ପରିବା ବଜାର ରେ କାଳ ବୈଶାଖୀ

ଉଡେଇଲା ବଜାର ଦର, ଭାଙ୍ଗିଲା ଖାଉଟି ଙ୍କ ଅଣ୍ଟା, ପଡିଲା ମଧ୍ୟବିତ୍ତ ଙ୍କ ଉପରେ ବଜ୍ରପାତ, ସାହା ହେବା ପାଇଁ କହିବା କାହାକୁ ଶୁଣିବ ବା କିଏ ?

ପରିବା ବଜାର ରେ କାଳ ବୈଶାଖୀ

ଦେଶର ଅନେକ ରାଜ୍ୟରେ ହେଉଥିବା ମୂଷଳଧାରା ବର୍ଷାର ପ୍ରଭାବ ସଂପ୍ରତି ଦୈନନ୍ଦୀନ ଜୀବନ ଉପରେ ପଡ଼ିବାରେ ଲାଗିଛି। ଉତ୍ତର ରାଜ୍ୟ ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର, ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଏବଂ ବିହାରର କିଛି ଅଂଶରେ ପ୍ରବଳ ବର୍ଷା କାରଣରୁ ପନିପରିବା ଦର ଆକାଶ ଛୁଆଁ ରହିଛି। ବନ୍ୟା ଏବଂ ବର୍ଷା ଯୋଗୁଁ ଅନେକ ରାଜ୍ୟର ମଣ୍ଡିଗୁଡ଼ିକରେ ପନିପରିବାର ପହଞ୍ଚି ପାରୁନି। ଏହି କାରଣରୁ ଆଗାମୀ କିଛି ଦିନରେ ପନିପରିବା ଦର ଆହୁରି ବଢିପାରେ। ବ୍ୟବସାୟୀଙ୍କ କହିବା କଥା ବର୍ଷା ନ ଥମିବା ପର୍ଯ୍ୟନ୍ତ ପରିବାର ଦର କମିବାର ସମ୍ଭାବନା ବହୁତ କମ ରହିଛି। ଭୀଷଣ ବର୍ଷା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ରହିଛି ଏବଂ ଚାଷ ଜମିରେ ପାଣି ଭରି ରହିଛି। ଲୋକଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଏବଂ ପନିପରିବା କିଣିବା ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି।

ଉତ୍ତର ଭାରତର ଅନେକ ରାଜ୍ୟରେ ଭୀଷଣ ବର୍ଷା ଏବଂ ବନ୍ୟା ପରିସ୍ଥିତି ଉପୁଜିବାରୁ ଅନେକ ଟ୍ରକ ରାସ୍ତାରେ ଫସି ରହିଛି। ଫଳରେ ରାଜ୍ୟ ଗୁଡ଼ିକର ମଣ୍ଡିକୁ ପନିପରିବା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପହଞ୍ଚି ପାରୁନାହିଁ। ଯମୁନା ନଦୀରେ ବନ୍ୟା ଆସିବାରୁ ଦିଲ୍ଲୀ ଏବଂ ଏହାର ଆଖାପାଖ ଅଞ୍ଚଳର ଚାଷ ଜମିରେ ପନିପରିବା ନଷ୍ଟ ହୋଇ ଯାଇଛି। ଏଥିରେ ଦିଲ୍ଲୀ ପରିବା ମାର୍କେଟ୍‌ରେ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସୋନିପଥ, ପାନିପଥ ପରି ଅଞ୍ଚଳରୁ ମଧ୍ୟ ପରିବା ବଜାରକୁ ଆସି ପାରୁ ନାହିଁ। ଅନେକ ଜାଗାରେ ଟ୍ରକ ଫସି ରହିବାରୁ ସେଥିରେ ଥିବା ପନିପରିବା ଏବଂ ଫଳମୂଳ ଖରାପ ହେବାରେ ଲାଗିଛି। ବାଧ୍ୟହୋଇ ଡ୍ରାଇଭରମାନେ ଆଖପାଖ ଅଞ୍ଚଳରେ ଟ୍ରକରୁ ପନିପରିବା କାଢି ବିକ୍ରି କରୁଛନ୍ତି।

ବ୍ୟବସାୟୀଙ୍କ କହିବା କଥା ଗତ ଶନିବାର-ରବିବାର ଭୀଷଣ ବର୍ଷା କାରଣରୁ ମଣ୍ଡିରେ ପନିପରିବା ବିକ୍ରି ହୋଇ ପାରିନାହିଁ। ମଙ୍ଗଳବାର ମଧ୍ୟ ସ୍ଥିତି ସେମିତି ରହିଛି। ବର୍ଷା ଯୋଗୁଁ ପନିପରିବା ସଢିବାରେ ଲାଗିଛି। ଏହି କାରଣରୁ ଆଗାମୀ ଦିନରେ ସମଗ୍ର ଦେଶରେ ପନିପରିବା ଦର ଆହୁରି ମହଙ୍ଗା ହୋଇପାରେ ବୋଲି ବ୍ୟବସାୟୀ କହିଛନ୍ତି। ସୋମବାର ହିମାଚଳରେ ଟମାଟୋ ରପ୍ତାନୀ ମଧ୍ୟ ପ୍ରଭାବିତ ହୋଇଛି, ଯେଉଁଥିରେ ଟମାଟୋ ଦର ବଢିବାର ସମ୍ଭାବନା ରହିଛି।

ଟମାଟୋ ଦର ଏବେ ମଧ୍ୟ ୧୨୦ ଟଙ୍କାରୁ ୧୬୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ବ୍ୟବସାୟୀଙ୍କ ଅନୁଯାୟୀ, ପ୍ରବଳ ବର୍ଷା କାରଣରୁ ଯୋଗାଣ ଚେନରେ ବାଧା ସୃଷ୍ଟି ହେବାରୁ ପନିପରିବା ଦାମ ରେକର୍ଡସ୍ତରରେ ପହଞ୍ଚିଛି। ଫୁଲକୋବି, ଲଙ୍କା, ଅଦା ପରି ଅନ୍ୟ ପରିବାର ଦାମ ଅସ୍ଵାଭାବିକ ଭାବେ ବୃଦ୍ଧି ଘଟିଛି। ଏହା ବ୍ୟତୀତ ସିମଲା ଲଙ୍କା, ବନ୍ଧା କୋବି, ବାଇଗଣ ଆଦିର ଦାମ ଆକାଶଛୁଆଁ ରହିଛି। ଗୋଟିଏ ମାସ ପୂର୍ବରୁ ଅଦା କିଲୋ ପିଛା ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି ତାହା ୩୦୦ ଟଙ୍କାରେ ବିକ୍ରି ହେଉଛି। ଦିଲ୍ଲୀର ଆଜାଦପୁର ମଣ୍ଡି, ଯାହା ଏସିଆର ସବୁଠୁ ବଡ଼ ମଣ୍ଡି। ଏଠାରେ ଟମାଟୋ ଦର କିଲୋ ପିଛା ୮୦ରୁ ୧୨୦ ଟଙ୍କା ମଧ୍ୟରେ ରହିଛି।

ବଜାରରେ ଅଧ କିଲୋ ବନ୍ଧା କୋବିର ଦାମ ୮୦ରୁ ୧୦୦ ଟଙ୍କା ମଧ୍ୟରେ ରହିଛି। ପିଆଜ କିଲୋ ୩୦ ରୁ ୪୦ ଟଙ୍କାରେ ବିକ୍ରି ହେଉଛି। ଧନିଆ କିଲୋ ୧୦୦ ଟଙ୍କା ଏବଂ ଲଙ୍କା ୧୨୫ ଟଙ୍କାରେ ବିକ୍ରି ହେଉଛି। ସିମଲା ଲଙ୍କା କିଲୋ ପ୍ରତି ୧୦୦ ଟଙ୍କା ଉପରକୁ ଛୁଇଁଛି। ବଜାରେ ବିନ୍ସ ୧୨୦ ଟଙ୍କା, ଭେଣ୍ଡି ୮୦ ଟଙ୍କା, ନାଉ ୩୦ରୁ ୪୦ ଟଙ୍କା, କଲରା ୪୦ରୁ ୫୦ ଟଙ୍କା, ଲେମ୍ବୁ କିଲୋ ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଛି।

ଗୋଟିଏ ମଧ୍ୟବିତ୍ତ ପରିବାର ଚଳାଇବା ପାଇଁ ଆଜି ର ଏସବୁ ବଜାର ଦର ଅଣ୍ଟାପିଠି ଭାଙ୍ଗି ଦେଉଛି । ତେବେ ଏହା କେବଳ ସକାଳ ସନ୍ଧ୍ୟା ସମୟରେ ଆଲୋଚନା ରେ ହିଁ ସୀମିତ ରହି ଯାଉଛି। ନା ଏଥି ପାଇଁ କିଏ ଦୃଷ୍ଟି ଦେଉଛି ନା କେହି ସମାଧାନ ର ବାଟ ଖୋଜୁଛନ୍ତି କେବଳ ପ୍ରାତଃ ଭ୍ରମଣ ଓ ସାନ୍ଧ୍ୟ ଭ୍ରମଣରେ ବାପ୍ ରେ ଆଉ ଚଳି ହେବନି କହି ଗୁଣୁଗୁଣେଇବା ସାର୍ ହେଉଛି। 

ସେଥିପାଇଁ କୁହାଯାଇଛି ଯେ କହିବା କାହାକୁ ଶୁଣିବ ବା କିଏ ?