ଜୁଲାଇ ୧ରେ ଓଟିଇଟି ପରୀକ୍ଷା

ଜୁଲାଇ ୧ ରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ୨୦୨୨ ଅନୁଷ୍ଠିତ ହେବ ।

ଜୁଲାଇ ୧ରେ ଓଟିଇଟି ପରୀକ୍ଷା

କଟକ: ଜୁଲାଇ ୧ ରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ୨୦୨୨ ଅନୁଷ୍ଠିତ ହେବ । ଦୁଇଟି ବର୍ଗରେ ହେଉଥିବା ଓଟିଇଟି ୧-ଏବଂ ଓଟିଇଟି -୨ ପରୀକ୍ଷା ଗୋଟିଏ ଦିନରେ ଦୁଇଟି ସିଟିଂରେ ହେବ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଟିଇଟି -୧ ପରୀକ୍ଷା ସକାଳ ୮ ଟାରୁ ସାଢ଼େ ୧୦ଟା ପର୍ୟ୍ୟନ୍ତ ଏବଂ ଓଟିଇଟି-୨ ପରୀକ୍ଷା ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୨ଟା ୩୦ ମି ପର୍ୟ୍ୟନ୍ତ ଚାଲିବ । ଏହି ଦୁଇଟି ବର୍ଗରେ ପରୀକ୍ଷା ଦେବା ଲାଗି ରାଜ୍ୟରେ ଦେଢ଼ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଆବେଦନ କରିଥିବା ସୂଚନା ମିଳିଛି । ଏଥିଲାଗି ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ୍‌ ଆଦିରେ ୩୦୭ କେନ୍ଦ୍ର କରାଯାଇଛି । ପରୀକ୍ଷାରେ କପି ନିୟନ୍ତ୍ରଣ ଏବଂ ଅନିୟମିତତା ରୋକିବା ପାଇଁ ବୋର୍ଡ ପକ୍ଷରୁ ୩୬ଟି ସ୍କ୍ୱାଡ୍‌ ଗଠନ କରାଯାଇଛି । ସେହିପରି ଜିଲ୍ଲାସ୍ତରରେ ଡିଇଓମାନଙ୍କ ଦ୍ୱାରା ପୃଥକ ସ୍କ୍ୱାଡ୍‌ ଏବଂ ପର୍ୟ୍ୟବେକ୍ଷକ ନିୟୋଜିତ କରାଯାଇଛି । ପରୀକ୍ଷାର୍ଥୀମାନେ ବୋର୍ଡ ୱେବ୍‌ସାଇଟ୍‌ରୁ ସେମାନଙ୍କ ଆଡମିଡ୍‌ କାର୍ଡ ଡାଉନ୍‌ଲୋଡ କରି ପାଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଏହି ପରୀକ୍ଷାରେ ପ୍ରଥମଥର ପାଇଁ ଏଥର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀଙ୍କୁ ସୁଯୋଗ ଦିଆଯାଇଛି । ପୂର୍ବରୁ ଏହି ଡିଗ୍ରୀଧାରୀମାନେ ଓଟିଇଟି ଆବେଦନରୁ ବଞ୍ଚିତ ହୋଇଆସୁଥିଲେ । ତେବେ ଉକ୍ତ ଡିଗ୍ରୀଧାରୀଙ୍କୁ ଓଟିଇଟିରେ ସୁଯୋଗ ଦେବା ଲାଗି ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ବିଧିବଦ୍ଧ ଭାବେ ନିଷ୍ପତ୍ତି ନେବା ପରେ ଗତ ୨୩ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବୋର୍ଡ କର୍ତ୍ତୃପକ୍ଷ ଜୁଲାଇ ୧ ତାରିଖକୁ ଘୁଞ୍ଚାଇ ଦେଇଥିଲେ