ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା ମଧୁସ୍ମିତା ପରିଡା
ଆତ୍ମହତ୍ୟା ପୂର୍ବରୁ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ରେ ଜୀବନର ଶେଷ ଭିଡିଓ ଶେୟାର କରିଥିଲେ ସାମ୍ୱାଦିକ ମଧୁସ୍ମିତା ପରିଡ଼ା ।

ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା ମଧୁସ୍ମିତା ପରିଡା । ବାପୁଜୀନଗର ରେଳ ଧାରଣାରୁ ମିଳିଲା ମୃତଦେହ । ସାମ୍ବାଦିକାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ଜିଆରପି ଓ କ୍ୟାପିଟାଲ ଥାନା ପୋଲିସର ତଦନ୍ତ । ସାମ୍ବାଦିକା ଜଣକ ଗତ ମାର୍ଚ୍ଚ ମାସ ୧ ତାରିଖରେ ବିବାହ କରିଥିଲେ । ମଧୁସ୍ମିତାଙ୍କ ଘର ଗଞ୍ଜାମରେ । ସେ ଭୁବନେଶ୍ୱରର ସାମନ୍ତରାପୁରରେ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କ ୫ ବର୍ଷର ପ୍ରେମ ସମ୍ପର୍କ ପରବର୍ତ୍ତୀ ସମୟରେ ବିବାହର ରୂପ ନେଇଥିଲା । ହେଲେ ତାଙ୍କ ସ୍ୱାମୀ ତାଙ୍କୁ ଧୋକ୍କା ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ତାଙ୍କର ବେଷ୍ଟ ସାଙ୍ଗଙ୍କୁ ତାଙ୍କ ସ୍ୱାମୀ ପ୍ରେମ କରୁଛନ୍ତି । ସେଥିପାଇଁ ମଧୁସ୍ମିତାଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା କରୁଛନ୍ତି । ଯେଉଁଥିପାଇଁ ଆତ୍ମହତ୍ୟାର ରାସ୍ତା ବାଛିଥିବା ମଧୁସ୍ମିତା ମୃତ୍ୟୁ ପୂର୍ବରୁ ଜାରୀ କରିଥିବା ଏକ ଭିଡିଓରେ କହିଛନ୍ତି । ଆତ୍ମହତ୍ୟା ପୂର୍ବରୁ ଶେଷ ଭିଡିଓ ଛାଡିଥିଲେ ସାମ୍ୱାଦିକ ମଧୁସ୍ମିତା ପରିଡ଼ା । ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ରେ ଜୀବନର ଶେଷ ଭିଡିଓ ଶେୟାର କରି କହିଲେ,
ସରି ମମି ସରି। ମୋତେ କ୍ଷମା କରିଦେବୁ ।
ଭୁଲିଯିବୁ ତୋର ଗୋଟିଏ ଝିଅ ଥିଲା ବୋଲି….
ନିଜ ସ୍ୱାମୀଙ୍କ ଅନୈତିକ ପ୍ରେମ କାହାଣୀ ଜାଣିବା ପରେ ସାମ୍ୱାଦିକା ଜଣକ ଭିଡିଓ ଜାରି କରି ଟ୍ରେନ୍ ଲାଇନ୍କୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମଧୁସ୍ମିତା ପରିଡ଼ା ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲ୍ରେ ଚାକିରି କରନ୍ତି । ଅସୁସ୍ଥତା ପାଇଁ ଆଜି ସେ ଅଫିସ୍ ଯାଇନଥିଲେ । ଅପରାହ୍ନରେ ସେ ନିଜ ରୁମ୍ରେ ଜୀବନର ଶେଷ ଭିଡିଓ ଶୁଟ୍ କରିଥିଲେ । ସେ ଭିଡିଓକୁ ନିଜ ଇନଷ୍ଟାଗ୍ରାମ୍ରେ ଅପ୍ଲୋଡ କରିଥିଲେ । ତା’ପରେ ବାପୁଜୀ ନଗର ନିକଟସ୍ଥ ରେଳ ଧାରଣାରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି । ତାଙ୍କର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଛି । ଭିଡିଓରେ ମଧୁମିତା କହିଛନ୍ତି, …. ଯାହାବି କରିବାକୁ ଯାଉଛି ସମସ୍ତଙ୍କୁ ସରି । ଦୁନିଆରେ ଏତେ ଫ୍ରଡ୍ ଲୋକ ଅଛନ୍ତି ବୋଲି କେବେ ଜାଣିନଥିଲି । ୫ ବର୍ଷ ଧରି ରିଲେସନ୍ରେ ରହିବା ପରେ ବାହା ହୋଇଥିଲି । ହେଲେ ମୋ’ ସ୍ୱାମୀ ମୋତେ ଧୋକ୍କା ଦେଉଛନ୍ତି । ସେ ଆଉ ଜଣଙ୍କ ସହ ରିଲେସନ୍ରେ ଅଛନ୍ତି । ମୋ ସାଙ୍ଗ ସହିତ ରାତି ଗୋଟାଏ, ଦୁଇଟା ପର୍ଯ୍ୟନ୍ତ ଗପୁଛନ୍ତି । ଏ ସମ୍ପର୍କରେ ମୁଁ ଜାଣିନେଲି । ସେଇଟା ମୋର ସବୁଠାରୁ ବଡ଼ ଭୁଲ ହେଲା । ଏବେ ସେ କହୁଛନ୍ତି ମୋ ସହିତ ରହିବେନି । ଡିଭର୍ସ ଦେବେ ବୋଲି କହୁଛନ୍ତି । ତାଙ୍କୁ ସମସ୍ତେ ବୁଝାଇ ସାରିଲେଣି । ହେଲେ ସେ ବୁଝୁ ନାହାନ୍ତି । ୧୦ ଦିନ ଛୁଟିରେ ଆସି ଖାଲି ଝଗଡ଼ା କରୁଛନ୍ତି ।
ସେଥିପାଇଁ ମୁଁ ଅଫିସ୍ ଯାଇପାରୁନି…….
ମ୍ୟାରେଜ ପରେ କାହିଁକି ଏମିତି କହୁଛନ୍ତି ?
ଯଦି ଏମିତି କରିବାର ଥିଲା, ତାହାହେଲେ କାହିଁକି ମୋତେ ବାହା ହେଉଥିଲେ ?
ମୋତେ କ୍ଷମା କରିଦିଅ ମମି…
ମୁଁ ନିଜକୁ ସମ୍ଭାଳି ପାରୁନି…
ଆଜି ଯାହା ହେବ ମମି ମୋତେ କ୍ଷମା କରିଦେବୁ ।
ଭୁଲିଯିବୁ ତୋର ଗୋଟିଏ ଝିଅ ଥିଲା ବୋଲି । ସମସ୍ତଙ୍କୁ କ୍ଷମା ମାଗୁଛି ବୋଲି ଭିଡିଓରେ ମଧୁମିତା କାନ୍ଦି କାନ୍ଦି କହିଛନ୍ତି । ତେବେ ଏହି ଭିଡିଓ ଦେଖି ସମସ୍ତେ ମର୍ମାହତ ହୋଇଛନ୍ତି । ଅପରପକ୍ଷେ ମଧୁସ୍ମିତାଙ୍କ ସ୍ବାମୀ ଏହାକୁ ଖଣ୍ଡନ କରୁଥିବା ବେଳେ ମାଧସ୍ମିତା ଙ୍କ ଭଉଣୀ ଓ ବାପା ଏହାକୁ ଏକ ହତ୍ୟାକାଣ୍ଡ ବୋଲି କହିଛନ୍ତି । ତେବେ ବାପୁଜୀନଗର ରେଳ ଧାରଣାରୁ ସାମ୍ବାଦିକା ମଧୁସ୍ମିତା ପରିଡା ଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଜିଆରପି ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ଏହି ଘଟଣା ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟର ସାମ୍ବାଦିକ ମହଲରେ ଏକପ୍ରକାର ଶୋକର ଛାୟା ଖେଳିଯାଇଛି ।