ନଦୀ କୂଳରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ବୌଦ୍ଧ ସହର ସତସଙ୍ଗ ବିହାର ସ୍ଥିତ ମହାନଦୀ କୂଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ ହୋଇଛି

ବୌଦ୍ଧ ସହର ସତସଙ୍ଗ ବିହାର ସ୍ଥିତ ମହାନଦୀ କୂଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ ହୋଇଛି । ଖବରପାଇ ବୌଦ୍ଧ ଆଦର୍ଶ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକେ ଶୌଚ ହେବା ପାଇଁ ନଦୀକୁ ଯାଇଥିବା ବେଳେ ସେଠାରେ ଏକ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ବ୍ୟକ୍ତିଙ୍କୁ କେହି ଦୁର୍ବୃତ୍ତ କାଚ ବୋତଲରେ ପିଟି ପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ମୃତକଙ୍କ ନିକଟରୁ ଏକ ସାଇକେଲ , ମୁଣ୍ଡ ପାଖରେ ଗୋଟିଏ ବ୍ୟାଗ ଥିବା ଦେଖିବାକୁ ମିଳିଛି । ସେପଟେ ମୃତଦେହ ପଡିଥିବା ସ୍ଥାନଟି ମଦୁଆଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ବେଳେ ପ୍ରତ୍ୟେକ ଦିନ ରାତିରେ ସେଠାକୁ ମଦୁଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି ।