ସର୍ବକାଳୀନ ରେକର୍ଡ ସ୍ତରରେ ସୁନା
ବୁଧବାର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା

ବୁଧବାର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା । ଭୁ-ରାଜନୈତିକ ସମସ୍ୟା ଏବଂ ବର୍ଦ୍ଧିତ ଚାହିଦା ଧାତୁର ଚମକକୁ ବଢ଼ାଇଚାଲିଛି । କ୍ରମାଗତ ଭାବେ ଏହା ନୂଆ ରେକର୍ଡ ଯୋଡ଼ିଚାଲିଛି । ବୁଧବାର ଏହା ୭୨,୦୦୦ ସ୍ତର ଅତିକ୍ରମ କରିଛି। ଆଗକୁ ବିବାହ ଋତୁ ଏବଂ ଅକ୍ଷୟ ତୃତୀୟା ଥିବାବେଳେଚାହିଦା ବଡ଼ ଆକାରରେ ବୃଦ୍ଧି ପାଇବା ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ, ଇରାନ-ଇସ୍ରାଏଲ୍ ଯୁଦ୍ଧ ଆଶଙ୍କାରୁ ଦର ଆହୁରି ବଢ଼ିବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଏଭଳି ସ୍ଥିତିରେ ନିବେଶକ ଉତ୍ସାହିତ ଥିବାବେଳେ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଚାହିଦା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।
ବୁଧବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୩୮୦ ଟଙ୍କା ବୃଦ୍ଧି ପାଇ ୭୨,୧୧୦ ଟଙ୍କା ହୋଇଛି । ସେହିଭଳି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ୩୫୦ ଟଙ୍କା ବଢ଼ି ୬୬,୧୦୦ ଟଙ୍କାରେ ପହଞ୍ଚିଛି । ରୁପା ମଧ୍ୟ ନୂଆ ରେକର୍ଡ ଯୋଡ଼ି ଚାଲିଛି । ରାଜଧାନୀ ଭୁବନେଶ୍ୱରରେ କିଲୋଗ୍ରାମ ପିଛା ରୁପା ୧୦୦୦ ଟଙ୍କା ମହଙ୍ଗା ହୋଇ ୮୯,୦୦୦ ଟଙ୍କା ଛୁଇଁଛି ।
ଏ ବର୍ଷ ସୁନା ଦର ୮୦,୦୦୦ ଛୁଇଁବା ନେଇ ଆକଳନ କରିଛନ୍ତି ବଜାର ବିଶେଷଜ୍ଞ । ବର୍ଦ୍ଧିତ ଚାହିଦା ଏବଂ ଭୁ-ରାଜନୈତିକ ଅସ୍ଥିରତା ଯୋଗୁ ଏହା ରକେଟ୍ ବେଗରେ ବଢ଼ିଚାଲିଛି । ଏ ବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ପାଖାପାଖି ୯,୦୦୦ ଟଙ୍କା ମହଙ୍ଗା ହୋଇଗଲାଣି ।
ବଜାର ବିଶେଷଜ୍ଞମାନଙ୍କ କହିବାନୁସାରେ, ୨୦୨୪-୨୫ ଆର୍ଥିକବର୍ଷ ସୁନା ଦରରେ ବୃଦ୍ଧି ଧାରା ଜାରି ରହିବ । ଏହାର ଏକ ପ୍ରମୁଖ କାରଣ ହେଉଛି ଆମେରିକା ଫେଡେରାଲ ରିଜର୍ଭର ମୁଦ୍ରାନୀତି ପଦକ୍ଷେପ । ଫେଡେରାଲ ରିଜର୍ଭ ଇତିମଧ୍ୟରେ ସଂକେତ ଦେଇଛି ଯେ, ଏହା ୨୦୨୪ରେ ପ୍ରମୁଖ ସୁଧ ହାରରେ ୩ଟି ହ୍ରାସ କରିପାରେ । ଫେଡେରାଲ ରିଜର୍ଭର ଏ ବିବୃତି ସୁନାକୁ ଅଧିକ ମଜଭୁତ କରୁଛି ।
ସୁନା ଦର ବଢ଼ିବାର ଆହୁରି ଅନେକ କାରଣ ରହିଛି । ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଶଙ୍କା, ଆଗାମୀ ବିବାହ ଋତୁ ଯୋଗୁ ଚାହିଦା ବୃଦ୍ଧି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଚୁର ମାତ୍ରାରେ ସୁନା କ୍ରୟ ଆଦି ଯୋଗୁ ଏହି ଧାତୁ ଦର ବଢୁଛି ।