ରାୟଗଡ଼ା ଡିଏଫଓଙ୍କ ଅନେକ ଠିକଣାରେ ଭିଜିଲାନ୍ସ ରେଡ୍

ଆଳୁ ଖୋଳୁ ଖୋଳୁ ମହାଦେବ, ରାୟଗଡ଼ା ଡିଏଫଓଙ୍କ ଅନେକ ଠିକଣାରେ ଭିଜିଲାନ୍ସ ରେଡ୍, ସୁନା ଗହଣାଠୁ ନେଇ ପ୍ଲଟ-ଫ୍ଲାଟ୍ ଠାବ

ରାୟଗଡ଼ା ଡିଏଫଓଙ୍କ ଅନେକ ଠିକଣାରେ ଭିଜିଲାନ୍ସ ରେଡ୍

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ରାୟଗଡ଼ା ଡିଏଫଓଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସ୍ଵତନ୍ତ୍ର ଭିଜିଲାନ୍ସ ଟିମ୍ ରାୟଗଡ଼ା ବନଖଣ୍ଡ ଅଧିକାରୀ(ଡିଏଫଓ) ବିଜୟ କୁମାର ପରିଡ଼ାଙ୍କ ସରକାରୀ ବାସଭବନ ସମେତ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଚଢ଼ାଉ କରିଛି। ଭିଜିଲାନ୍ସ ଡିଏସପି ସନ୍ଧ୍ୟା ରାଣୀ ସାହୁଙ୍କ ନେତୃତ୍ୱରେ ଭିଜିଲାନ୍ସ ତରଫରୁ ୫ ଜଣିଆ ଟିମ୍ ଚଢାଉ ଜାରି ରଖିଛନ୍ତି। ଏହି ଚଢାଉ ଆଜି ସକାଳୁ ଆରମ୍ଭ ହୋଇଛି।  

ଚଢାଉ ସମୟରେ ରାୟଗଡ଼ାର କୋଟିପତି ଡିଏଫ୍ଓ ବିଜୟ ପରିଡ଼ାଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। କଟକରେ ୧.୮ କୋଟି ଟଙ୍କାର ୪ ମହଲା ଘର, ରସୁଲଗଡ଼ରେ ୩ ମହଲା, ପଟିଆରେ ଗୋଟିଏ ଫ୍ଲାଟ ଠାବ ହୋଇଛି। ଏଥିସହ ଭୁବନେଶ୍ଵର, ପୁରୀ, କଟକ, ଯାଜପୁରରେ ୮ଟି ପ୍ଲଟ ଠାବ କରାଯାଇଛି। ଘରୁ ନଗଦ ୧ ଲକ୍ଷ ୨୪ ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ। ଗୋଟିଏ କାର୍ ଓ ୨ଟି ବାଇକ ଜବତ କରାଯାଇଥିବା ବେଳେ ବ୍ୟାଙ୍କ, ଇନ୍ସ୍ୟୁରାନ୍ସ ଏବଂ ଅନ୍ୟ ଡିପୋଜିଟ୍‌ ନେଇେ ଯାଞ୍ଚ ଚାଲିଛି। ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଥିଲେ ଭିଜିଲାନ୍ସ ଟିମ୍।

ସେହିଭଳି ରାୟଗଡ଼ା ସହରର ୪ ଟି ବ୍ୟାଙ୍କରେ ୬ ଲକ୍ଷ ଟଙ୍କା ଜମା ରହିଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ଜମି, ଘର ଠାବ କରାଯାଇଛି। ଏଥିସହ ସରକାରୀ ବାସଭବନରେ ସୁନା ଓ ରୂପା ଅଳଙ୍କାର ସମେତ ନଗଦ ଟଙ୍କା ମିଳିଛି। ଡିଏଫଓ ବିଜୟ କୁମାର ପରିଡ଼ାଙ୍କୁ ତାଙ୍କ କାର୍ଯ୍ୟାଳୟ ନେଇ ମଧ୍ୟ ତଦନ୍ତ କରିଥିଲେ ଭିଜିଲାନ୍ସ। ସେଠାରେ ଦୀର୍ଘ ସମୟ ଧରି ଛାନଭିନ କରିଥିଲେ। ତେବେ ତାଙ୍କ ନାମରେ ଅନେକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ନେଇ ଲୋକାୟୁକ୍ତରେ ମଧ୍ୟ ମାମଲା ରୁଜୁ ହୋଇଛି। ଆଉ ଏହାପରେ ଭିଜିଲାନ୍ସ ଚଢ଼ାଉ ହୋଇଛି।