ସବୁଠୁ ବଡ଼ ନଗାଡ଼ା ପ୍ରସ୍ତୁତ, ମାର୍ଚ୍ଚ ୧୩ରେ ପଠାଯିବ ଅଯୋଧ୍ୟା
ମଧ୍ୟପ୍ରଦେଶର ରିଓ୍ଵାରେ ମହାଶିବରାତ୍ରି ଉତ୍ସବ ଏଥର ସ୍ୱତନ୍ତ୍ର ହେବାକୁ ଯାଉଛି ।

ମଧ୍ୟପ୍ରଦେଶର ରିଓ୍ଵାରେ ମହାଶିବରାତ୍ରି ଉତ୍ସବ ଏଥର ସ୍ୱତନ୍ତ୍ର ହେବାକୁ ଯାଉଛି । ଏଠାରେ ବିଶ୍ୱର ସବୁଠାରୁ ବଡ଼ ନଗାଡ଼ା ପ୍ରସ୍ତୁତ ହୋଇଛି । ନଗାଡ଼ାର ଓଜନ ୧ ଟନ୍ ଥିବାବେଳେ ଉଚ୍ଚତା ୬ ଫୁଟ୍ ଏବଂ ଚଉଡ଼ା ୧୧ ଫୁଟ୍ ରହିିଛି । ଅଯୋଧ୍ୟାସ୍ଥିତ ଭଗବାନ ରାମଙ୍କୁ ଏହି ନଗାଡ଼ା ସମର୍ପଣ କରାଯିବ । ଏହାସହିତ ଏଠାରେ ପୁଣିଥରେ ବିଶ୍ୱ ରେକର୍ଡ ପ୍ରତିଷ୍ଠା ହେବାକୁ ଯାଉଛି ।
ଏହି ନଗାଡ଼ାକୁ ମହାଶିବରାତ୍ରି ପର୍ବରେ ପୂଜାର୍ଚ୍ଚନା କରାଯାଇ ଭଗବାନ ରାମଙ୍କୁ ସମର୍ପଣ କରାଯିବ । ବିଶ୍ୱର ସବୁଠୁ ବଡ଼ କୁହାଯାଉଥିବା ଏହି ନଗାଡ଼ାକୁ ମାର୍ଚ୍ଚ ୧୨ ତାରିଖରେ ୧୦୧ଟି ଗାଡ଼ି ସହିତ ଅଯୋଧ୍ୟା ଅଭିମୁଖେ ନିଆଯିବ । ରିଓ୍ଵାରୁ ଅଯୋଧ୍ୟା ଯିବା ରାସ୍ତାରେ ମୋଟ ୧୦୮ଟି ସ୍ଥାନରେ ଶ୍ରଦ୍ଧାଳୁମାନେ ଏହାକୁ ଭବ୍ୟ ସ୍ୱାଗତ କରିବେ । ମାର୍ଚ୍ଚ ୧୩ରେ ଏହା ଅଯୋଧ୍ୟା ନଗରୀରେ ପହଞ୍ଚିବ ।
ଗତବର୍ଷ ମହାଶିବରାତ୍ରି ସମୟରେ ମଧ୍ୟ ରିଓ୍ଵାରେ ଏକ ରେକର୍ଡ ପ୍ରତିଷ୍ଠା କରାଯାଇଥିଲା । ଏଠାରେ ୧,୧୦୦ କିଲୋର ଏକ କଡ଼େଇରେ ୫,୧୦୦ କିଲୋର ମହାପ୍ରସାଦ ତିଆରି ହୋଇଥିଲା, ଯାହାକୁ ଏସିଆର ସବୁଠାରୁ ବଡ଼ ରେକର୍ଡ ବୋଲି ବିବେଚନା କରାଯାଇଥିଲା । ଏବେ ଏହି କଡ଼େଇକୁ ନଗାଡ଼ା ରୂପରେ ବଦଳାଇ ଦିଆଯାଇଛି । ବାରାଣସୀ ଓ ରିଭାରୁ କଳାକାରମାନେ ଆସି ଏଠାରେ କାରିଗରୀ କାମ କରିଥିଲେ ଏବଂ ଏହାକୁ ନଗାଡ଼ା ରୂପରେ ବଦଳାଇଥିଲେ ।
ବର୍ତ୍ତମାନ ଏହି ନଗାଡ଼ାକୁ ବିଶ୍ୱ ରେକର୍ଡ ପାଇଁ ନାମିତ କରାଯିବ । ଗିନିଜ୍ ବୁକ୍, ଏସିଆ ବୁକ୍ ଏବଂ ଲିମ୍କା ବୁକ୍ ଅଫ୍ ଓ୍ଵାର୍ଲ୍ଡ ରେକର୍ଡସ୍ର ଟିମ୍ ଏଠାରେ ପହଞ୍ଚିଛନ୍ତି ।