ପାରାଦୀପର ଚୋରା ପାନୀୟଜଳ ବିକ୍ରି, ପ୍ରଥମକରି ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ।

୧୯ ଟି ଜାଗାରେ ପାଣି ଉତ୍ତୋଳନ ଓ ବେଆଇନ ବିକ୍ରି ଚିହ୍ନଟ। ୫ ଟି ବିଶୋଧନ ସ୍ଥାନରୁ ପାଣିର ନମୁନା ସଂଗ୍ରହ ଓ ନୋଟିସ ଜାରୀ କରାଯାଇଛି।

ପାରାଦୀପର ଚୋରା ପାନୀୟଜଳ ବିକ୍ରି, ପ୍ରଥମକରି ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ।

ପାରାଦୀପ ୩୦-୦୪(ଶରତ ରାଉତ)ଜଗତସିଂହପୁର ଜିଲ୍ଲା ପାରାଦୀପ ଶିଳ୍ପ ଭିତ୍ତିକ ସହରାଞ୍ଚଳରେ ଗତ କିଛି ବର୍ଷ ହେଲା ଅନେକ ପାନୀୟଜଳ କାରଖାନା ସୃଷ୍ଟି ହୋଇଛି।କିନ୍ତୁ କୌଣସି କାରଖାନା ସରକାରୀ ଭାବେ ସ୍ବିକୃତି ନେଇ ନାହାଁନ୍ତି।ଏ ସମ୍ପର୍କରେ ଧରିତ୍ରୀ ଏକାଧିକ ଖବର ପ୍ରକାଶ କରିବା ପରେ ମଙ୍ଗଳବାର ପ୍ରଥମକରି ଜିଲ୍ଲା ପ୍ରଶାସନର ଏକ ସ୍କ୍ବାର୍ଡ ପାରାଦୀପରେ ଯାଞ୍ଚ କରିଛି।ଏଥିସହିତ ୫ ଟି ପାନୀୟଜଳ କାରଖାନାର ପାଣି ନମୁନା ସଂଗ୍ରହ କରାଯାଇଛି ଏବଂ ସେମାନଙ୍କୁ ନୋଟିସ ଜାରୀ କରାଯାଇଛି।ଯେଉଁ ୫ ଟି କାରଖାନାର ନମୁନା ସଂଗ୍ରହ କରାଯାଇଛି ସେଗୁଡିକ କେବଳ ଷଣ୍ଢକୁଦ ବସ୍ତିରେ ଅଛି।ଏଥିସହିତ ପାରାଦୀପ ସହରରେ ୧୯ ଟି ବେଆଇନ ପାଣି କାରଖାନା ଚାଲୁଛି ବୋଲି ଜିଲ୍ଲା ପ୍ରଶାସନର ଚିଠି (୪୪୨/୨୬-୦୪-୨୪)ରୁ ସ୍ପଷ୍ଟ ହୋଇଛି।ଚଢ଼ାଉରେ କୁଜଙ୍ଗ ତହସିଲଦାର ପୁଷ୍ପଶ୍ରୀ ସାଣ୍ଡିଲ, ପୌର ନିର୍ବାହୀ ଅଧିକାରୀ ଅଭିଳାଷ ପଣ୍ଡା, ଖାଦ୍ୟ ନିରୀକ୍ଷକ ପ୍ରୀତିଶ୍ ଦାସ,ପାରାଦୀପ ଆଦର୍ଶଥାନା,ଲକଥାନା, ଜଟାଧାରମୁହାଣ ସାମୁଦ୍ରିକ ଥାନାଧିକାରୀ ମାନେ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ, ପାରାଦୀପର ଅନେକ ସ୍ଥାନରେ କେତେକ ମୁଷ୍ଟିମେୟ ଲୋକ ଭୂତଳ ଜଳକୁ ଉତ୍ତୋଳନ କରି ବିଭିନ୍ନ କମ୍ପାନୀକୁ ଯୋଗାଉଛନ୍ତି।ତା ସହିତ ଛୋଟ ବିଶୋଧନ ପ୍ଲାଣ୍ଟ କରି ସେହି ପାଣିକୁ ବୋତଲରେ ଭର୍ତ୍ତି କରି ଅବାଧରେ ବିକ୍ରି କରୁଛନ୍ତି।ପାରାଦୀପ ସହରରେ ଦିନବେଳେ ପ୍ରାୟ ୫୦ ରୁ ଅଧିକ ଛୋଟ ଡାଲା ଅଟୋରେ ଏହା ଯାତାୟାତ କରୁଥିବା ଦେଖିବାକୁ ମିଳିଥାଏ।ଏବଂ ଅନେକ ଘରେ ନିୟମିତ ଯୋଗାଣ ମଧ୍ୟ କରାଯାଉଛି।ଘଟଣା ସମ୍ପର୍କରେ ଆମେ ଜିଲ୍ଲା ଖାଦ୍ୟ ସୁରକ୍ଷା ନିରୀକ୍ଷକ ବିଭାଗକୁ ସୂଚନା ମାଗିଥିଲୁ।ସେଥିରେ ମାତ୍ର ଗୋଟିଏ ପାଣି କାରଖାନା ପାଇଁ ସ୍ବିକୃତି ନେଇଥିବା ଜଣାପଡିଛି।ତାହା ପାରାଦୀପଗଡ ପଞ୍ଚାୟତ ନିମିଢି ଗ୍ରାମରେ।ଏଥିସହିତ ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ରନାଥ ଜେନାଙ୍କୁ ପଚାରିଲେ କୁହନ୍ତି କୌଣସି ଲୋକ ଆମ ବିଭାଗରୁ କେହି ଭୂତଳ ଜଳ ଉତ୍ତୋଳନ ପାଇଁ ସ୍ବିକୃତି ନେଇ ନାହାଁନ୍ତି।ଏମିତି ଘଟଣାକୁ ନେଇ ଏକାଧିକ ଥର ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା।ଉକ୍ତ ଖବର ଆଧାରରେ ପାରାଦୀପର ସ୍ବେଚ୍ଛାସେବୀ ସଂଗଠନ ଆହ୍ବାନ ଫାଉଣ୍ଡେସନ ସଭାପତି ସାଗର ବିଶ୍ବାଳ ଗତ ୨୧ ତାରିଖରେ ଜିଲ୍ଲାପାଳ, ଖାଦ୍ୟ ସୁରକ୍ଷା ନିରୀକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଙ୍କୁ ଲିଖିତ ଅଭିଯୋଗ କରିଥିଲେ।ଏହାପରେ ଗତ ୨୬ ତାରିଖରେ ସ୍କ୍ବାର୍ଡ ଗଠନ କରାଯାଇଥିଲା।ମଙ୍ଗଳବାର ସ୍କ୍ବାର୍ଡ ପାଣିର ନମୁନା ଓ ନୋଟିସ ଜାରୀ କରିଥିଲେ ହେଁ କୌଣସି ପାଣି କାରଖାନାକୁ ବନ୍ଦ କରି ନାହାଁନ୍ତି।ପୂର୍ବବତ ପାଣି ଉତ୍ତୋଳନ ଓ ବିକ୍ରି ଚାଲିଛି।ଘଟଣା ସମ୍ପର୍କରେ ଖାଦ୍ୟ ନିରୀକ୍ଷକ ଦାସ କୁହନ୍ତି, ଆମେ ଯେଉଁ ପାଣି ନମୁନା ନେଇଛୁ ତାର ରିପୋର୍ଟ ଆସିଲା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ।ସନ୍ଧ୍ୟାରେ କେତେକ ପାଣି ବ୍ୟବସାୟୀ ମାନେ ଜଣେ ରାଜନେତାଙ୍କ ପାଖକୁ ଯାଇଥିଲେ।ସଂପୃକ୍ତ ରାଜନେତା ପ୍ରଶାସନ ଉପରେ ଚାପ ପକାଉଥିବା ଜଣାପଡିଛି।