ମରୁଭୂମିରେ ଠିଆ ହୋଇଗଲା କେଶ

ମରୁଭୂମିରେ ଠିଆ ହୋଇଗଲା କେଶ

ମରୁଭୂମିରେ ଠିଆ ହୋଇଗଲା କେଶ

ଚୀନ୍‌ର କୁମତାଗ ମରୁଭୂମିର ଏକ ବିଚିତ୍ର ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏକ ଭାଇରାଲ୍‌ ଭିଡିଓରେ ଏହି ମରୁଭୂମିକୁ ବୁଲି ଯାଇଥିବା ପର୍ଯ୍ୟଟକମାନଙ୍କର ମୁଣ୍ଡର କେଶ ଆପେ ଆପେ ଉପରକୁ ଠିଆ ହୋଇ ରହିଥିବା ଦେଖାଯାଇଛି, ସତେ ଯେପରି ଆକାଶରୁ କୌଣସି ଭୂତ ସେମାନଙ୍କ ଚୁଟିକୁ ଟାଣି ଧରିଛି। ବାସ୍ତବରେ ଏକ ବିରଳ ପ୍ରାକୃତିକ ପ୍ରକ୍ରିୟା ଯୋଗୁଁ ସେମାନଙ୍କ ମୁଣ୍ଡର କେଶ ଠିଆ ହୋଇଯାଇଥିଲା। ସାଧାରଣତଃ ମେଘଖଣ୍ଡରେ ସୃଷ୍ଟ ବିଦ୍ୟୁତ୍‌ ଚାର୍ଜଯୁକ୍ତ କଣିକା ସମାହାରରୁ ବିଜୁଳି ଜାତ ହୁଏ। ମେଘଖଣ୍ଡରେ ଭାସି ବୁଲୁଥିବା ଜଳବିନ୍ଦୁ, ବରଫ କଣିକାଗୁଡ଼ିକ ପରସ୍ପର ମଧ୍ୟରେ ଧକ୍କା ଖାଇ ବିଦ୍ୟୁତ୍‌ ଚାର୍ଜ ସୃଷ୍ଟି କରିଥା’ନ୍ତି ଯାହା ଉଭୟ ଯୁକ୍ତାତ୍ମକ ଓ ବିଯୁକ୍ତାତ୍ମକ ହୋଇଥା’ନ୍ତି। ବିପରୀତଧର୍ମୀ ବିଦ୍ୟୁତ୍‌ ଚାର୍ଜ ମଧ୍ୟରେ ଉଚ୍ଚ ଶକ୍ତିସଂପନ୍ନ ବିଦ୍ୟୁତ୍‌ ସ୍ରୋତ ପ୍ରବାହିତ ହେଲେ ତାହା ବିଜୁଳି ଆକାରରେ ପ୍ରକାଶିତ ହୋଇଥାଏ।

ବିଜୁଳି ମାରିବା ପୂର୍ବରୁ ମେଘରେ ବିଦ୍ୟୁତ୍‌ କ୍ଷେତ୍ର ସୃଷ୍ଟି ହୋଇଥାଏ ଯାହା ଦ୍ବାରା ମଣିଷର ଚୁଟି ଆକର୍ଷିତ ହୋଇପାରେ। ପାହାଡ଼ ଭଳି ଉଚ୍ଚା ସ୍ଥାନ ମେଘର ନିକଟତର ହୋଇଥିବାରୁ ସେଠାରେ ଏପରି ପ୍ରାକୃତିକ ପ୍ରକ୍ରିୟା ଦେଖିବାକୁ ମିଳିଥାଏ। ମରୁଭୂମିର ବାଲି ପାହାଡ଼ରେ ମଧ୍ୟ ଅନୁରୂପ ପ୍ରକ୍ରିୟା ସ୍ବରୂପ ସ୍ଥିର ବିଦ୍ୟୁତ୍‌ ଚାର୍ଜ ସୃଷ୍ଟି ହୋଇଥାଏ। ତେଣୁ ମରୁଭୂମିରେ ଝଡ଼ ବର୍ଷା ସମୟରେ ଚାର୍ଜଯୁକ୍ତ ବିଦ୍ୟୁତ୍‌ କ୍ଷେତ୍ରକୁ ଗଲେ ମୁଣ୍ଡର ଚୁଟି ଉପରକୁ ଟାଣି ହୋଇଯାଏ। ବଜ୍ରପାତ ଭଳି ଏହି ଉଚ୍ଚମାନର ବିଦ୍ୟୁତ୍‌ ସ୍ରୋତରେ ମଧ୍ୟ ଜୀବନ ଚାଲିଯିବାର ଆଶଙ୍କା ରହିଛି। ତେଣୁ ଘଡ଼ଘଡ଼ି ବେଳେ ଯେପରି ବାହାରକୁ ଯିବା ବିପଜ୍ଜନକ, ଝଡ଼ ବେଳେ ମରୁ ଅଞ୍ଚଳରେ ଯା’ଆସ କରିବା ସେପରି ଘାତକ ହୋଇପାରେ।