ଆଇଏସ ସ୍ତରରେ ବଡ ଧରଣର ବଦଳି
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ପ୍ରାୟ ଅଢ଼େଇମାସ ପରେ ପ୍ରଥମଥର ପାଇଁ ଆଜି ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ।

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ପ୍ରାୟ ଅଢ଼େଇମାସ ପରେ ପ୍ରଥମଥର ପାଇଁ ଆଜି ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ନବୀନ ପଟ୍ଟନାୟକ ସରକାରରେ ପାୱାରଫୁଲ ଓ ଫେଭରାଇଟ୍ ଅଫିସରଙ୍କୁ ସଚିବାଳୟ ବାହାରକୁ ପଠାଇ ଦିଆଯାଇଛି । ବରିଷ୍ଠ ଆଇଏଏସ୍ ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସହ ଜଙ୍ଗଲ ଓ ପରିବେଶ ବିଭାଗର ଦାୟିତ୍ୱ ନ୍ୟସ୍ତ ହୋଇଛି ।
ସେହିପରି ଦେଓରଞ୍ଜନ ସିଂଙ୍କୁ ସତ୍ୟବ୍ରତଙ୍କ ସ୍ଥାନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ମୋଟ ୧୮ଜଣ ବରିଷ୍ଠ ଆଇଏଏସଙ୍କ ବଦଳି ହୋଇଛି ।
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୬ ବ୍ୟାଚ୍ ଆଇଏଏସ୍ ରୂପାରୋଶନ ସାହୁଙ୍କୁ ଦକ୍ଷିଣାଂଚଳ ଆରଡିସି ଭାବେ ବଦଳି ହୋଇଛି । ନବୀନ ପଟ୍ଟନାୟକ ସରକାରରେ ଶ୍ରୀମତୀ ସାହୁ ପାୱାରଫୁଲ ଆଇଏଏସ୍ ଥିଲେ । ଆଉ ଏକମାତ୍ର ଆଇଏଏସ୍ ଭାବେ ଗତ ଅଢ଼େଇମାସ ଧରି ସେ ତାଙ୍କର ପୁରୁଣା ଦାୟିତ୍ୱରେ ରହିଥିଲେ । ତେବେ ମୋହନ ସରକାର ଆଜି ତାଙ୍କୁ ଅନୁସୂଚିତ ଜାତି,ଜନଜାତି ଓ ପଛୁଆବର୍ଗ ବିଭାଗର ସଚିବ ପଦରୁ ହଟାଇ ଦକ୍ଷିଣାଂଚଳ ଆରଡିସି ଭାବେ ବ୍ରହ୍ମପୁରକୁ ବଦଳି କରିଛନ୍ତି ।
ସେହିପରି ୨୦୦୭ ବ୍ୟାଚ୍ ଆଇଏଏସ୍ ସଚିନ ରାମଚନ୍ଦ୍ର ଯାଦବଙ୍କୁ ମଧ୍ୟ ସଚିବାଳୟ ବାହାରକୁ ବିଦା କରାଯାଇଛି । ନବୀନ ସରକାରରେ ତୃତୀୟ ମହଲାର ଫେଭରାଇଟ୍ ଅଫିସର ଭାବେ ଶ୍ରୀ ଯାଦବ ପର୍ଯ୍ୟଟନ ବିଭାଗକୁ ନିଜ କବଜାରେ ରଖିଥିଲେ । ତାଙ୍କୁ ଉତ୍ତରାଂଚଳ ଆରଡିସି ଭାବେ ସମ୍ବଲପୁର ବଦଳି କରାଯାଇଛି । ଶ୍ରୀ ଯାଦବ ଏବେ ପର୍ଯ୍ୟଟନ ନିର୍ଦ୍ଦେଶକ ସହ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।
ସେହିପରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀ ଅତିରିକ୍ତ ଭାବେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏବଂ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଇବେ ।
୧୯୯୬ ବ୍ୟାଚ୍ ଆଇଏଏସ୍ ଉଷା ପାଢ଼ୀଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି ହୋଇଛି । ଶ୍ରୀମତୀ ପାଢ଼ୀ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ତାଙ୍କଠୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦାୟିତ୍ୱ କାଢ଼ି ନିଆଯାଇଛି ।
ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ୧୯୯୮ ବ୍ୟାଚ୍ ଆଇଏଏସ୍ ବିଶାଳ ଗଗନଙ୍କୁ ନୂଆଦିଲ୍ଲୀରେ ପ୍ରମୁଖ ଆବାସିକ କମିଶନର ଭାବେ ଅବସ୍ଥାପିତ କରାଯାଇଛି ।
ରାଜ୍ୟପାଳଙ୍କ ପ୍ରମୁଖ ସଚିବ ୧୯୯୯ ବ୍ୟାଚ୍ ଆଇଏଏସ୍ ଏନବିଏସ୍ ରାଜପୁତଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ।
ସେହିପରି ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ବଦଳି କରାଯାଇଛି । ସେ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ତାଙ୍କଠୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ କାଢ଼ି ନିଆଯାଇଛି ।
ସେହିପରି ସ୍କୁଲ ଓ ଗଣଶିକ୍ଷା ସଚିବ ୨୦୦୩ ବ୍ୟାଚ୍ ଆଇଏଏସ୍ ଏସ୍ ଅଶ୍ୱଥିଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଭାବେ ବଦଳି କରାଯାଇଛି ।
୨୦୦୭ ବ୍ୟାଚ୍ ଆଇଏଏସ୍ ବଳବନ୍ତ ସିଂଙ୍କୁ ପର୍ଯ୍ୟଟନ ବିଭାଗର ସଚିବ ଭାବେ ବଦଳି କରାଯାଇଛି । ସେ ଅତିରିକ୍ତ ଭାବେ ଓଡ଼ିଶା ଖଣି ନିଗମ, ଇଡକୋ ଓ ଓଏମଇସିଏଲ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ ।
ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ୨୦୦୮ ବ୍ୟାଚ୍ ଆଇଏଏସ୍ ଯାମିନୀ ଷଡ଼ଙ୍ଗୀଙ୍କୁ ବାଣିଜ୍ୟକର ଓ ଜିଏସଟି କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଆଇଏଏସ୍ ସଞ୍ଜୟ କୁମାର ସିଂଙ୍କଠୁ ବାଣିଜ୍ୟକର ଓ ଜିଏସଟି କମିଶନର ଦାୟିତ୍ୱ କାଢ଼ି ନିଆଯାଇଛି ।
ସେହିପରି ଭୁବନେଶ୍ୱରରେ ଚକବନ୍ଦୀ କମିଶନର ଭାବେ କାର୍ଯ୍ୟରତ ୨୦୦୮ ବ୍ୟାଚ୍ ଆଇଏଏସ୍ ବି ପରମେଶ୍ୱରନଙ୍କୁ କେନ୍ଦ୍ରାଂଚଳ ଆରଡିସି ଭାବେ ବଦଳି ହୋଇଛି ।
ସେହିପରି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଏନ୍ ଥିରୁମାଳା ନାଏକଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ) ଉପାଧ୍ୟକ୍ଷ ଭାବେ ବଦଳି କରାଯାଇଛି । ସେ ଭୁବନେଶ୍ୱର ସ୍ମାର୍ଟ ସିଟି ଓ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ସେହିପରି ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ୨୦୧୧ ବ୍ୟାଚ୍ ଆଇଏଏସ୍ ସମର୍ଥ ବର୍ମାଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ଶ୍ରୀ ବର୍ମା ଓଟିଡିସି ଏବଂ ଓଡ଼ିଶା ଫିଲ୍ମ ଡେଭଲପମେଂଟ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
୨୦୧୫ ବ୍ୟାଚ୍ ଆଇଏଏସ୍ ଅନ୍ୟାନ୍ୟ ଦାସଙ୍କୁ ଓଡିଶା ସ୍କୁଲଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ତାଙ୍କର ଏହି ପଦବୀକୁ ରାଜ୍ୟ ଆଇଏଏସ୍ କ୍ୟାଡ଼ରରେ ଯୁଗ୍ମ ସଚିବ ପାହ୍ୟାକୁ ଉନ୍ନୀତ କରାଯାଇଛି ।