ମହାବାତ୍ୟାକୁ ୨୫ ବର୍ଷ: ଆଜିବି ମନରୁ ଲିଭିନି ୧୯୯୯ ମସିହାର ମହାବାତ୍ୟା

ଆଜି ବି ମନେ ପଡେ ୧୯୯୯ ମସିହାର ସେହି ପ୍ରଳୟଙ୍କରୀ ମହାବାତ୍ୟା

ମହାବାତ୍ୟାକୁ ୨୫ ବର୍ଷ: ଆଜିବି ମନରୁ ଲିଭିନି ୧୯୯୯ ମସିହାର ମହାବାତ୍ୟା

ଆଜି ବି ମନେ ପଡେ ୧୯୯୯ ମସିହାର ସେହି ପ୍ରଳୟଙ୍କରୀ ମହାବାତ୍ୟା , ଯାହାକି ଓଡ଼ିଶା ଉପକୂଳ ରେ ରଚି ଥିଲା ତାଣ୍ଡବ, ଘଟାଇଥିଲା ନାହିଁ ନଥିବା କ୍ଷତି, ଉଜାଡି ଦେଇଥିଲା ଘର ସଂସାର, ଭସାଇ ନେଇଥିଲା ଧନ ଜୀବନ । ମା କୋଳରୁ ଛଡ଼ାଇ ନେଇଥିଲା ପୁଅ ଝିଅ ଙ୍କୁ, ପୁଅ ଝିଅ ବି ଅନାଥ ହୋଇ ହରାଇଥିଲେ ବାପା ମାଆଙ୍କୁ , ଭାଇ ଭାଇ ଠାରୁ ବିଚ୍ଛିନ୍ନ, ସ୍ବାମୀ ସ୍ତ୍ରୀ ଠାରୁ ବିଚ୍ଛିନ୍ନ, ବିଚ୍ଛିନ୍ନ ସାରା ପରିବାର, ବିଚ୍ଛିନ୍ନ ବନ୍ଧୁ ପରିଜନ, ବିଚ୍ଛିନ୍ନ ସାଙ୍ଗ ସାଥି, ବିଚ୍ଛିନ୍ନ ଭାଇ ବନ୍ଧୁ କୁଟୁମ୍ବ ସବୁ କିଛି । ସବୁକିଛି ଉଜାଡି ଦେଇ ତାର ଗନ୍ତବ୍ୟ ପଥରେ ଚାଲି ଯାଇଥିଲା ଏହି ୧୯୯୯ ମସିହାର ଏହି ପ୍ରଳୟଙ୍କରୀ ମହାବାତ୍ୟା । ଆଜି ବି ସେଦିନ ର କଥା ମନେ ପକାଇଲେ ଛାତିରେ କୋହ ଉଠିଯାଏ , କଣ୍ଠ ରୁଦ୍ଧ ହୋଇ ଯାଏ , ଥର ଥର ଗଳାରେ ସେଦିନ କଥା ବଖାଣି ବସନ୍ତି , କିନ୍ତୁ କଥା ଶେଷ ହେଲା ବେଳକୁ ଆଖି ଛଳଛଳ ହୋଇ ଉଠେ , ମନର କୋହ ମନରେ ମରିଯାଏ କିନ୍ତୁ ଆଖିର ଲୁହ କିଛି ବନ୍ଧ ବାଡ ମାନେନା ବରଂ ଧାର ଧାର ହୋଇ ଯାଏ ଏବଂ ଦୁଃଖ ଲାଘବ କରିବାର କିଛିଟା ଆଶ୍ବସ୍ତି ଦେଇଥାଏ । 

ତେବେ ପୂର୍ବ-ଭାରତୀୟ ରାଜ୍ୟ ଓଡିଶା ପ୍ରତିବର୍ଷ ଏକାଧିକ ସାମୁଦ୍ରିକ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ୧୯୯୯ ମହାବାତ୍ୟା ଥିଲା ସର୍ବାଧିକ ପ୍ରଳୟଙ୍କାରୀ । ଛାରଖାର ହୋଇ ଯାଇଥିଲା ଉପକୂଳ, ଦୋହଲି ଯାଇଥିଲା ଓଡିଶାର ସାମାଜିକ ଓ ଆର୍ଥିକ ମେରୁଦଣ୍ଡ । ବିଶେଷ ଭାବେ ପାରାଦ୍ବୀପ ଓ ଜଗତସିଂହପୁର ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ପ୍ରାଣ ହରାଇଥିଲେ ପ୍ରାୟ ୧୦ ହଜାର ଲୋକେ । ଏହି ସର୍ବଗ୍ରାସୀ ବାତ୍ୟାକୁ ଚଳିତବର୍ଷ ଦୀର୍ଘ ୨୫ ବର୍ଷ ପୂରଣ ହେବାକୁ ଯାଉଛି । ତଥାପି ଏହାର କରାଳ ଚିତ୍ରକୁ ଆଖିରେ ଦେଖିଥିବା ଲୋକେ ଏବେ ବି ଦୁର୍ଦ୍ଦଶା, ଯନ୍ତ୍ରଣାର ସେହି ଅଭିଶପ୍ତ ବର୍ଷକୁ ଭୁଲିପାରି ନାହାନ୍ତି । ଆଜି ବି ଓଡିଶା ଉପକୂଳରେ ବାତ୍ୟା ଆସିଲେ, ମନେ ପଡିଯାଏ ୧୯୯୯ ମହାବାତ୍ୟା କଥା ।

ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ବଙ୍ଗୋପସାଗରରେ ସୃଷ୍ଟ ଅତିଭୀଷଣ ସାମୁଦ୍ରିକ ଝଡ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ୍‌ କରିଥିଲା । ଏହା ଲ୍ୟାଣ୍ଡଫଲ୍‌ ପଏଣ୍ଟ ଥିଲା ଜଗତସିଂହପୁର । ବନ୍ଦରନଗରୀ ପାରାଦ୍ବୀପ ସମେତ, କୁଜଙ୍ଗ, ଏରସମା ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ରାସ୍ତାଘାଟ, ଗ୍ରାମ, ଜନବସତି, ସହର ଓ ଭିତ୍ତିଭୂମିକୁ ପୂରା ଧ୍ବଂସସ୍ତୂପରେ ପରିଣତ କରିଦେଇଥିଲା ଏହି କରାଳ ବାତ୍ୟା । ପୂର୍ବ ଆଶଙ୍କା ଓ ସମସ୍ତ ଆକଳନଠାରୁ ଢେର ଗୁଣା ଅଧିକ ପ୍ରଳୟଙ୍କାରୀ ରୂପ ନେଇଆସିଥିଲା ମହାବାତ୍ୟା । ଘଣ୍ଟାପ୍ରତି ୩ ଶହ କିଲୋମିଟର ଟପିଥିଲା ପବନର ବେଗ । ସମୁଦ୍ରରେ ଉଠିଥିଲା 6ରୁ 8 ମିଟର ଉଚ୍ଚ ପର୍ଯ୍ୟନ୍ତ ଜୁଆର । ନିଚିହ୍ନ ହୋଇଯାଇଥିଲା ଉପକୂଳ ଜଗତସିଂହପୁର ଜିଲ୍ଲା । 

ତେବେ ସମୟ ବଦଳିଛି, ବଦଳିଛି ସ୍ଥିତି ପରିସ୍ଥିତି, ନୁଆଁଣିଆ ଚାଳଘର ଆଜି ପକ୍କା ଘର ପାଲଟିଛି, ବାତ୍ୟା ଆସିବା ଆଗରୁ ସୁଚନା ମିଳୁଛି, ପ୍ରଶାସନ ମଧ୍ୟ ଯଥେଷ୍ଟ ସହାୟତା ଯୋଗାଇ ଦେଉଛି । ସେଦିନ ର ମହାବାତ୍ୟା ଆଜି ଏକ ସ୍ମୃତି ହୋଇ ରହିଛି ସତ କିନ୍ତୁ ଯିଏ ଅଙ୍ଗେ ଲିଭେଇଛି ସେ ହିଁ ଜାଣିଛି ତାର ବେଦନା । ଯାହା କେବଳ ମନେ ପଡ଼ିଲେ ଏକ ଦୀର୍ଘ ନିଶ୍ଵାସ ହିଁ ମାରିବା କେବଳ ସାର୍ ହୋଇଥାଏ ।