ମଧ୍ୟରାତ୍ରିରେ ହତ୍ୟା କରିବାକୁ ଯାଇଥିଲେ; ଗିରଫ ହେଲେ ୭ ଅଭିଯୁକ୍ତ

ମଧ୍ୟରାତ୍ରିରେ ହତ୍ୟା କରିବାକୁ ଯାଇଥିଲେ; ଗିରଫ ହେଲେ ୭ ଅଭିଯୁକ୍ତ

ମଧ୍ୟରାତ୍ରିରେ ହତ୍ୟା କରିବାକୁ ଯାଇଥିଲେ; ଗିରଫ ହେଲେ ୭ ଅଭିଯୁକ୍ତ

ଗତ ବୁଧବାର (ମେ’୨୪ ଓ ୨୫) ବିଳମ୍ବିତ ରାତିରେ ଚନ୍ଦନପୁର ଥାନା ଗଂଗାନାରାୟଣପୁର ଅଧିନ ଜେନାସାହିରେ ଚରଣ ଜେନାଙ୍କୁ ହତ୍ୟା ପାଇଁ ଯୋଜନା କରିଥିବା ୫ ଅଭିଯୁକ୍ତ ଓ ଅନ୍ୟ ଏକ ବୋମାମାଡ଼ ଘଟଣାରେ ପୁରୀ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ତିନି ଜଣଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୁବାଷ ପ୍ରଧାନ (୩୫), ରାଜୁଆ ଓରଫ ରାଜେଶ ମହାପାତ୍ର (୨୬), ମନୋଜ ପଣ୍ଡା (୧୯), କଇନା ଓରଫ କୈଳାଶ ନାୟକ (୨୮) ଓ ବୁରୁଣ୍ଡି ଓରଫ ପ୍ରମୋଦ ବସ୍ତିଆ (୩୬)। ବୋମାମାଡ଼ ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ସୁରେନ୍ଦ୍ର ସେଠୀ (୨୬) ଓ ଶଙ୍କର ମଲ୍ଲିକ (୪୧)। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ମାରଣାସ୍ତ୍ର ଜବତ କରିଛି ବୋଲି ପୁରୀ ଏସ୍‌ପି କନ୍‌ୱର ବିଶାଲ ସିଂହ  କହିଛନ୍ତି।

ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି କହିଛନ୍ତି ଯେ, ଚନ୍ଦନପୁର ଥାନା ଗଂଗାନାରାୟଣପୁର ଅଧିନ ଜେନାସାହିର ଚରଣ ଜେନାଙ୍କ ସ୍ତ୍ରୀ ସୌଦାମିନୀ ଜେନାଙ୍କ ଅଭିଯୋଗ (କେସ ନମ୍ବର ୧୨୮/୨୩) କ୍ରମେ ପୁଲିସ ମାମଲା ରୁଜୁ କରିଥିଲା। ସୌଦାମିନୀଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ବାମୀ ଚରଣ, ଗବକୁଣ୍ଡର ଅଙ୍କିତ ସ୍ବାମୀ ଓ ମାଳିବାଳିଆର ଧନେଶ୍ବର ମହାପାତ୍ର ଗତ ୨୪ ଓ ୨୫ ତାରିଖ ମଧ୍ୟ ରାତ୍ରି ପ୍ରାୟ ୧୨ଟା ୩୦ରେ ଏକ ବାଇକ୍‌ରେ ଓଡାସମଲ୍ଲ ଗାଁରୁ ଫେରୁଥିଲେ। ଏହି ସମୟରେ ଅଭିଯୁକ୍ତମାନେ ମାରଣାସ୍ତ୍ର ସାହାଯ୍ୟରେ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଗୁଳିମାଡ଼ରେ ଧନଞ୍ଜୟ ମହାପାତ୍ର ଆହତ ହୋଇଥିଲେ। ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା।

ପୁଲିସ କହିଛି ଯେ, ଉପରୋକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କ ଠାରୁ ଏକ ୯ଏମ୍‌ଏମ୍‌ ଦେଶୀ ପିସ୍ତଲ ସହ ୨ଟି ଜୀବନ୍ତ ଗୁଳି, ଗୋଟିଏ ୭.୬ ଏମ୍‌ଏମ୍‌ ଦେଶୀ ପିସ୍ତଲ ସହ ୨ଟି ଜୀବନ୍ତ ଗୁଳି, ଏକ ଦେଶୀ ବନ୍ଧୁକ, ୨ଟି ମୋବାଇଲ ଫୋନ୍‌, ୨ଟି ବାଇକ୍‌ ଜବତ କରିଛି। ସେହିପରି ଚନ୍ଦନପୁର ବୋମାମାଡ଼ ଘଟଣା (ଚନ୍ଦନପୁର କେସ୍‌ ନମ୍ବର ୧୨୫/୨୩)ରେ ପୁଲିସ ସୁରେନ୍ଦ୍ର ସେଠୀଓ ଶଙ୍କର ମଲ୍ଲିକଙ୍କୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ସଦର ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।