ତାତିରେ ଲାଗିପାରେ ବ୍ରେକ୍

ଜଳୁଛି ରାଜ୍ୟ, ଉପାନ୍ତରୁ ଉପକୂଳ କଲବଲ କଲା ତାତି

ତାତିରେ ଲାଗିପାରେ ବ୍ରେକ୍

ଜଳୁଛି ରାଜ୍ୟ, ଉପାନ୍ତରୁ ଉପକୂଳ କଲବଲ କଲା ତାତି । ୧୯ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ, ୬ ଜିଲ୍ଲାକୁ ସିଭିୟର ହିଟ୍ ଓ୍ୱେଭ ଆଲର୍ଟ ଜାରି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି ।

ଏହି ସମୟରେ ଆଶ୍ୱସ୍ତି କର ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।୨୦ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ୨୧ ଓ ୨୨ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ଯାହାର ଫଳରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ ଖସିବାର ପୂର୍ବାନୁମାନ କରାଯାଇଛି। ଆଜି ଦିନ ୧୧.୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ ହୋଇଛି । ତେବେ ୪୧.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛିା ଝାରସୁଗୁଡା ।

ସେହିଭଳି ଭୁବନେଶ୍ୱରର ତାପମାତ୍ରା ୩୯.୮°C, କେନ୍ଦୁଝରର ତାପମାତ୍ରା ୩୯.୮°C ରାଉରକେଲାର ତାପମାତ୍ରା ୩୯.୬°C ଚାନ୍ଦବାଲିର ତାପମାତ୍ରା ୩୯°C, ସମ୍ବଲପୁରର ତାପମାତ୍ରା ୩୮.୯°C ବାଲେଶ୍ୱରର ତାପମାତ୍ରା ୩୮.୬°C, ହୀରାକୁଦର ତାପମାତ୍ରା ୩୮.୨°C, ପୁରୀର ତାପମାତ୍ରା ୩୪°C, ଗୋପାଳପୁରର ତାପମାତ୍ରା ୩୩.୬°C, ପାରାଦୀପର ତାପମାତ୍ରା ୩୩.୫°C ରେକର୍ଡ ହୋଇଛି ।