କାହିଁକି ହସ୍ପିଟାଲରେ ଲାଗିଲା ନିଆଁ, ଚାଲିଛି ତନାଘନା
ସ୍ବାସ୍ଥ୍ୟମନ୍ତ୍ରୀ କହିଲେ, ଛାନଭିନ କରିବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଅଗ୍ନିଶମ ଅଧିକାରୀ କହିଲେ, ହସ୍ପିଟାଲ କର୍ମଚାରୀଙ୍କୁ ଦିଆଯାଇନି ନିଆଁଲିଭା ଟ୍ରେନିଂ ।

କଟକର ଏକ ଘରୋଇ ହସ୍ପିଟାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ।
ଶନିବାର, ଅପରାହ୍ନ ପ୍ରାୟ ୩ଟା ୩୦ । କଟକ ପୁରୀଘାଟରେ ଥିବା ତ୍ରିଶା ହସ୍ପିଟାଲ ତୃତୀୟ ମହଲାରୁ ଉଠିଲା ଧୂଆଁ । କିଛି ଗୋଟେ ଅଘଟଣ ଘଟିଥିବା ଆଶଙ୍କାରେ ହସ୍ପିଟାଲ ତଳେ ରୁଣ୍ଡ ହୋଇଗଲେ ଶହ ଶହ ଲୋକ । ଆରମ୍ଭ ହୋଇଗଲା ହସ୍ପିଟାଲ କର୍ମଚାରୀଙ୍କ ଧାଁଦଉଡ଼ । ଜଣାପଡ଼ିଲା, ହସ୍ପିଟାଲ ତୃତୀୟ ମହଲାରେ ଲାଗିଥିଲା ନିଆଁ । ତୃତୀୟ ମହଲାରେ ଥିଲା ଆଇସିୟୁ । ତେଣୁ ଗୁରୁତର ରୋଗୀଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ଆଇସିୟୁରେ ନିଆଁ ଲାଗିଥିବା ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଗଲା ହଇଚଇ । ପହଞ୍ଚିଲେ ଅଗ୍ନିଶମ ବାହିନୀ ଓ ପୋଲିସ । ଆରମ୍ଭ ହୋଇଯାଇଥିଲା ରେସ୍କ୍ୟୁ ଅପରେସନ ।
ନିଆଁ ଏତେ ଜୋରରେ ଲାଗିଥିଲା ଯେ ତୃତୀୟ ମହଲାର ପ୍ରବେଶ ଦ୍ବାର ଦେଇ ରୋଗୀଙ୍କ ଉଦ୍ଧାର କରିବା ସମ୍ଭବ ହୋଇ ନ ଥିଲା । ନିଆଁ ଓ ଧୂଆଁରେ ଅଣନିଃଶ୍ବାସୀ ହେବାକୁ ପଡ଼ିଥିଲା । ତେଣୁ ଆଇସିୟୁ ଭିତରୁ ରୋଗୀଙ୍କୁ ଉଦ୍ଧାର କରିବା ପାଇଁ ବାହାର ପଟେ ସିଡ଼ି ଲଗାଇଥିଲେ ଅଗ୍ନିଶମ ବାହିନୀ । କିଛି ରୋଗୀଙ୍କୁ ବହୁ କଷ୍ଟରେ ସିଡ଼ି ଲଗାଇ ତଳକୁ ଅଣାଯାଇଥିଲା । ରୋଗୀଙ୍କୁ ଉଦ୍ଧାର କରାଯିବାର ଦୃଶ୍ୟ ଥିଲା ଅତ୍ୟନ୍ତ ଲୋମଟାଙ୍କୁରା । ଆଇସିୟୁ ଭିତରେ ଥିବା ରୋଗୀଙ୍କୁ କିଛି ସମୟ ପାଇଁ ରାସ୍ତା ଉପରେ ଶୁଆଇ ରଖାଯାଇଥିଲା । ପର୍ଯ୍ୟାପ୍ତ ଆମ୍ବୁଲାନ୍ସ ନ ଥିବାରୁ ରୋଗୀଙ୍କୁ କଲବଲ ହେବାକୁ ପଡ଼ିଥିଲା । ଆଇସିୟୁ ଭିତରେ ଥିଲେ ୯ ଜଣ ଗୁରୁତର ରୋଗୀ । ସମସ୍ତଙ୍କୁ ଉଦ୍ଧାର କରାଯିବା ପରେ କଟକ ବଡ଼ ମେଡିକାଲକୁ ନିଆଯାଇଛି । ସେହିପରି ତୃତୀୟ ମହଲାରେ ଥିବା ନ୍ୟୁବର୍ଣ୍ଣ ୱାର୍ଡରେ ୧୫ ଜଣ ନବଜାତକ ରହିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଭର୍ତ୍ତି କରାଯାଇଥିଲା ଶିଶୁଭବନରେ ।
ଗୋଟିଏ ପଟେ ଚାଲିଥିଲା ରୋଗୀଙ୍କୁ ଉଦ୍ଧାର କାର୍ଯ୍ୟ, ଆରପଟେ ନିଆଁ ଲିଭାରେ ଲାଗି ପଡ଼ିଥିଲେ ଅଗ୍ନିଶମ ବାହିନୀ । ନିଆଁର ପ୍ରକୋପ ଏତେ ଥିଲା ଯେ, ତୃତୀୟ ମହଲାରେ ଥିବା ଆଇସିୟୁ ସଂପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା । ନିଆଁ କେମିତି ଲାଗିଲା, ତାର ସଠିକ୍ କାରଣ ଜଣାପଡ଼ିନାହିଁ । କିନ୍ତୁ କୁହାଯାଉଛି, ଏସି ରିପାୟରିଂ ବେଳେ ସର୍ଟ ସର୍କିଟ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା ।
ସେପଟେ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଜିଲ୍ଲାପାଳ, ମେୟର, ସିଏମସି ଅଧିକାରୀ । ପୂର୍ବତନ ବିଧାୟକ ମହମ୍ମଦ ମୋକିମ ମଧ୍ୟ ଅଗ୍ନିକାଣ୍ଡସ୍ଥଳରେ ପହଞ୍ଚିଥିଲେ । ପ୍ରାଶାସନିକ ଅଧିକାରୀମାନେ ହସ୍ପିଟାଲ ତୃତୀୟ ମହଲାକୁ ଯାଇ ଅଗ୍ନିକାଣ୍ଡସ୍ଥଳ ଦେଖିଥିଲେ । କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା, ତାହା ବୁଝିଥିଲେ । ଉପ ଜିଲ୍ଲାପାଳ କହିଛନ୍ତି, ହସ୍ପିଟାଲ ସବୁ ନୀତି ନିୟମ ପାଳନ କରିଛି କି ନାହିଁ, ତାର ତଦନ୍ତ ହେବ ।ପ୍ରାୟ ଦେଢ଼ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ । କିନ୍ତୁ ପ୍ରବଳ ଧୂଆଁ ଉଠୁଥିବା ଯୋଗୁଁ ତୃତୀୟ ମହଲାରେ ରୋଗୀଙ୍କ ପାଇଁ ବିପଦ ବଢ଼ିଯାଇଥିଲା ।