ଭାରତକୁ ଚନ୍ଦ୍ରଯାନ-୩ ଟେକ୍ନୋଲୋଜି ମାଗିଥିଲା ନାସା
ଭାରତକୁ ଚନ୍ଦ୍ରଯାନ-୩ ଟେକ୍ନୋଲୋଜି ମାଗିଥିଲା ନାସା: ଇସ୍ରୋ ମୁଖ୍ୟ

ଚନ୍ଦ୍ରଯାନ-୩ର ସଫଳତା ଭାରତର ଅଭିବୃଦ୍ଧିକୁ ଏକ ମାଇଲେଜ୍ ଦେଇଛି। ଏହି ସଫଳତାରେ ଭାରତର ମହାକାଶ ପ୍ରଯୁକ୍ତିବିଦ୍ୟାକୁ ପ୍ରଶଂସା କରିବାକୁ ବାଧ୍ୟ ହୋଇଛି ସାରା ବିଶ୍ୱ। ଆଉ ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ମଧ୍ୟ ଦ୍ୱିଗୁଣିତ ହୋଇଯାଇଛି। କାରଣ ବିଶ୍ୱ ସର୍ବ ଶ୍ରେଷ୍ଠ ମହାକାଶ ଅନୁସନ୍ଧାନ ସଂସ୍ଥା ନାସା ଇସ୍ରୋକୁ ସହାୟତା ମାଗିଛି।
ଆମେରିକାର ମହାକାଶ ଅନୁସନ୍ଧାନ ସଂସ୍ଥା ନାସା ଚନ୍ଦ୍ରଯାନ-୩ରେ ବ୍ୟବହୃତ ଯନ୍ତ୍ରପାତି ମାଗିଥିବା ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ଚନ୍ଦ୍ରଯାନ-୩ ମିଶନ ପାଇଁ ମହାକାଶଯାନ ପ୍ରସ୍ତୁତ କରାଯାଉଥିଲା, ସେତେବେଳେ ଆମେରିକୀୟ ବିଶେଷଜ୍ଞମାନେ ଭାରତ ଏହି ଟେକ୍ନୋଲୋଜି ସମ୍ବନ୍ଧୀୟ ସୂଚନା ଆମେରିକା ସହ ଶେଆର୍ କରିବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ।
ଅବଦୁଲ କଲାମ ଫାଉଣ୍ଡେସନର କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଏହି ଖୁଲାସା କରିଛନ୍ତି ସୋମନାଥ। ଗତକାଲି(ଅକ୍ଟୋବର ୧୫)ରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ୯୨ତମ ଜନ୍ମ ବାର୍ଷିକୀ ଥିଲା। ଏହି ଅବସରରେ ଅବଦୁଲ କଲାମ ଫାଉଣ୍ଡସେନ ଏକ କାର୍ୟ୍ୟକ୍ରମର ଆୟୋଜନ କରିଥିଲା। କଲାମଙ୍କ ଜନ୍ମ ଜୟନ୍ତୀଙ୍କୁ ବିଶ୍ୱ ବିଦ୍ୟାର୍ଥୀ ଦିବସ ରୂପେ ମଧ୍ୟ ପାଳନ କରାଯାଏ।
ଏହି କାର୍ୟ୍ୟକ୍ରମରେ ଇସ୍ରୋ ମୁଖ୍ୟ ଯୋଗଦେଇ କହିଛନ୍ତି, ବର୍ତ୍ତମାନ ସମୟ ବଦଳିଛି। ଆମ ଦେଶ ଖୁବ୍ ଶକ୍ତିଶାଳୀ। ଭାରତ ସର୍ବୋତ୍ତମ ରକେଟ୍ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ତିଆରି କରିବାରେ ସକ୍ଷମ ହୋଇପାରିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘରୋଇ ବ୍ୟବସାୟଙ୍କ ପାଇଁ ସ୍ପେସ୍ ଫିଲ୍ଡ ମଧ୍ୟ ଖୋଲିଛନ୍ତି। ଆମର ଜ୍ଞାନ ଏବଂ ବୁଦ୍ଧି ସ୍ତର ବିଶ୍ୱର ସର୍ବୋତ୍ତମମାନଙ୍କ ମଧ୍ୟରେ ରହିଛି।