ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ଉପରେ ସମସ୍ତଙ୍କ ନଜର
ଆଗକୁ ଦୁର୍ଗାପୂଜା ଓ ସପ୍ତାହ ପରେ ପବିତ୍ର କାର୍ତ୍ତିକ ମାସ ଆରମ୍ଭ । ଶ୍ରୀମନ୍ଦିରରେ ଜଗା ଦର୍ଶନ ନିମନ୍ତେ ଦୁର୍ଗାପୂଜା ଛୁଟିରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବ

ଆଗକୁ ଦୁର୍ଗାପୂଜା ଓ ସପ୍ତାହ ପରେ ପବିତ୍ର କାର୍ତ୍ତିକ ମାସ ଆରମ୍ଭ । ଶ୍ରୀମନ୍ଦିରରେ ଜଗା ଦର୍ଶନ ନିମନ୍ତେ ଦୁର୍ଗାପୂଜା ଛୁଟିରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବ । ଏହାପରେ ରାଇଦାମୋଦର ବ୍ରତଧାରୀଙ୍କ ଭିଡ଼ ମାସ ବ୍ୟାପୀ ରହିବ । ହେଲେ ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ ଓ ଲେଜର ସ୍କାନିଂ ରିପୋର୍ଟ ଆସିଲାନି ।
ଶ୍ରୀମନ୍ଦିରରେ ରତ୍ନଭଣ୍ଡାରରେ ଗୁପ୍ତ ଧନ ଓ ଗୁପ୍ତ ସୁଡ଼ଙ୍ଗ ଖୋଜିବାକୁ ଏହି ସର୍ଭେ ହୋଇଥିଲା । ଏହାଛଡ଼ା ରତ୍ନଭଣ୍ଡାରରେ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଅଭିଯୋଗ ସତ୍ୟାସତ୍ୟକୁ ଯାଞ୍ଚ କରି ସ୍ଥାୟୀ ମରାମତି କରିବା ନିମନ୍ତେ ଅତ୍ୟାଧୁନିକ ବୈଷୟିକଜ୍ଞାନ କୌଶଳ ବ୍ୟବହାର କରାଯାଇଥିଲା । ଏଏସ୍ଆଇର ବିଶେଷଜ୍ଞ, ଶ୍ରୀମନ୍ଦିର ପ୍ରଶାସନିକ କୋର କମିଟି, ସରକାରଙ୍କ ଉଚ୍ଚ କ୍ଷମତା ସମ୍ପନ୍ନ ଟିମ୍, ସିଏସ୍ଆଇଆର୍-ଏନ୍ଜିଆର୍ଆଇର ମୁଖ୍ୟ ବୈଜ୍ଞାନିକ ଏହି ସର୍ଭେରେ ସାମିଲ ହୋଇଥିଲେ । ଏନ୍ଜିଆର୍ଆଇର ମୁଖ୍ୟ ବୈଜ୍ଞାନିକ ଡ. ଆନନ୍ଦ କୁମାର ପାଣ୍ଡେ ୩ ପ୍ରକାର ମେସିନ୍ ପକାଇ ସର୍ଭେ ହୋଇଥିବା କହିଥିଲେ । ଏହି ମେସିନ୍ ୧୦ ମିଟର ମାଟି ତଳୁ ଯାଇ ଫଟୋ ଆଣିଛି । କାନ୍ଥ ଓ ଛାତକୁ ଲାଗି ୧୦ ମିଟର ଭିତରେ କ’ଣ ରହିଛି ତାହାର ମଧ୍ୟ ଫଟୋ ନେଇଛି । ନିଆ ଯାଇଥିବା ଫଟୋକୁ ହାଇଦ୍ରାବାଦ୍ସ୍ଥିତ ସିଏସ୍ଆଇଆର୍-ଏନ୍ଜିଆରଆଇ ଲ୍ୟାବ୍ରେ ତନ୍ନତନ୍ନ କରି ଦେଖିବା ପରେ ପ୍ରାୟ ୧୦ ଦିନ ଭିତରେ ରିପୋର୍ଟ ପ୍ରସ୍ତୁତ କରି ଦିଆଯିବ ବୋଲି ବୈଜ୍ଞାନିକ ଡ. ଆନନ୍ଦ କୁମାର ପାଣ୍ଡେ କହିଥିଲେ । ରତ୍ନଭଣ୍ଡାରକୁ ନେଇ ରହସ୍ୟ ଲାଗି ରହିଥିବା ବେଳେ ରିପୋର୍ଟରେ କ’ଣ ରହିଛି ତାହାକୁ ଜାଣିବାକୁ ସାଧାରଣରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।
ଏଥିସହ ରତ୍ନଭଣ୍ଡାର କେବେ ମରାମତି ନିମନ୍ତେ ନକ୍ସା ପ୍ରସ୍ତୁତ ହେବ, କେବେ ମରାମତି ଓ ସଂରକ୍ଷଣ କାମ ସରିବ ଓ ରତ୍ନଭଣ୍ଡାରରେ ମହଜୁଦ୍ ଥିବା ରତ୍ନଅଳଙ୍କାର ଗଣତିମଣତି କରାଯାଇ ଚୋରି ହୋଇଯାଇଥିବା ସନ୍ଦେହରେ ପୂର୍ଣ୍ଣଚ୍ଛେଦ ପଡ଼ିବ ତାହାକୁ ନେଇ ସମୟ ଗଡ଼ି ଚାଲିବା ଆଉ ଏକ ଉଦ୍ବେଗ କାରଣ ହୋଇଛି । ଯେହେତୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ବେଳେ ମାଟି ତଳେ କୌଣସି ଐତିହ୍ୟ କୀର୍ତ୍ତିରାଜି ଅଛି କି ନାହିଁ ଜାଣିବା ନିମନ୍ତେ ଜିପିଆର ସର୍ଭେ ହୋଇଥିଲା ଓ ଏହାର ରିପୋର୍ଟ ସର୍ବସାଧାରଣ କରାଯାଇନଥିଲା ତେଣୁ ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ ସର୍ବସାଧାରଣ ହେବ ନା ନାହିଁ ଏହାକୁ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ସରକାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି ।