ଏଥରପିଲାଙ୍କୁ ମିଳିବ ନୋଟ ବୁକ , ଯୁକ୍ତ ୨ ପରୀକ୍ଷା ଲାଗି ପ୍ରସ୍ତୁତି ଶେଷ ହୋଇଛି: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ନୋଟ୍ବୁକ୍ରେ ପିଲାଙ୍କୁ ହୋମ ୱାର୍କ ଓ ଶିକ୍ଷକମାନେ କଣ ପାଠ ପଢାଉଛନ୍ତି, ତାହା ଉଲ୍ଲେଖ ରହିବ, ଯାହାଫଳରେ ଅଭିଭାବକମାନେ ଜାଣିପାରିବେ ପିଲା କଣ ପଢୁଛି।

ଭୁବନେଶ୍ବର: ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍ବୁକ୍ ଦିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୋଟ୍ବୁକ୍ରେ ପିଲାଙ୍କୁ ହୋମ ୱାର୍କ ଓ ଶିକ୍ଷକମାନେ କଣ ପାଠ ପଢାଉଛନ୍ତି, ତାହା ଉଲ୍ଲେଖ ରହିବ, ଯାହାଫଳରେ ଅଭିଭାବକମାନେ ଜାଣିପାରିବେ ପିଲା କଣ ପଢୁଛି। ଚଳିତ ବଜେଟରେ ଶିକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଇଛନ୍ତି ସରକାର।
ଅପରପକ୍ଷେ ଯୁକ୍ତ ଦୁଇ ପରୀକ୍ଷା ସଂପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ସମସ୍ତ ପ୍ରସ୍ତୁତି ସରିଛି, ପ୍ରଶ୍ନପତ୍ର ହବରେ ପହଞ୍ଚିଛି। ଯୁକ୍ତ ୨ ପରୀକ୍ଷା ଲାଗି ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ସବୁ ପ୍ରସ୍ତୁତି କରାଯାଇଛି। କିନ୍ତୁ କିଛି ଅଧ୍ୟାପକ ଦାବି ପୂରଣ ନ ହେଲେ ପରୀକ୍ଷା ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଏକଥା ଆମ ନଜରକୁ ଆସିଛି। ଆମେ ଅନୁରୋଧ କରିବୁ ଅଧ୍ୟାପକଙ୍କୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଉ। ମାର୍ଚ୍ଚ ୧୦ରେ ମାଟ୍ରିକ ପରୀକ୍ଷା। ସଠିକ ଭାବେ ପରୀକ୍ଷା ପରିଚାଳନା ହେବ। କରୋନା ସମୟରେ ବି ଭଲ ପରିଚାଳନା ହୋଇଥିଲା।
ତାଛଡ଼ା ରାଜ୍ୟର ପ୍ରାଥମିକ ସ୍କୁଲଗୁଡ଼ିକରେ ଥିବା ଶିକ୍ଷକ ପଦବି ପୂରଣ ହେବ। ରାଜ୍ୟରେ ଥିବା ପ୍ରାଥମିକ ସ୍କୁଲଗୁଡ଼ିକରେ ଶିକ୍ଷକ ନିଯୁକ୍ତି କରାଯିବ। ଏନେଇ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ମନ୍ତ୍ରୀ କହିଛନ୍ତି।