ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ସ୍ଥାପିତ ହେଲା ଆଉ ଏକ କିର୍ତ୍ତିମାନ, ‘ଏକ୍ସ’ ରେ ଫଲୋଅରଙ୍କ ସଂଖ୍ୟା ୧୦୦ ନିୟୁତ ପାର
ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ସ୍ଥାପିତ ହେଲା ଆଉ ଏକ କିର୍ତ୍ତିମାନ, ‘ଏକ୍ସ’ ରେ ଫଲୋଅରଙ୍କ ସଂଖ୍ୟା ୧୦୦ ନିୟୁତ ପାର

ଲଗାତାର ତୃତୀୟବାର ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦି ତାଙ୍କ ନାମରେ ଆଉ ଏକ ନୂଆ ରେକର୍ଡ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ସବୁଠୁ ଅଧିକ ଫଲୋ ହେଉଥିବା ନେତା ଭାବେ ଉଭା ହୋଇଛନ୍ତି। ଏକ୍ସ ରେ ତାଙ୍କ ଫଲୋଅରଙ୍କ ସଂଖ୍ୟା ୧୦୦ ନିୟୁତ ପାର କରିଯାଇଛି। ଦେଶରେ ବିଭିନ୍ନ ଭାରତୀୟ ରାଜନେତାଙ୍କ ସୋସିଆଲ ମିଡିଆ ଫ୍ଲୋଇଙ୍ଗକୁ ତୁଳନା କଲେ ମୋଦିଙ୍କ ଫଲୋଅରଙ୍କ ସଂଖ୍ୟା ସବୁଠୁ ଅଧିକ।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଏକ୍ସ ରେ ୨୬.୪ ନିୟୁତ ଲୋକେ ଫଲୋ କରୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୨୭.୫ ମିଲିୟନ ଲୋକେ ଫଲୋ କରୁଛନ୍ତି। ସେହିପରି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧୯.୯ ମିଲିୟନ ହୋଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ୭.୪ ମିଲିୟନ ଫଲୋଅର୍ସ ଅଛନ୍ତି। ଫଲୋଅର୍ସଙ୍କ ସଂଖ୍ୟା ୧୦୦ ନିୟୁତ ପାର ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଖୁସି ବ୍ୟକ୍ତ କରିଛନ୍ତି।
ବିଶ୍ୱସ୍ତରରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ(୩୮.୧ ମିଲିୟନ ଫଲୋଅର୍ସ), ଦୁବାଇର ବର୍ତ୍ତମାନ ଶାସକ ଶେଖ ମୋହମ୍ମଦ (୧୧.୨ ମିଲିୟନ ଫଲୋଅର୍ସ) ଓ ପୋପ ଫ୍ରାନ୍ସିସ୍ (୧୮.୫ ମିଲିୟନ ଫଲୋଅର୍ସ)ଙ୍କ ଭଳି ବିଶ୍ୱ ନେତୃତ୍ୱଙ୍କ ଠାରୁ ବେଶ୍ ଆଗରେ। ଏକ୍ସରେ ମୋଦିଙ୍କ ଲୋକପ୍ରିୟତାକୁ ଦେଖି ବିଶ୍ୱ ନେତାମାନେ ସୋସିଆଲ ମିଡିଆରେ ତାଙ୍କ ସହ ସଂଯୁକ୍ତ ହେବା ପାଇଁ ଉତ୍ସୁକ। କାରଣ ମୋଦିଙ୍କ ସହ ସଂଯୁକ୍ତ ହେବା ଯୋଗୁ ସେମାନଙ୍କ ଫଲୋଅର୍ସ, ଏନଗେଜମେଣ୍ଟ ଓ ଭ୍ୟୁ, ରିପୋଷ୍ଟ ଆଦି ବୃଦ୍ଧି ହେଉଛି।
ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱରେ ଲୋକପ୍ରିୟ ଖେଳାଳିଙ୍କଠାରୁ ଏକ୍ସରେ ଫଲୋଅର୍ସ ମାମଲାରେ ଆଗରେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ବିରାଟ କୋହଲି (୬୪.୧ ମିଲିୟନ), ବ୍ରାଜିଲ ଫୁଟବଲର ନେମାର ଜୁନିୟର (୬୩.୬ ମିଲିୟନ), ଆମେରିକୀୟ ବାସ୍କେଟବଲ ଖେଳାଳି ଲେବ୍ରୋନ ଜେମ୍ସ (୫୨.୯ ମିଲିୟନ) ଫଲୋଅର୍ସଙ୍କ ଠାରୁ ମଧ୍ୟ ଅଧିକ ଫଲୋଅର ଅଛନ୍ତି। ସେହିପରି ଟେଲର ସ୍ୱିଫ୍ଟ, ଲେଡି ଗାଗା ଓ କିମ କାର୍ଦ୍ଦସିୟନଙ୍କ ଭଳି ପ୍ରଶିଦ୍ଧ ବ୍ୟକ୍ତିତ୍ୱଙ୍କଠାରୁ ମଧ୍ୟ ମୋଦିଙ୍କ ଫଲୋଅର ସଂଖ୍ୟା ଅଧିକ। ଗତବର୍ଷ ମୋଦିଙ୍କ ଏକ୍ସ ହ୍ୟାଣ୍ଡଲରେ ପାଖାପାଖି ୩୦ ନିୟୁତ ୟୁଜରଙ୍କ ବୃଦ୍ଧି ହୋଇଛି।