କାଶତଣ୍ଡୀରେ ସଜେଇ ହେଲାଣି ଧରଣୀରାଣୀ

ମା’ ଆସୁଛନ୍ତି: କାଶତଣ୍ଡୀରେ ସଜେଇ ହେଲାଣି ଧରଣୀରାଣୀ ଶରତ ଋତୁର ଆଗମନରେ

କାଶତଣ୍ଡୀରେ ସଜେଇ ହେଲାଣି ଧରଣୀରାଣୀ

ଆସୁଛନ୍ତି ମା' ଜଗତ ଜନନୀ। ମନମୋହୁଛି କାଶତଣ୍ଡୀ। କାଶଦଣ୍ଡୀ ଫୁଟିଲେ ଆଶ୍ଵିନ ମାସ ତଥା ଶରତ ଋତୁର ଆଗମନ ହୋଇଥାଏ। କେହି କେହି କାଶତଣ୍ଡୀକୁ ପ୍ରେମିକା ବୋଲି କୁହନ୍ତି। ଅଭିମାନୀ ପ୍ରେମିକାର ମାନ ଭଞ୍ଜନ ପାଇଁ ପ୍ରେମିକ ଟିଏ ତାର ପ୍ରେମିକାର କାନ ତଳେ କାଶତଣ୍ଡୀର କଅଁଳ ସ୍ପର୍ଶ ଦେଇ ତାକୁ ମନାଇ ଦିଏ । ଆଉ କାଶତଣ୍ଡୀ ପ୍ରେମର ସାକ୍ଷୀ ହୋଇ ରହିଯାଏ ନଦୀ ପଠାରେ । କାଶତଣ୍ଡି ଫୁଲକୁ ନଦୀ ପଠାରେ ଦେଖି କବିର ମନ ଭାବୁକ ଓ ଆନମନା ହୋଇ ଉଠେ।

କଟକ ଜିଲ୍ଲାର ସାଲେପୁର ବ୍ଲକ ଦେଇ ପ୍ରବାହିତ ମହାନଦୀ, ଚିତ୍ରୋତ୍ପଳା, ବିରୂପାନଦୀ ପଠାର ରାସ୍ତା କଡ଼ରେ ଓ କେନାଲ କଡ କାଶତଣ୍ଡି ଫୁଲର ଧବଳ ଚାଦରରେ ସଜେଇ ହେଲାଣି ପ୍ରକୃତିରାଣୀ। ସତେ ଲାଗୁଛି ଜଗତଜନନୀ ମା' ଦୁର୍ଗାଙ୍କ ଆଗମନକୁ ଚାହିଁ ରହି ନଦୀପଠା ଠାରୁ ରାସ୍ତା କଡରେ ଦୋଳି ଖେଳୁଛି କାଶତଣ୍ଡୀ ଫୁଲ । ଦୂରରୁ ଦେଖିଲେ ଲାଗୁଛି ସତେ ଯେମିତି ଧରଣୀ ରାଣୀ ଉପରେ ଢାଙ୍କି ହୋଇପଡିଛି ଧବଳ ଚାଦର ଟିଏ । ଆଉ ପାଖରୁ ଦେଖିଲେ ମନ ଆନ ମନା ହୋଇ ଉଠୁଛି । ସିଏ ହେଉଛି ବାସହୀନ କାଶତଣ୍ଡୀ । ଦେବ ପୂଜାରେ ଲାଗେନି ସତ ହେଲେ ଶରତ ଋତୁରେ ଧରାପୃଷ୍ଠରେ ସୌନ୍ଦର୍ଯ୍ୟ ମଣ୍ଡନ କରେ ।

ମାଟିକୁ ଶରତ ସ୍ପର୍ଶ କରିବା ପରେ ଏବେ ସବୁଠି କାଶତଣ୍ଡୀର ସମ୍ଭାର । ସୈାନ୍ଦର୍ଯ୍ୟର ଅପରୂପ ମନୋହର ଦୃଶ୍ୟ ବାଟୋଇକୁ ଫଟୋଟିଏ ନିଜ କ୍ୟାମେରାରେ କଏଦ କରିବା ପାଇଁ ଅଟକାଇ ଦେଉଛି। ଆଉ କବିଙ୍କୁ ନିଜର ସୌନ୍ଦର୍ଯ୍ୟକୁ କବିତା ମାଧ୍ୟମରେ ବର୍ଣ୍ଣନା କରିବାକୁ ବାଧ୍ୟ କରୁଛି । କାଶତଣ୍ଡି ଫୁଲ ଉପରେ ଜହ୍ନର ଆଲୋକ ପଡ଼ିଲେ ବାଟରେ ଯାଉଥିବା ପଥିକ ନିହାତି ଘଡ଼ିଏ ଅନାଇ ରହୁଛି।

ଜଗତଜନନୀ ମା ଦୁର୍ଗାଙ୍କ ଆଗମନରେ ପୁଲକିତ ହୋଇ ଧରଣୀ ରାଣୀ କାଶତଣ୍ଡି ଫୁଲ ଧୋବ ଫରଫର ଗାଲିଚା ବିଛେଇ ଚାହିଁ ରହିଥାଏ। ଫୁଲ ଉପରେ ଜହ୍ନର ଆଲୋକ ପଡ଼ିଲେ ବାଟରେ ଯାଉଥିବା ପଥିକ ନିହାତି ଘଡ଼ିଏ ଅନାଇ ରହିଥାଏ।