୫ଟା ଯାଏ ଗୃହ ମୁଲତବୀ
ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଆଜି ବିଧାନସଭା ଆରମ୍ଭ ହେଉ ହେଉ ଗୃହକୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ

ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଆଜି ବିଧାନସଭା ଆରମ୍ଭ ହେଉ ହେଉ ଗୃହକୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।
ଆଜି ପ୍ରଥମେ ବାଚସ୍ପତିଙ୍କ ସମେତ ସମସ୍ତ ସଦସ୍ୟ ଗୃହକୁ ଆସିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରସ୍ତାବ ଆଗତ କରିଥିଲେ । ପୂର୍ବତନ ବାଚସ୍ପତି ତଥା ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ଦିବଂଗତ ସଦସ୍ୟଙ୍କ ଉଦେ୍ଧଶ୍ୟରେ ଶୋକପ୍ରସ୍ତାବ ଆଗତ କରିଥିଲେ । ଓଡ଼ିଶାର ପୂର୍ବତନ ବାଚସ୍ପତି, ପୂର୍ବତନ ସଦସ୍ୟା ଓ ସଦସ୍ୟ, ଓଡ଼ିଶା ପୁଲିସର ସମସ୍ତ ଦିବଙ୍ଗତ ସଦସ୍ୟଙ୍କ ଉଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ। ଆସୀନ ସଦସ୍ୟ ଓ ପୂର୍ବତନ ବାଚସ୍ପତି ସ୍ବର୍ଗତଃ ସୂର୍ୟ୍ୟ ନାରାୟଣ ପାତ୍ର, ପୂର୍ବତନ ସଦସ୍ୟ ସ୍ବର୍ଗତଃ ତ୍ରିଲୋଚନ କାନୁନଗୋ, ପୂର୍ବତନ ସଦସ୍ୟ ସ୍ବର୍ଗତଃ ରମେଶ ସୋରେନ, ପୂର୍ବତନ ସଦସ୍ୟା ସ୍ବର୍ଗତଃ ନିବେଦିତା ପ୍ରଧାନ , ପୂର୍ବତନ ସଦସ୍ୟ ସ୍ବର୍ଗତଃ କୁମର ବେହେରା, ପୂର୍ବତନ ଲାନସ ନାଏକ, ୪୯ ରାଷ୍ଟ୍ରୀୟ ରାଇଫଲ ସ୍ବର୍ଗତଃ ଦେବାଶିଷ ବିଶ୍ବାଳ, ପୂର୍ବତନ କନେଷ୍ଟବଳ (ଜି.ଡି.), ୬୦ ସି.ଆର.ପି.ଏଫ୍. ବାଟାଲିୟନ ସ୍ବର୍ଗତଃ ସୁଶାନ୍ତ କୁମାର ଖୁଣ୍ଟିଆ, ପୂର୍ବତନ କନେଷ୍ଟବଳ, ଓଡିଶା ପୁଲିସ ସ୍ବର୍ଗତଃ ସୁଶାନ୍ତ କୁମାର ମହାନ୍ତିଙ୍କ ଉଦେ୍ଧଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକପ୍ରସ୍ତାବ ଆଗତ କରିଥିଲେ । ଉକ୍ତ ଶୋକପ୍ରସ୍ତାବକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ ।
ପରେ ସମସ୍ତ ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଦିଗଂଗତ ସଦସ୍ୟଙ୍କ ପାଇଁ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟ ନୀରବ ପ୍ରାର୍ଥନ କରିଥିଲେ । ପରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଦିବଙ୍ଗତ ସଦସ୍ୟଙ୍କ ଉଦେଶ୍ୟରେ ଗୃହର ପ୍ରଥାମର୍ଦ୍ଧ କାର୍ୟ୍ୟକୁ ମୁଲତବି ରଖାଯାଇଛି।
ବିଧାନସଭା ସଚିବାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହରେ ୨୦୨୩-୨୪ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ସେପ୍ଟେମ୍ବର ୨୩ ଏବଂ ୨୪ରେ ଚତୁର୍ଥ ଶନିବାର ଏବଂ ରବିବାର ପାଇଁ କୌଣସି କାର୍ୟ୍ୟ ଦିବସ ରହିବ ନାହିଁ। ପ୍ରଥମ ଅତିରିକ୍ତ ବଜେଟ୍ ପାଇଁ ଆଗତ ଖର୍ଚ୍ଚ ଅନୁଦାନ ଦାବି ଉପରେ ସେପ୍ଟେମ୍ବର ୨୮ ଏବଂ ୩୦ ରେ ଆଲୋଚନା ହେବ। ଖର୍ଚ୍ଚଦାବି ଆଲୋଚନା ପରେ ଅକ୍ଟୋବର ୩ରେ ଅତିରିକ୍ତ ବଜେଟ୍ର ଖର୍ଚ୍ଚ ଅନୁଦାନ ଦାବି ପ୍ରସ୍ତାବ ଉପସ୍ଥାପିତ ହେବ। ଶେଷ ଦିନଟି ଘରୋଇ ସଦସ୍ୟଙ୍କ କାର୍ୟ୍ୟ (ବିଲ୍ ଏବଂ ସଙ୍କଳ୍ପ) ପାଇଁ ସଂରକ୍ଷିତ ରଖାଯାଇଛି।
ସୂଚନାଯୋଗ୍ୟ ଯେ, ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ୨ଲକ୍ଷ ୩୦ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଘୋଷଣା ହୋଇଥିବା ବିଭିନ୍ନ ଯୋଜନାକୁ ନେଇ ଏହି ଅତିରିକ୍ତ ବଜେଟ୍ ଅଧିବେଶନ ୨ମାସ ପୂର୍ବରୁ ଆହୂତ ହୋଇଛି। ଅତିରିକ୍ତ ବଜେଟ ଆକାରରେ ପ୍ରାୟ ୨୦ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରସ୍ତାବ ଅର୍ଥମନ୍ତ୍ରୀ ଉପସ୍ଥାପନ କରିବାର ସମ୍ଭାବନା ରହିଛି।