ଜାତୀୟ ରାଜପଥ ମଙ୍ଗୁଳିରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରାସ୍ତା ନେଇ କୃଷି ମନ୍ତ୍ରୀଙ୍କ ବୈଠକ
ଜାତୀୟ ରାଜପଥ ମଙ୍ଗୁଳିରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରାସ୍ତା ନେଇ କୃଷି ମନ୍ତ୍ରୀଙ୍କ ବୈଠକ

ଜାତୀୟ ରାଜପଥ ୫୫ର ମଙ୍ଗୁଳିଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ଏବଂ ଜାତୀୟ ରାଜପଥ ୧୬ର ମଙ୍ଗୁଳିଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରାସ୍ତାରେ ଯାନବାହନ ଯାତାୟତ ବୃଦ୍ଧି ଦୃଷ୍ଟିରୁ ଯାନବାହନ ଚଳାଚଳକୁ ସୁଗମ କରି ଦୁର୍ଘଟଣା ଏଡ଼ାଇବା ପାଇଁ ଜାତୀୟ ରାଜପଥରେ ଥିବା ସମସ୍ୟାଗୁଡ଼ିକୁ ତୁରନ୍ତ ସମାଧାନ କରିବା ଦିଗରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି।
ଆଜି ଏହି ପରିପ୍ରେକ୍ଷୀରେ ଲୋକସେବା ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଦୁର୍ଘଟଣା ଏଡାଇବା ପାଇଁ ରାସ୍ତାରେ ଥିବା ଗର୍ତ୍ତଗୁଡ଼ିକର ତୁରନ୍ତ ମରାମତି, ଆବଶ୍ୟକୀୟ ସର୍ଭିସ ରୋଡ୍ ନିର୍ମାଣ ଓ ବର୍ଷାଜଳର ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ ଡ୍ରେନ୍ ନର୍ମାଣ ସମେତ ଫ୍ଲାଇଓଭର ଏବଂ ଅଣ୍ଡରପାସ୍ ଆଦି ନିର୍ମାଣ ଦିଗରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ତୁରନ୍ତ ପଦକ୍ଷେପ ନେବା ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲ।
ବୈଠକରେ କଟକ ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ଚୌଦ୍ୱାର-କଟକ ବିଧାୟକ ଶ୍ରୀ ସୌଭିକ୍ ବିଶ୍ୱାଳ, କଟକ ସଦର ବିଧାୟକ ଶ୍ରୀ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଯୋଗଦେଇ ଜାତୀୟ ରାଜପଥର ବିଭିନ୍ନ ସମସ୍ୟା ଓ ସମାଧାନ ସଂପର୍କରେ ବିଶଦ ଆଲୋଚନା କରିଥିଲେ।
ବୈଠକର ସୂଚନା ଅନୁଯାୟୀ ଆସନ୍ତା ନଭେମ୍ବର ୨୫ ତାରିଖରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍ ଜାତୀୟ ରାଜପଥର ବିଭିନ୍ନ ଅଞ୍ଚଳର କ୍ଷେତ୍ର ପରିଦର୍ଶନ କରିବେ। ଏଥିରେ କଟକ ଲୋକସଭା ସାଂସଦ, ଚୌଦ୍ୱାର-କଟକ ବିଧାୟକ, କଟକ ସଦର ବିଧାୟକ, ଜିଲ୍ଲାପାଳ, କଟକଙ୍କ ସମେତ ଜାତୀୟ ରାଜପଥର କର୍ତ୍ତୃପକ୍ଷ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ। ସେହିଦିନ ପୂର୍ବାହ୍ନରେ ଚୌଦ୍ୱାର କଲେଜର ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ବୈଠକ ଅନୁଷ୍ଠିତ ହେବ।
ଦୁର୍ଘଟଣା ଏଡାଇବା ପାଇଁ ମଙ୍ଗୁଳିଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ରାସ୍ତାରେ ଥିବା ସମସ୍ତ ଗର୍ତ୍ତଗୁଡ଼ିକୁ ତୁରନ୍ତ ମରାମତି କରିବା ପାଇଁ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଗାଡ଼ି ଚଳାଚଳ ଯୋଗୁ ଉଡ଼ୁଥିବା ଧୂଳିର ପ୍ରଭାବକୁ ଏଡ଼ାଇବା ପାଇଁ ନିୟମିତ ଜଳସିଂଚନ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା। ଜାତୀୟ ରାଜପଥର ଖୁଣ୍ଟୁଣିଠାରେ ବର୍ଷାଜଳର ନିଷ୍କାସନ ନିମନ୍ତେ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ କରିବା ପାଇଁ କୁହାଯାଇଥିଲା, ଯେପରି ବର୍ଷାଜଳ ନିକଟସ୍ଥ ଜନବସତି ମଧ୍ୟକୁ ପ୍ରବେଶ କରି ନପାରିବ।
ସେହିପରି ଖୁଣ୍ଟୁଣିଠାରେ ନିର୍ମାଣାଧିନ ଫ୍ଲାଇଓଭର/ଅଣ୍ଡରପାସ୍ ଏବଂ ସର୍ଭିସ୍ ରୋଡ୍ ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଢେଙ୍କାନାଳର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ ବଉଳାଙ୍ଗ ଏବଂ ବାଳିଠାରେ ନିର୍ମାଣାଧିନ ଅଣ୍ଡରପାସ୍ ଏବଂ ସର୍ଭିସ୍ ରୋଡ୍ ଏବଂ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଆସନ୍ତା ଫେବୃଆରୀ ୨୦୨୪ ସୁଦ୍ଧା ଶେଷ ହେବ।
ସେହିପରି ରାଧାକିଶୋରପୁର ପଞ୍ଚାୟତର ପୁରୁଷୋତ୍ତମପୁରଠାରେ ଏକ ସର୍ଭିସ୍ରୋଡ୍ ଡ୍ରେନ୍ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା, ଯଦ୍ଦ୍ୱାରା ନିକଟସ୍ଥ ପାହାଡ଼ରୁ ଗଡ଼ି ଆସୁଥିବା ବର୍ଷାଜଳର ପ୍ରବାହକୁ ନିୟନ୍ତ୍ରଣ କରାଯାଇ ଗ୍ରାମବାସୀଙ୍କ ଯିବାଆସିବାକୁ ସୁନିଶ୍ଚିତ କରାଯିବ।