ଦର ବଢୁଥିବାରୁ ଘାରିଲାଣି ପିଆଜ ଚିନ୍ତା
ନାସିକରୁ ପିଆଜ ଅନ୍ୟ ରାଜ୍ୟକୁ ଆସୁଥିବାରୁ ବିଭିନ୍ନ ସମୟରେ ଚାଷୀ ଓ ବ୍ୟବସାୟୀମାନେ ରପ୍ତାନିକୁ ବନ୍ଦ କରି ଦର ବଢ଼ାଉଛନ୍ତି ।

ଆଳୁ କଷ୍ଟ ଯାଇନି, ଏବେ ପିଆଜ କନ୍ଦାଇଲାଣି । ଦର ବଢୁଥିବାରୁ ଘାରିଲାଣି ପିଆଜ ଚିନ୍ତା । ଗତ କିଛିଦିନ ହେବ ଭୁବନେଶ୍ୱରରେ ପିଆଜ ଦର ୪୦ରୁ ୪୫ ଟଙ୍କା ଥିଲା । ଏବେ କେଜି ପିଛା ୫୦ ଟଙ୍କା ହୋଇଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସାଧାରଣ ଖାଉଟି । ଏହାପୂର୍ବରୁ ରଜ ବେଳେ ପିଆଜ ଦର ମଧ୍ୟ ୫୦ଟଙ୍କା ଥିଲା ।
ସେ ସମୟରେ ମହାରାଷ୍ଟ୍ରର ନାସିକରେ ପିଆଜ ଦର ବଢ଼ିଥିବାରୁ ଓଡ଼ିଶାରେ ଏହାର ଦର ମଧ୍ୟ ସେହି ଅନୁପାତରେ ବଢ଼ିଥିବା ବ୍ୟବସାୟୀମାନେ କହିଥିଲେ । ଏବେ ପୁଣି ସେହି ସ୍ଥିତି ସୃଷ୍ଟି ହୋଇଛି । ବର୍ଦ୍ଧିତ ଦରଦାମକୁ ନେଇ ଅତିଷ୍ଠ ଖାଉଟିଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡ଼ା ହୋଇଛି।
ରାଜ୍ୟରେ ବାର୍ଷିକ ପ୍ରାୟ ୪ ଲକ୍ଷ ମେଟ୍ରିକ ଟନ୍ ପିଆଜ ଆବଶ୍ୟକ ପଡ଼ିଥାଏ । ଭୁବନେଶ୍ୱରକୁ ଦୈନିକ ୨୫୦ରୁ ୩ଶହ ଟନ୍ ପିଆଜ ଆସିଥାଏ । ନାସିକ ସମେତ ଉତ୍ତରପ୍ରଦେଶ, ବେଙ୍ଗାଲୁରୁ ଓ ଦିଲ୍ଲୀରୁ ମଧ୍ୟ ପିଆଜ ଆସେ । ହେଲେ ନାସିକରେ ଦର ଅଧିକ ଥିବାରୁ ପିଆଜ ଦର ବଢ଼ି ଯାଇଛି । ତେବେ ଗୋଦାମରେ ପାଇକାରୀ ଦର ୩୨ଟଙ୍କା ରହିଥିବା କୁବେରପୁରୀ ବ୍ୟବସାୟୀ ସଂଘର ଶକ୍ତି ଶଙ୍କର ମିଶ୍ର କହିଛନ୍ତି । ଯଦି ପାଇକାରୀ ଦର ୩୨ ତେବେ ହାଟରେ ଦର ୫୦ ଟଙ୍କା କାହିଁକି ବୋଲି ଖାଉଟିଙ୍କ ପ୍ରଶ୍ନ । ଅନ୍ୟ ପରିବା ଦର ବଢ଼ୁଥିବାରୁ ଏହାର ଫାଇଦା ମୁନାଫାଖୋର ବ୍ୟବସାୟୀମାନେ ନେଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । ପିଆଜ ଦର ବଢ଼ୁଥିବାରୁ ଏହାର ସିଧାସଳଖ ପ୍ରଭାବ ଏବେ ହାଣ୍ଡିଶାଳ ସମେତ ରାସ୍ତାପାଶ୍ୱର୍ ଖାଦ୍ୟ ପସରା ଉପରେ ପଡ଼ିଛି । ଚାଟ୍, ଗୁପଚୁପ୍ ସହ ଅନ୍ୟ ଚଟପଟା ଖାଦ୍ୟରେ ପିଆଜ ପରିମାଣ କମିବାରେ ଲାଗିଛି । ଏ ସଂକ୍ରାନ୍ତରେ ରାଜ୍ୟ ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ପିଆଜ ଆମଦାନୀ ଠିକ୍ ଚାଲିଛି । ଦୈନିକ ୧୦ରୁ ୧୫ ଗାଡ଼ି ଆସୁଛି । ମହାରାଷ୍ଟ୍ର ଚାଷୀ ସରକାରଙ୍କ ନିକଟରେ ଏମ୍ଏସପି ବୃଦ୍ଧି ପାଇଁ ଦାବି କରିଛନ୍ତି ।
ନାସିକରୁ ପିଆଜ ଅନ୍ୟ ରାଜ୍ୟକୁ ଆସୁଥିବାରୁ ବିଭିନ୍ନ ସମୟରେ ଚାଷୀ ଓ ବ୍ୟବସାୟୀମାନେ ରପ୍ତାନିକୁ ବନ୍ଦ କରି ଦର ବଢ଼ାଉଛନ୍ତି । ଯାହାର ପ୍ରଭାବ ଆମ ଉପରେ ପଡ଼ିଛି ।