୩,୬୬୩ କୋଟି ଟଙ୍କାର ୧୯ଟି ନୂଆ ପ୍ରକଳ୍ପକୁ ସିଙ୍ଗଲ ଓ୍ୱିଣ୍ଡୋ ମଞ୍ଜୁରୀ

୩,୬୬୩ କୋଟି ଟଙ୍କାର ୧୯ଟି ନୂଆ ପ୍ରକଳ୍ପକୁ ସିଙ୍ଗଲ ଓ୍ୱିଣ୍ଡୋ ମଞ୍ଜୁରୀ

ଆଜି ଅନୁଷ୍ଠିତ ୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକରେ ଓଡ଼ିଶାର ଶିଳ୍ପ ବିକାଶର ଉତ୍କର୍ଷତା ଅଭିମୁଖେ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଆଜିର ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୧୯ଟି ରୂପାନ୍ତରଣକାରୀ ପ୍ରକଳ୍ପକୁ ଅନୁମୋଦନ ଦିଆଯିବା ସହ ଶିଳ୍ପ କ୍ଷେତ୍ରରେ ଏକ ପସନ୍ଦର ନିବେଶ ସ୍ଥଳ ଭାବେ ଏହା ରାଜ୍ୟର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି ।

ବୈଠକରେ ମୋଟ ୩,୬୬୩ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ପ୍ରାୟ ୧୩,୬୬୩ ନିଯୁକ୍ତି ସୃଷ୍ଟି ହେବର ଲକ୍ଷ୍ୟ ରହିଛି, ଯାହା ରାଜ୍ୟର ନିଯୁକ୍ତି ସୃଷ୍ଟି ଏବଂ ନିରନ୍ତର ବିକାଶ ପାଇଁ ଦୃଢ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।

୧୨୨ତମ ଏସଏଲଏସଡବ୍ଲୁସିଏ ଏକାଧିକ ଶିଳ୍ପ କ୍ଷେତ୍ରରେ ବିବିଧତା ଆଣିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ଦର୍ଶାଯାଇଥିଲା । ଓଡ଼ିଶାର ଉତ୍ପାଦନ କ୍ଷମତାକୁ ଆହୁରି ସୁଦୃଢ଼ କରୁଥିବା ପୋଷାକ ଏବଂ ବୟନ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇ ପ୍ରକଳ୍ପଗୁଡିକୁ ଅନୁମୋଦନ କରାଯାଇଥିଲା । ଆଧୁନିକ ଉତ୍ପାଦନ ଓ ସ୍ଥାୟୀ ସାମଗ୍ରୀ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ପ୍ଲାଷ୍ଟିକ ଶିଳ୍ପକୁ ପ୍ରୋତ୍ସାହନ ମିଳିଛି ।

ରାଜ୍ୟର ସମୃଦ୍ଧ ଖଣିଜ ସମ୍ପଦ ଅଂଚଳ ଏବଂ ଧାତବ ବିଜ୍ଞାନ ଦକ୍ଷତା ଉପରେ ଆଲୋକପାତ କରାଯିବା ପୂର୍ବକ ଉଭୟ ପ୍ରାଥମିକ ଇସ୍ପାତ ଶିଳ୍ପ ଓ ଇସ୍ପାତ ଉପରେ ନିର୍ଭରଶୀଳ ଡାଉନ୍ ଷ୍ଟ୍ରିମ୍ ଶିଳ୍ପ ପ୍ରକଳ୍ପଗୁଡିକର ଅନୁମୋଦନ କରାଯାଇଥିଲା । ସ୍ଥାୟୀ ଏବଂ ସବୁଜ ଶକ୍ତି ସମାଧାନ ପାଇଁ ଓଡ଼ିଶାର ପ୍ରତିବଦ୍ଧତାର ପ୍ରତିଫଳନ ସ୍ୱରୂପ ଅକ୍ଷୟ ଶକ୍ତି ଏକ ପ୍ରାଥମିକତା ଭାବରେ ଉଭା ହୋଇଛି । ରାଜ୍ୟର କୃଷି ସମ୍ଭାବନାକୁ ଉପଯୋଗ କରାଯାଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି ।