ଲୋକାର୍ପିତ ହେଲା ୧୮୧ ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ଯାନ

ପ୍ରାଣୀ ସମ୍ପଦର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ସେଥିପାଇଁ ‘ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ଯାନ’ ବ୍ୟବହାର କରାଯାଉଛି ।

ଲୋକାର୍ପିତ ହେଲା ୧୮୧ ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ଯାନ

ପ୍ରାଣୀ ସମ୍ପଦର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ସେଥିପାଇଁ ‘ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ଯାନ’ ବ୍ୟବହାର କରାଯାଉଛି । ନୂତନ ଟେକ୍ନୋଲୋଜି ବ୍ୟବହାର କରି ଆବଶ୍ୟକ ସମୟରେ ଉକ୍ତ ଯାନ ଗୁଡ଼ିକ ପ୍ରାଣୀ ହେଲ୍ପଲାଇନ ଜରିଆରେ ବିପଥଗାମୀ ତଥା ପରିତ୍ୟକ୍ତ ପ୍ରାଣୀଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବେ ।

ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍ ବ୍ୟବହାର କରି ଯାନ ଗୁଡିକର ଅବସ୍ଥାନ ଟ୍ରାକ୍ କରାଯିବ । ‘୫-ଟି’ ଉପକ୍ରମରେ ୟୁନିଟ୍‌ ଗୁଡ଼ିିକର କାର୍ଯ୍ୟରେ ସ୍ୱଚ୍ଛତା ଅଣାଯିବ । ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ୧୮୧ ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ଯାନ ଲୋକାର୍ପିତ କରିବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ବର୍ତ୍ତମାନ ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ଏସବୁ ସବୁ ଜିଲ୍ଲାକୁ ପଠାଯିବ । ଏହି ନୂତନ ଯାନଗୁଡ଼ିକ ରାଜ୍ୟରେ ମୁଖମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣି ଚିକିତ୍ସା ସେବା ଅଧୀନରେ ରହି ପଶୁ ପଶୁମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବ୍ୟବହୃତ ହେବ । ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନ ଠାରୁ ଦୂର ସ୍ଥାନରେ ଅବସ୍ଥିତ ଗାଁର ପଶୁପାଳନ ତଥା କୃଷକଙ୍କୁ ଦୁଆର ମୁହଁରେ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇଦେବ ।

କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀଙ୍କ ପାଇଁ ପଶୁ ସମ୍ପଦ ବିକାଶ କ୍ଷେତ୍ରକୁ ଆହୁରି ଅଭିବୃଦ୍ଧି କରାଯିବ ।ଏହାଦ୍ୱାରା ଗ୍ରାମୀଣ ଲୋକଙ୍କ ଜୀବନଧାରଣର ମାନ ଉନ୍ନତ ହେବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ମୋବାଇଲ୍ ୟୁନିଟ୍ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ଉଚ୍ଚତାକୁ ନେଇପାରିବ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପି କେ ଜେନା, ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।