଉଦାହରଣ ସ୍ୱରୂପ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର, ଆୟୁଷ୍ମାନ ଯୋଜନାକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଇତ୍ୟାଦି ଯୋଜନାକୁ ନିଜସ୍ୱ ଯୋଜନା କହି ସରଳ ନୀରିହ ଓଡିଆଙ୍କୁ ଦୀର୍ଘଦିନ ଧରି ଠକି ଚାଲିଛନ୍ତି ନବୀନ ସରକାର ।

ରାଜ୍ୟ ସରକାର କପି, ପେଷ୍ଟ ଯୋଜନାକୁ ବିଜେପି ବିରୋଧ କରିବା ପରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଗୃହରେ ମରାମତି, ରଙ୍ଗ ବୋଳା ତଥା ହିତାଧିକାରୀଙ୍କୁ ୨ହଜାର ଟଙ୍କା ଦେଇ ପୁନଶ୍ଚ ଏହି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ଯୋଜନା କହି ଜନସାଧାରଣଙ୍କୁ ଠକି ଚାଲିଛନ୍ତି । ମୋଦି ସରକାର ଲୋକଙ୍କୁ ମାଗଣା ରାସନ ଦେଉଥିବାବେଳେ ରାଜ୍ୟ ସରକାର ଏହାକୁ ନିଜେ ଦେଉଛନ୍ତି ବୋଲି କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । ତଥାପି ରାଜ୍ୟ ସରକାରଙ୍କର ଏହି ଚକ୍ରାନ୍ତ ବିଫଳ ହେବାରୁ ସରକାରୀ ଦଳ ତରଫରୁ ଦଳୀୟ ଚିହ୍ନ ଥିବା ରାସନ ବ୍ୟାଗ ବାଂଟି ନାଁ ନେବାକୁ ଚେଷ୍ଟା କରୁଛନ୍ତି । ନାନା ବିରୋଧ ସତ୍ୱେ ରାଜ୍ୟ ସରକାର ଏବାବଦରେ କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି ।

କେନ୍ଦ୍ରୀୟ ଯୋଜନାର ବ୍ରାଣ୍ଡ ଚୋର ନବୀନ ସରକାର ବୋଲି ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।"ଦିନଦୟାଲ ଅନ୍ତ୍ୟୋଦ୍ୱୟ ଯୋଜନା"ରେ ମହିଳାମାନଙ୍କୁ ଆର୍ôଥକରୂପେ ସ୍ୱାବଲମ୍ବୀ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ସବୁ ସହାୟତା ଯୋଗାଇ ଦେଉଛନ୍ତି, ସେ ସମସ୍ତ ଯୋଜନାକୁ ରାଜ୍ୟ ସରକାର ଚୋରୀ କରିଛନ୍ତି । ଖାଲି ସେତିକିରେ ଅଟକି ଯାଇନି ରାଜ୍ୟ ସରକାରଙ୍କର ଚକ୍ରାନ୍ତ । ଏସ୍‌ଏଚ୍‌ଜିର ମା'ମାନଙ୍କୁ ବିଭିନ୍ନ ପ୍ରକାର ମିଛ ପ୍ରତିଶ୍ରୁତି ଦେଇ ରାଜନୈତିକ ସଭା ସମିତିରେ ସାମିଲ କରିବା ସହିତ ସମସ୍ତ ପ୍ରକାର ଦଳୀୟ କାର୍ଯ୍ୟକଳାପରେ ଜୋର ଜବରଦସ୍ତ ସାମିଲ କରୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ "ବିଜେଡିର ମହିଳା ବାହିନୀ"ଭାବେ ଦୁରୁପଯୋଗ କରାଯାଉଛି ।