ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ
ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଛି ମାଟ୍ରିକ ପ୍ରଶ୍ନପତ୍ର

ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଛି ମାଟ୍ରିକ ପ୍ରଶ୍ନପତ୍ର। ବୋର୍ଡର ଶତଚେଷ୍ଟା ସତ୍ତ୍ୱେ ପ୍ରଶ୍ନପତ୍ର ଭାଇରାଲ୍ ପରି ଘଟଣାକୁ ପୂର୍ବ ବର୍ଷ ପରି ଚଳିତ ଥର ମଧ୍ୟ ରୋକାଯାଇପାରି ନାହିଁ। ଆଜି ଗଣିତ ପରୀକ୍ଷା ଥିବା ବେଳେ ଏହାର କିଛି ପ୍ରଶ୍ନପତ୍ର କେନ୍ଦୁଝର ଜିଲ୍ଲାରେ ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଛି। ଭାଇରାଲ୍ ହେଉଥିବା ପ୍ରଶ୍ନପତ୍ରରେ ସେଟ୍- C ଓ D ଲେଖାଯାଇଛି। ତେବେ ପ୍ରଶ୍ନପତ୍ର କିଏ ଭାଇରାଲ କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପିଲାମାନେ ପରୀକ୍ଷା ଦେବାକୁ ଯିବାର ଯଥେଷ୍ଟ ସମୟ ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ଖଣ୍ଡନ କରିଛି ବୋର୍ଡ। ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଉପସଭାପତି କହିଛନ୍ତି, ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ। ଆସିଥିବା ଅଭିଯୋଗ ମିଥ୍ୟା। ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ କୌଣସି ସୂଚନା ଆମ ପାଖକୁ ମିଳିନାହିଁ।
ଅନ୍ୟପକ୍ଷରେ ଭାଇରାଲ୍ ପ୍ରଶ୍ନପତ୍ରକୁ ପିଲାଏ ଚିହ୍ନିଲା ପରେ ଅଜବ ଉତ୍ତର ରଖିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ଭାଇରାଲ୍ ସମ୍ପର୍କରେ ଗଣମାଧ୍ୟମ ବୋର୍ଡ ସଭାପତିଙ୍କୁ ପ୍ରଶ୍ନ ପଚାରିଥିଲା। ହେଲେ ଏସମ୍ପର୍କରେ ସ୍ପଷ୍ଟୀକରଣ ଦେବା ପରିବର୍ତ୍ତେ ଗଣମାଧ୍ୟମକୁ ଓଲଟା ଟାର୍ଗେଟ କରିଛନ୍ତି ବୋର୍ଡ ସଭାପତି। ସେ କହିଛନ୍ତି, ସବୁ କେନ୍ଦ୍ରରେ ସୁରୁଖୁରୁରେ ପରୀକ୍ଷା ସରିଛି। ଖବରକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରସାରଣ କରିଛି ଓଟିଭି। ଏପରିକି ଯେଉଁ ପିଲା ଭାଇରାଲ୍ ପ୍ରଶ୍ନପତ୍ର ଚିହ୍ନିଛନ୍ତି ସେମାନେ ବି ଓଟିଭିର ବୋଲି କହିବାକୁ ପଛାଇ ନାହାନ୍ତି ବୋର୍ଡ ସଭାପତି। ଖାଲି ଓଟିଭି ନୁହେଁ, ଗଣମାଧ୍ୟମକୁ ଦୋଷ ଲଦିଛନ୍ତି।
ଗଣିତ ପ୍ରଶ୍ନପତ୍ରର ଦୁଇଟି ସେଟ୍ ଲିକ୍ ଅଭିଯୋଗ ନେଇ ପରୀକ୍ଷା ହଲ୍ରୁ ବାହାରିବା ପରେ ଚିନ୍ତା ପ୍ରକଟ କରିଛନ୍ତି ପରୀକ୍ଷାର୍ଥୀ। ଜଣେ ପରୀକ୍ଷାର୍ଥୀ କହିଛନ୍ତି, ଗଣିତ C ଓ D ସେଟ୍ର ଭାଇରାଲ ପ୍ରଶ୍ନ ଆଜିର ପ୍ରଶ୍ନ ସହ ମିଶୁଛି। ଯେଉଁ ଜିଲ୍ଲାରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି, କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆମକୁ ଆଉ ଥରେ ପରୀକ୍ଷା ଦେବାକୁ ଚାପ ନ ପକାଯାଉ। ଦୋଷୀକୁ ଚିହ୍ନଟ କରାଯାଇ ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।