ଓଡ଼ିଶା ବିଧାନସଭା ବଜେଟ ଅଧିବେଶନ ନେଇ ସର୍ବଦଳୀୟ ବୈଠକ

ବଜେଟ ଅଧିବେଶନରେ ଗୃହର ସୁପରିଚାଳନା ନେଇ ସମସ୍ତ ନେତୃବୃନ୍ଦଙ୍କର ସହଯୋଗ କାମନା କରିଥିଲେ

ଓଡ଼ିଶା ବିଧାନସଭା ବଜେଟ ଅଧିବେଶନ ନେଇ ସର୍ବଦଳୀୟ ବୈଠକ

ଭୁବନେଶ୍ୱର :୨୧ ତାରିଖ, ସୋମବାର ଦିନ ଠାରୁ ଆରମ୍ଭ ହେଉଥିବା ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ପାଇଁ ସୋମବାର ଦିନ ପୂର୍ବାହ୍ନରେ ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ନୂତନ ସମ୍ମିଳନୀ କକ୍ଷଠାରେ ସର୍ବଦଳୀୟ ନେତୃବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଶ୍ରୀ ଆରୁଖ ଚଳିତ ବଜେଟ ଅଧିବେଶନରେ ଗୃହର ସୁପରିଚାଳନା ନେଇ ସମସ୍ତ ନେତୃବୃନ୍ଦଙ୍କର ସହଯୋଗ କାମନା କରିଥିଲେ । ଏହି ବୈଠକରେ ମାନ୍ୟବର ବିରୋଧି ଦଳନେତା ଶ୍ରୀ ଜୟନାରାୟଣ ମିଶ୍ର, ମାନ୍ୟବର ଅର୍ଥ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ମାନ୍ୟବର ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ମାନ୍ୟବର ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି,  କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର, ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ,  ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ,  ବିଧାୟକ ଶ୍ରୀ ଲକ୍ଷ୍ମଣ ମୁଣ୍ଡା ଉପସ୍ଥିତ ରହି ବିଧାନସଭା ଅଧିବେଶନର ସୁପରିଚାଳନା ନେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି ଅଧିବେଶନରେ ରାଜ୍ୟର ୨୦୨୩-୨୪ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହୋଇ ପାରିତ ହେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି । ଚଳିତ ଅଧିବେଶନରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରେସ୍‌ ଗ୍ୟାଲେରୀରେ ଉପସ୍ଥିତ ରହି ପାରିବେ ଏବଂ ସାଧାରଣ ଦର୍ଶକମାନେ ମଧ୍ୟ ଦର୍ଶକ ଗ୍ୟାଲେରୀକୁ ଆସିପାରିବେ । ଦର୍ଶକମାନଙ୍କୁ ବିଧାୟକମାନଙ୍କ ଜରିଆରେ ଦର୍ଶକ ଗ୍ୟାଲେରୀ ପାଇଁ ପ୍ରବେଶ ପତ୍ର ପ୍ରଦାନ କରାଯିବ । ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତ ଅଧିବେଶନରେ ସ୍ୱାସ୍ଥ୍ୟଗତ କାରଣରୁ ଗୃହରେ ଉପସ୍ଥିତ ହୋଇପାରୁନଥିବା ସଦସ୍ୟମାନେ ମଧ୍ୟ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ଭାଗ ନେଇପାରିବେ ବୋଲି ବାଚ ସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।