ଆଜି ପୁରୀ-ତାଳଚେର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରାଏଲ ରନ୍
ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ କରାଯିବାର ରହିଛି । ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ରହିବ ଏହି ଟ୍ରେନ୍ । ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରୁ ବାହାରି ଦିନ ୧୨ଟା ୩୦ରେ ତାଳଚେରରେ ପହଞ୍ଚିବ ଏହି ଟ୍ରେନ୍ । ଚଳିତ ବର୍ଷ ମେ’ ମାସ ୧୮ ତାରିଖରେ ପୁରୀରୁ-ହାୱଡ଼ା ପର୍ୟ୍ୟନ୍ତ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଯାହାକୁ ଭର୍ଚୁଆଲରେ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୁରୀ ରେଳ ଷ୍ଟେସନରେ ଯାହାକୁ ଭର୍ଚ୍ଚୁଆଲ ମୋଡ଼ରେ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ସେମି ହାଇସ୍ପିଡ ଟ୍ରେନଟି ପୁରୀରୁ ହାୱଡା ମଧ୍ୟରେ ଚଳାଚଳ ଆରମ୍ଭ କରିଥିଲା । ସେତେବେଳେ ବନ୍ଦେ ଭାରତ ଲୋକାର୍ପଣ କାର୍ୟ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଓଡ଼ିଶା ପକ୍ଷରୁ କେତେକ ଦାବି ରଖାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କରିଥିଲେ । ପୁରୀରୁ ରାଉରକେଲା ଓ ଭୁବନେଶ୍ୱରରୁ ହାଇଦ୍ରାବାଦ।
ବନ୍ଦେ ଭାରତ ଟ୍ରେନ୍ ରେଳଯାତ୍ରୀଙ୍କୁ ଆରାମ ଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରୁଛି । ଏହା ପର୍ୟ୍ୟଟନକୁ ବୃଦ୍ଧି କରିବା ସହ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ । ବନ୍ଦେ ଭାରତ ଟ୍ରେନ୍ ପାଖାପାଖି ୫୦୦ କିଲୋମିଟର ଦୂରତା ସାଢ଼େ ୬ ଘଣ୍ଟାରେ ଅତିକ୍ରମ କରିବାର ସାମର୍ଥ୍ୟ ରଖିଛି । ସାଧାରଣ ଟ୍ରେନ୍ ତୁଳନାରେ ଏହା ବେଶ ଆରାମଦାୟକ ଅଟେ । ଏହି ଟ୍ରେନର ସବୁ କୋଚରେ ଏସି ରହିଛି । ଟ୍ରେନରେ ଜିପିଏସ ଓ ଫାୟାର୍ ସେନ୍ସର ଲଗାଯାଇଛି । ୱାଇଫାଇ ସୁବିଧା ମଧ୍ୟ ଉପଲବ୍ଧ । ଖାଦ୍ୟପାନୀୟ ପାଇଁ ଡିପ ଫ୍ରିଜର ରଖାଯାଇଛି, ଏଥିସହ ଯାତ୍ରୀଙ୍କ ପାଖରେ ରହିଛି ମୋବାଇଲ୍ ଚାର୍ଜିଂ ପଏଣ୍ଟ । ଲଗେଜ ରଖିବା ପାଇଁ ମଡ୍ୟୁଲାର ରାକ୍ ମଧ୍ୟ କରାଯାଇଛି । ସେପ୍ଟେମ୍ବର ୩୦ ତାରିଖରେ ଓଡିଶାରେ ଦ୍ବିତୀୟ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ । ପୁରୀରୁ ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, ତାଳଚେର, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଦେଇ ରାଉରକେଲା ଯିବା ଦ୍ୱାରା ଏହି ଟ୍ରେନ ଯୋଗୁଁ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ।