ଜମି ରୁ ମାଟି ତାଡିନେଲେ ମାଟି ମାଫିଆ

ଭୁବନେଶ୍ୱର ରେ ଜମି ମାଲିକ, ହେଲେ ପାରାଦୀପ ଜମିରୁ ମାଟି ଗାୟବ, ଚିନ୍ତାରେ ଜମି ମାଲିକ

ଜମି ରୁ ମାଟି ତାଡିନେଲେ ମାଟି ମାଫିଆ

ମାଲିକ ଭୁବନେଶ୍ୱର ରେ, କିନ୍ତୁ ପାରାଦୀପ ଜମିରୁ ମାଟି ତାଡିନେଲେ ମାଟି ମାଫିଆ

ଗତ କିଛି ବର୍ଷ ହେବ ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରକାରର କଳା କେଳେଙ୍କାରୀ ସାମ୍ନା କୁ ଆସିବାରେ ଲାଗିଛି। କେତେକ ଅସାମାଜିକ ଲୋକେ ପଇସା ରୋଜଗାର କରିବା ନିଶାରେ ନିଜର ହିତାହିତ ଜ୍ଞାନ ଭୁଲି ବିଭିନ୍ନ ପ୍ରକାରର କେଳେଙ୍କାରୀ ରେ ସମ୍ପୃକ୍ତ ରହି ନାନା କିସମର ସମସ୍ୟା ସୃଷ୍ଟି କରୁଛନ୍ତି। ଯେହେତୁ ପାରାଦୀପ ଏକ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ରୂପେ ଉଭା ହୋଇଛି ତେଣୁ ଏହାର ଆଖପାଖ ଅଞ୍ଚଳରେ ଜମି ର ମୂଲ୍ୟ ମଧ୍ୟ ଅମୁଲ୍ୟ ମୂଲ୍ୟ ରହିଛି। ତେବେ ଏନେଇ କେତେକ ବାପା ଅଜା ଜେଜେ ଅମଳର ପୁରୁଖା ଜମି ମାଲିକ ନିଜର ଜମି କାହାକୁ ହସ୍ତାନ୍ତର ନ କରି ପକାଇ ରଖିଛନ୍ତି ଭବିଷ୍ୟତ ରେ କୌଣସି ଶିଳ୍ପାନୁଷ୍ଠାନ କୁ ହସ୍ତାନ୍ତର କରିବା ଉଦ୍ଦେଶ୍ୟରେ। ଯେହେତୁ ଏହିପରି କେତେକ ମାଲିକ ପାରାଦୀପ ଠାରେ ରହୁଥିବା ବେଳେ ଅନ୍ୟ କେତେକ ମାଲିକ ବିଭିନ୍ନ ବ୍ୟବସାୟ କାର୍ଯ୍ୟ ରେ କଟକ ଭୁବନେଶ୍ୱର ରେ ରହୁଛନ୍ତି। ତେବେ ଏସବୁ ଖବର କାହା ପାଖରେ ନଥିବା ବେଳେ ମାଟି ମାଫିଆ ମାନଙ୍କ ପାଖରେ କିନ୍ତୁ ବରାବର ରହିଛି। ନିକଟରେ ଏହିପରି କେଳେଙ୍କାରୀ କରି କେତେକ ମାଟି ମାଫିଆ ବନ୍ଧା ହୋଇଥିବା ବେଳେ ଏବେ ପୁଣି ଏକ କେଳେଙ୍କାରୀ ସାମ୍ନା କୁ ଆସିଛି।

ଘଟଣା ରୁ ଜଣାପଡିଛି ଯେ ପାରାଦୀପ ଉପକଣ୍ଠ ନୂଆଗଡ ମୌଜା ରେ ଖାତା ନମ୍ବର ୪୧, ପ୍ଲଟ୍ ନମ୍ବର ୫୮, ଥିବା ପ୍ରାୟ ୩ଏକର ୫୪ ଡେସି ମିଟର ଜମି ସ୍ବର୍ଗତ କ୍ଷେତ୍ର ବାସୀ ପଟ୍ଟନାୟକ ଙ୍କ ନାମରେ ରହିଛି। ଯେହେତୁ ଏହି ଜମି ବହୁ ପୁରାତନ ଜମି ସେଥିପାଇଁ ତା'ର ରକ୍ଷଣାବେକ୍ଷଣ ପ୍ରତିଷ୍ଠିତ ବ୍ୟବସାୟୀ ତଥା ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବିକାଶ କୁମାର ପଟ୍ଟନାୟକ ଙ୍କ ତତ୍ତ୍ୱାବଧାନରେ ରହିଛି। କିନ୍ତୁ କିଛି ବର୍ଷ ହେବ ବିକାଶ ପଟ୍ଟନାୟକ ବ୍ୟବସାୟୀକ ଦୃଷ୍ଟି କୋଣରୁ ଭୁବନେଶ୍ୱର ରେ ରହୁଛନ୍ତି। ଯଦିଓ କିଛି ବର୍ଷ ହେବ ପାରାଦୀପ ଉପକଣ୍ଠ ତାଙ୍କ ବାସଭବନ ବାଲଢିଆ ଅଞ୍ଚଳ କୁ ଆସି ନଥିଲେ ସେଥିପାଇଁ ତାଙ୍କ ସମ୍ପତ୍ତି କୁ ଠିକ୍ ଠାକ୍ ରକ୍ଷଣାବେକ୍ଷଣ କରି ପାରିନଥିଲେ। ତେବେ ଗତ ମାସ ତାଙ୍କ ବଡ ଭାଇଙ୍କ ଦେହାନ୍ତ ହେବା ପରେ ବିକାଶ ପଟ୍ଟନାୟକ ପ୍ରାୟ ୧୫ଦିନ ହେବ ନିଜ ପୈତୃକ ବାସଭବନ ରେ ଅବସ୍ଥାନ କରୁଛନ୍ତି। ବଡ଼ ଭାଇଙ୍କ ର କ୍ରିୟା କର୍ମ ସରିବା ପରେ ବିକାଶ ପଟ୍ଟନାୟକ ହଠାତ୍ ଜାଣିବାକୁ ପାଇଲେ ଯେ ଗତ କିଛି ମାସ ତଳୁ ତାଙ୍କ ଜମିରୁ ମାଟି ମାଫିଆ ମାନେ ମାଟି ତାଡି ବିକି ଦେଇଛନ୍ତି। କାହିଁକି ନା ପାରାଦୀପ ସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଏବେ ସଂପ୍ରସାରଣ କାର୍ଯ୍ୟ ବେଶ୍ ଜୋର୍ ସୋର୍ ରେ ଚାଲିଛି। ଏଥି ପାଇଁ ପ୍ରାଥମିକ ସ୍ତରରେ କେତେକ ଖାଲୁଆ ଯାଗା ପୁରଣ ପାଇଁ ଅପର୍ଯ୍ୟାପ୍ତ ମାଟି ର ଆବଶ୍ୟକତା ରହିଛି। କିନ୍ତୁ ଏହି ଆବଶ୍ୟକତା ମାଟି ଉଠାଇବା ପାଇଁ କେତେକ କାଇଦା କାନୁନ୍ ରହିଛି, ତାଛଡା ସ୍ଥାନୀୟ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ତତ୍ତ୍ଵାବଧାନରେ ସରକାରୀ ନିୟମ ପାଳନ କରି ସ୍ବତନ୍ତ୍ର ଅନୁମତିରେ ଏହି ମାଟି ଉଠାଯିବା କଥା ଏବଂ ଏଥିପାଇଁ ଜମି ମାଲିକ ଙ୍କ ସହମତି ନିହାତି ଆବଶ୍ୟକ। କିନ୍ତୁ ସେସବୁକୁ ଖାତିର ନକରି ମାଟି ତଡା ମାଫିଆ ମାନେ ଜମି ମାଲିକ ଙ୍କ ଅନୁପସ୍ଥିତିରେ ଓ ଅଗୋଚରରେ ମେସିନ୍ ଲଗାଇ ଶହ ଶହ ଟ୍ରିପ୍ ମାଟି ତାଡି ତାକୁ ରାତା ରାତି ଚୋରା ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି। ଏନେଇ ବିକାଶ ପଟ୍ଟନାୟକ ଗତ କିଛି ଦିନ ହେବ ଖୋଳତାଡ଼ କରିବା ପରେ ନୂଆଗଡ ଅଞ୍ଚଳର ଅଜୟ ବେହେରା ଓ ତାର କେତେକ ସ୍ଥାନୀୟ ସହଯୋଗୀ ଏହି ମହାନ୍ କାର୍ଯ୍ୟ କୁ ସମ୍ପାଦନ କରିଥିବାର ଜାଣିବାକୁ ପାଇଛନ୍ତି। ତେବେ ଅଜୟ ବେହେରା ନାମରେ ଅନେକ ମାଟି ତଡା କେଳେଙ୍କାରୀ ରହିଥିବାର ଜଣା ପଡ଼ିବା ପରେ ତାର ମୁଣ୍ଡରେ କାହାର ହାତ ରହିଛି ଓ କାହା ଛତ୍ରଛାୟା ତଳେ ରହି କେଉଁ ସାହାସ ବଳରେ ଅଜୟ ଏପରି ଦୁଃସାହସ କାର୍ଯ୍ୟ କରିଛି ସେନେଇ ବିକାଶ ପଟ୍ଟନାୟକ ତନାଘନା କରୁଛନ୍ତି। ଯଦି ନିୟମ ପାଳନ କରାଯାଏ ତାହେଲେ ସମସ୍ତ ଙ୍କୁ ତାଙ୍କର ପ୍ରାପ୍ୟ ଦେବାକୁ ପଡ଼ିବ କିନ୍ତୁ ଯଦି ଚୋରାରେ ରାତି ଅଧିଆ ମାଟି ତାଡି ବିକି ଦିଆଯାଏ ତାହେଲେ କାହାକୁ ବି ଟଙ୍କାଟିଏ ଦେବାକୁ ପଡ଼ିବ ନାହିଁ ସିଧାସଳଖ ମୋଟା ଅଙ୍କର ଅର୍ଥ ସିଧା ସଳଖ ମାଟି ମାଫିଆ ମାନଙ୍କ ପକେଟକୁ ଯିବ। ଏବଂ ଭଲ ପଇସା ମଧ୍ୟ ରୋଜଗାର ହେବ ଯାହାକି ଏହି କ୍ଷେତ୍ରରେ ହୋଇଛି। ସ୍ଥାନୀୟ ପାରାଦୀପ ଗଡ଼, ନୂଆଗଡ, ବାଲିଡିଆ, ଏବଂ ଚୁନ କତକୁଲା ଅଞ୍ଚଳର ପେଶାଦାର ଅପରାଧୀ ମାନେ ଏକ ସିଣ୍ଡିକେଟ କରି ଏହି ରାତି ଅଧିଆ ଅପରେସନ କୁ ଅଞ୍ଜାମ ଦେଉଛନ୍ତି। ଯଦି କେହି ଏନେଇ ମୁହଁ ଖୋଲୁଛି ତାକୁ ମାରଣାସ୍ତ୍ର ଦେଖାଇ ଭୟ ସଞ୍ଚାର କରିବା ସହିତ ଜୀବନ ରେ ମାରି ଦେବାକୁ ମଧ୍ୟ ଧମକ ଦେଉଛନ୍ତି। ତେବେ ଏସବୁକୁ ଖାତିର ନକରି ବିକାଶ ପଟ୍ଟନାୟକ ତାଙ୍କ ଜମିର କ୍ଷତିପୂରଣ ଓ ସମ୍ପୃକ୍ତ ମାଫିଆ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡିଛନ୍ତି। ଏନେଇ ପ୍ରାଥମିକ ସ୍ତରରେ ସ୍ଥାନୀୟ କୁଜଙ୍ଗ ତହସିଲଦାର ଓ ପାରାଦୀପ ଗଡ଼ ରାଜସ୍ବ ନିରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏନେଇ ଆଇନ୍ ଗତ ପଦକ୍ଷେପ ନେବେ ବୋଲି ସୁଚନା ଦେଇଛନ୍ତି।