ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ପଦକ୍ଷେପ । ଜଳସେଚନ ବିଭାଗର ବିଭାଗୀୟ ଅଧିକାରୀ ଓ ୧୧ଟି ବ୍ଲକର ବିଡିଓଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ମହାନଦୀର ବନ୍ୟା ଜଳ ପୁରୀ ଜିଲ୍ଲାର ଦୟା , ଭାର୍ଗବୀ , ରତ୍ନଚିରା, ଲୁଣା ଏବଂ ମକରା ନଦୀ ଗୁଡିକ ଉପରେ ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ପୁରୀ ଜିଲ୍ଲାର ୧୧ଟି ବ୍ଲକ ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ବିଶେଷକରି ଦୟାନଦୀ ଅବବାହିକା କଣାସର ଚୁପୁରିଙ୍ଗି, ବଡପୁଟ, ଢୋଲପାଟଣା ଅଂଚଳ, ସେପଟେ ପିପିଲି ଓ ବ୍ରହ୍ମଗିରି ସହିତ ରତ୍ନଚିରା ନଦି ଯୋଗୁଁ ଗୋପ, ବଳଙ୍ଗା ଆଦି ଅଂଚଳ ସେପଟେ ଲୁଣାନଦୀ ଯୋଗୁଁ ବ୍ରହ୍ମଗିରି ଓ ଚନ୍ଦନପୁରର କିଛି ଅଂଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି ।
ଏହାକୁ ଦୃଷ୍ଟିରେ ରଖି କଣାସ ଅଂଚଳରେ ବାଲିବସ୍ତା ମହଜୁଦ କରି ରଖାଯାଇଛି ଏବଂ ଏନଡିଆରଏଫ ଓ ଓଡ୍ରାଫ ଟିମ କୁ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ରହିବା ସହ ୩୨ ଟି ସରକାରୀ ଡଙ୍ଗାକୁ ମହଜୁଦ ରଖାଯାଇଛି । ତେବେ ଏହାକୁ ନେଇ ଜିଲ୍ଲାପାଳ ସମ୍ପୃକ୍ତ ଡିଭିଜନ ଯନ୍ତ୍ରୀଙ୍କୁ ନେଇ ନଦୀବନ୍ଧର ସମୀକ୍ଷା କରିଛନ୍ତି । ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖିବା ସହ ରିଲିଫ, ସୁଖିଲା ଖାଦ୍ୟ, ଔଷଧ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜରିପାଲ ଆଦି ଯୋଗାଇଦେବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।