ମହଙ୍ଗା ହେଲା LPG ସିଲିଣ୍ଡର

ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା । ଦୀପାବଳି ପୂର୍ବରୁ ବଢିଲା LPG ସିଲିଣ୍ଡରର ଦାମ୍ । ପେଟ୍ରୋଲିୟମ୍ କମ୍ପାନୀ କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ଦାମ୍ ବୃଦ୍ଧି କରିଛି । ପହିଲାରୁ ୧୯ କିଲୋ ସିଲିଣ୍ଡରର ଦାମ୍ ୧୦୦ଟଙ୍କାରୁ ଅଧିକ ବଢିଛି । ତେବେ ୧୪ କିଲୋ ଏଲ୍ପିଜି ସିଲିଣ୍ଡରରେ କୌଣସି ପରିବର୍ତ୍ତନ ହୋଇନି ।
IOCLର ୱେବସାଇଟ୍ ଅନୁଯାୟୀ, ଆଜିଠାରୁ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମର ବ୍ୟବସାୟିକ ଏଲପିଜି ସିଲିଣ୍ଡର ୧୮୩୩ ଟଙ୍କାରେ ଉପଲବ୍ଧ ହେବ । ଯାହା ପୂର୍ବରୁ ୧୭୩୧ ଟଙ୍କା ଥିଲା । ସେହିପରି ମୁମ୍ବାଇରେ ଏହାର ଦାମ୍ ୧୭୮୫ଟଙ୍କାରେ ବିକ୍ରି ହେବ । ଯାହା ପୂର୍ବରୁ ୧୬୮୪ ଟଙ୍କା ଥିଲା । ଏହାବ୍ୟତୀତ କୋଲକାତାରେ ୧୯ କେଜି ସିଲିଣ୍ଡର ପିଛା ୧୮୩୯ଟଙ୍କା ବଦଳରେ ଏବେ ୧୯୪୩ ଟଙ୍କାରେ ମିଳିବ ଗ୍ୟାସ୍ । ସେହିପରି ଚେନ୍ନାଇରେ ଏହାର ଦାମ୍ ୧୯୯୯ ଟଙ୍କା ୫୦ପଇସା ହୋଇଛି । ଯାହା ପୂର୍ବରୁ ୧୮୯୮ ଟଙ୍କା ଥିଲା ।
ଗୋଟିଏ ପଟେ ଘରୋଇ ଗ୍ୟାସ୍ ସିଲିଣ୍ଡରେ ଆଶ୍ବସ୍ତି ମିଳୁଥିବା ବେଳେ ସେପଟେ ବ୍ୟବସାୟିକ ଗ୍ୟାସର ଦାମ୍କୁ ହୁହୁ ହୋଇ ବଢାଉଛନ୍ତି ପେଟ୍ରୋଲିୟମ୍ କମ୍ପାନୀ । ଲଗାତର ୧୯ କେଜି ସିଲିଣ୍ଡର ପିଛା ୨ମାସରେ ବଢିଲାଣି ୩୦୦ଟଙ୍କା ।
ଦୀପାବଳୀ ପୂର୍ବରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦାମ୍ ବଢିଥିବା ବେଳେ ଅନ୍ୟପକ୍ଷରେ ୧୪ କେଜି ଏଲପିଜି ସିଲିଣ୍ଡରର ମୂଲ୍ୟ ସମାନ ରହିଛି । ଅଗଷ୍ଟ ୩୦ରେ କେନ୍ଦ୍ର ସରକାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରିଥିବା ବେଳେ ଉଜ୍ଜ୍ବଳା ହିତାଧିକାରୀଙ୍କ ସବସିଡି ୨୦୦ରୁ ୪୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ଦିଲ୍ଲୀରେ ୯୦୩ଟଙ୍କା ଥିବା ବେଳେ କୋଲକତାରେ ୯୨୯ଟଙ୍କା, ମୁମ୍ବାଇରେ ୯୦୨ ଟଙ୍କା ୫୦ ପଇସା ଏବଂ ଚେନ୍ନାଇରେ ୯୧୮ ଟଙ୍କାରେ ମିଳୁଛି ।