ନିର୍ମାଣାଧୀନ ହୋଟେଲର ଛାତ ଭୁଶୁଡ଼ି ଜଣେ ମୃତ, ୨ ଗୁରୁତର

ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ଦୁଇଟି ଯାକ ହାତ କଟି ଯାଇଛି।

ନିର୍ମାଣାଧୀନ ହୋଟେଲର ଛାତ ଭୁଶୁଡ଼ି ଜଣେ ମୃତ, ୨ ଗୁରୁତର

ଢ଼େଙ୍କାନାଳ ସହରର ମହିଷାପାଟରେ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଘଟିଛି ବଡ଼ ଧରଣର ଅଘଟଣ। ଏକ ନିର୍ମାଣାଧୀନ ୫ ମହଲା ବିଶିଷ୍ଟ ହୋଟେଲ କୋଠାର ପୋର୍ଟିକର ଛାତ ପଡ଼ୁଥିବା ବେଳେ ତାହା ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଭଗ୍ନାବଶେଷ ତଳେ ଆହୁରି ତିନି/ଚାରି ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି।

ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ଦୁଇଟି ଯାକ ହାତ କଟି ଯାଇଛି। ଡାହାଣ ହାତଟି କହୁଣୀ ପାଖରୁ କଟି ଯାଇଥିବା ବେଳେ ବାମ ହାତଟି ପାପୁଲି ପାଖରୁ କଟି ଯାଇଛି। ଉଭୟଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଅଗ୍ନିଶମ ବାହିନୀ ଓ ଓଡ୍ରାଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପୁଲିସ ଅଧିକାରୀମାନେ ସେଠାରେ ଉପସ୍ଥିତ ଅଛନ୍ତି।ଢେଙ୍କାନାଳ ଓ ଗଂଦିଆ ଅଗ୍ନିଶମ ବାହିନୀ ସହିତ କଟକରୁ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ଦୁଇଟି ଜେସିବି ଓ ଗୋଟିଏ ହାଇଡ୍ରା ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି। ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି। ଜିଲ୍ଲାପାଳ ଓ ଏସପି ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି। କେଉଁ ପରିସ୍ଥିତିରେ ଏତେବଡ଼ ଅଘଟଣ ଘଟିଲା ତାର ତଦନ୍ତ କରାଯିବ ଓ ନିମ୍ନମାନର କାମ ହୋଇଥିବା ଜଣାପଡ଼ିଲେ ଦୋଷୀଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପ-ଜିଲ୍ଲାପାଳ।

ସୂଚନାଯୋଗ୍ୟ, ପୋର୍ଟିକର ଛାତ ସହିତ ଏହାର ୪ଟି ବଡ଼ ବଡ଼ (ପ୍ରାୟ ୪୦/୫୦ ଫୁଟ୍) ପିଲାର ମଧ୍ୟ ଭାଙ୍ଗି ଯାଇଛି।