ବିଜେଡି,ବିଜେପି,କଂଗ୍ରେସ, ତିନି ପ୍ରମୁଖ ଦଳ ଉପନିର୍ବାଚନ ନିମନ୍ତେ ପାର୍ତିପତ୍ର ଦାଖଲ କଲେ

ଏନଏସି ର ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ପରେ ଅଧ୍ୟକ୍ଷା ପଦବୀ ନିମନ୍ତେ ଚଳିତ ମାସ ୨୯ତାରିଖ ଦିନ ମତଦାନ ଅନୁଷ୍ଠିତ ହେବ।ଉପନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀ ପତ୍ର ଦାଖଲର ଅନ୍ତିମ ଦିବସ ରେ ପ୍ରମୁଖ ତିନି ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ଦଳୀୟ ପ୍ରାର୍ଥୀ ମାନେ ନିଜ ନିଜ ସମର୍ଥକ ଙ୍କ ଗହଣରେ ନିର୍ବାଚନ ଅଧିକାରୀ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ସହରରେ ଆଜି ସାପ୍ତାହିକ ହାଟ ଦିନ ଥିବା ବେଳେ ରାଜନୈତିକ ଦଳ ମାନଙ୍କର ଶୋଭାଯାତ୍ରା ନିର୍ବାଚନ ଉଷ୍ମତା ଭରିଦେଇଥିଲା।
ବିଜେଡି ଦଳର ପ୍ରାର୍ଥୀନି ପ୍ରାକ୍ତନ ଅଧ୍ୟକ୍ଷା ସ୍ବର୍ଗତ ଭାନୁପ୍ରଭା ମିଶ୍ରଙ୍କ କନ୍ୟା ଦେବସ୍ମିତା ଶତପଥୀ ଆଜି ରୁଦ୍ରକାଳୀ ଙ୍କ ମନ୍ଦିରରୁ ପୂଜାର୍ଚ୍ଚନା ସାରି ଏକ ବିରାଟ ପଟୁଆରରେ ସହର ପରିକ୍ରମା କରି ଗାନ୍ଧୀ ଛକରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଚକରା ବିଷୋୟୀ ଛକରେ ବୀର ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ସାଲୁଗା ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ,ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ କ୍ଳେଶ ପ୍ରଧାନ,ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଅନିମା କଁହର, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସରୋଜ କର୍ଣ, ପୁନମ କଁହର,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲିକ, ନଗର ବିଜେଡି ସଭାପତି ଗୋପାଳ କୃଷ୍ଣ ମହାପାତ୍ର,ଏନଏସି ଉପାଧ୍ୟକ୍ଷ ସନ୍ତୋଷ ବାଘଙ୍କ ସମେତ ବହୁ ଆଗ ଧାଡ଼ିର ନେତା କର୍ମୀଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ବାଜା ବାଜଣାର ତାଳେ ତାଳେ ଏନଏସି ଅଫିସ ରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ।ସେଇଭଳି କଂଗ୍ରେସ ଦଳର ପ୍ରାର୍ଥୀନୀ ମଧୁଲିନା ଦିଗାଲ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ଜିଲ୍ଲା କଂଗ୍ରେସ ମୁଖପାତ୍ର ଘନ ଶବର, ନଗର କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତ ନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ତଥା ଏନଏସି କାଉନସିଲର ଯାକେସ ପ୍ରଧାନ , ପୂର୍ବତନ ନଗର ସଭାପତି ଗଗନ କୁମାର ପ୍ରଧାନ,ରୋହିତ୍ କୁମାର ନାୟକ ଓ ଅନ୍ୟାନ୍ୟ ଦଳୀୟ କର୍ମୀ ଉପସ୍ଥିତିରେ ଏକ ଶୋଭାଯାତ୍ରାରେ ସାରା ସହର ପରିକ୍ରମା କରି ଏନଏସି ଅଫିସ ରେ ପହଞ୍ଚି ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ।
ସେଇଭଳି ବିଜେପି ଦଳର ଦଳୀୟ ପ୍ରାର୍ଥୀନୀ ରଞ୍ଜିତା ନାୟକ ଟେଲିଫୋନ ଭବନ ସମ୍ମୁଖରୁ ନିଜ ଦଳୀୟ ନେତା କର୍ମୀଙ୍କ ସହ ଏକ ଶୋଭାଭାଯାତ୍ରାରେ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ରାଜ୍ୟ ବିଜେପି ପ୍ରଭାରୀ ନିରଞ୍ଜନ ମିଶ୍ର, ବନବିହାରୀ ମହାନ୍ତି,ଲିଙ୍ଗରାଜ ଦଳ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀ ପୌର ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି, ନଗର ସଭାପତି ଉଦ୍ଦେଶନ ପ୍ରଧାନ, କାଉନସିଲର ସଙ୍ଗୀତା ନାୟକ, ନିଶାରାଣୀ ନାୟକ, ନଗର ସାଧାରଣ ସମ୍ପାଦକ ପ୍ରଶାନ୍ତ ବଗର୍ତ୍ତୀ, ଭେଙ୍କଟେସ୍ଵର ବେହେରା ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତିରେ ସହର ପରିକ୍ରମା କରି ଏନଏସି ଅଫିସ ରେ ପହଞ୍ଚି ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ।ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଆଇଆଇସି ସହରରେ ବ୍ୟାପକ ପୁଲିସ ମୁତୟନ କରିବା ସହ ନିଜେ ଉପସ୍ଥିତ ରହିଥିଲେ।
କନ୍ଧମାଳ ଜିଲ୍ଲାରୁ ସାନୁଜ ବେହେରାଙ୍କ ରିପୋର୍ଟ