ଏଥର ଓଡ଼ିଶା ଦେଖିବ ମୋଦି ଗ୍ୟାରେଣ୍ଟି : ରାଜ୍ୟ ମୁଖପାତ୍ର ଅନିଲ୍ ବିଶ୍ଵାଳ
ଓଡିଶା ଲୋକ ମନ ବଳାଇ ସାରିଲେଣି, ଡବଲ୍ ଇଞ୍ଜିନ ସରକାର ହେବ : ଅନୀଲ ବିଶ୍ବାଳ

ଭୁବନେଶ୍ବର ୨୯।୩: ଓଡ଼ିଶାର ମୌଳିକ ସମସ୍ୟା ରାଜ୍ୟ ସରକାରଙ୍କ ପାଇଁ ପ୍ରାଥମିକତା ନୁହେଁ । ସାରା ଦେଶ ସମେତ ଓଡ଼ିଶାରେ ଲୋକଙ୍କର ମୋଦି ଗ୍ୟାରେଣ୍ଟି ଉପରେ ଭରସା ବଢିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି । ଲୋକଙ୍କୁ ପକ୍କା ଘର ଯୋଗାଇବାରେ ବାଧକ ସାଜିଛନ୍ତି ରାଜ୍ୟ ସରକାର । ମୋଦି ସରକାର ଓଡ଼ିଶାକୁ ୨୯ ଲକ୍ଷ ୨୮ ହାଜର ପକ୍କା ଘର ପଠାଇଛନ୍ତି । ସେଥିରୁ ୨୭ ଲକ୍ଷ ୨୮ ହାଜର ଗ୍ରାମୀଣ ଏବଂ ୨ ଲକ୍ଷରୁ ଅଧିକ ସହରାଞ୍ଚଳରେ ତିଆରି ହୋଇଛି ପକ୍କା ଘର । ମୋଦି ସରକାର ଏଥିପାଇଁ ଅର୍ଥ ଦେଇଛନ୍ତି । ରାଜ୍ୟ ସରକାର ପକ୍କା ଘର ଯୋଜନା କ୍ରିୟାନ୍ୱୟନ କରିବାରେ ବିଫଳ ହୋଇଛନ୍ତି । ୬ ଲକ୍ଷ ୬୦ ହାଜର ପକ୍କା ଘର ତିଆରି କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଏଥିରେ ଏସସି-ଏସଟିଙ୍କୁ ୪ ଲକ୍ଷ ପକ୍କା ଘର ମିଳିନାହିଁ । ଭୂମି ହୀନ ମାନଙ୍କୁ ରାଜ୍ୟ ସରକାର ପଟ୍ଟା ଦେଇ ନଥିବାରୁ ୧୫ ଲକ୍ଷ ୭୮ ହାଜର ଲୋକ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ମୋ ଘର ଯୋଜନାରେ ଘର ପାଇଁ ଋଣ ଦେବେ କହିଥିଲେ ରାଜ୍ୟ ସରକାର । ୪ ଲକ୍ଷ ଲୋକଙ୍କୁ ଋଣ ଦେବେ ବୋଲି କହିଥିଲେ ସରକାର । କିନ୍ତୁ ମାତ୍ର ୧୦୩୭ ଜଣ ଲୋକଙ୍କୁ ବ୍ୟାଙ୍କରେ ଋଣ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚାଉଳ କେନ୍ଦ୍ର ସରକାର ଦେଉଛନ୍ତି । ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମିଳୁଛି ମାଗଣା ରାସନ । ରାଜ୍ୟ ସରକାର କହିଥିଲେ ୩୨ ଲକ୍ଷ ଲୋକଙ୍କୁ ଦେବେ ଚାଉଳ । କିନ୍ତୁ ମାତ୍ର ୮ ଲକ୍ଷ ଲୋକଙ୍କୁ ଦେଉଛନ୍ତି । ଏହି ସଂଖ୍ୟା ୬ ଲକ୍ଷକୁ କମି ଗଲାଣି । ରାଜ୍ୟ ସରକାର ଲୋକଙ୍କୁ କେବଳ ଭୁଆଁ ବୁଲାନ୍ତି ବୋଲି ଅଭିଯୋଗ କରିଛି ବିଜେପି । ପିଇବା ପାଣି ମଧ୍ୟ ଏକ ବଡ଼ ସମସ୍ୟା । ମୋଦି ସରକାର ଜଳ ଜୀବନ ମିଶନ ଆରମ୍ଭ କଲେ । ତା ପୂର୍ବରୁ ମାତ୍ର ୩ ପ୍ରତିଶତ ଲୋକଙ୍କ ପାଖରେ ଥିଲା ପାଣି ଟ୍ୟାପ୍ ସଂଯୋଗ । ଜଳ ଜୀବନ ମିଶନରେ ୧୦ ହାଜର ୨୦୦ କୋଟି ଓଡ଼ିଶାକୁ ମିଳିଛି । ଯେଉଁଥିପାଇଁ ୬୦ ଲକ୍ଷ ୭୫ ହାଜର ଲୋକଙ୍କ ପାଖରେ ଟ୍ୟାପ୍ ଯୋଗେ ମିଳୁଛି । କିନ୍ତୁ ରାଜ୍ୟ ସରକାରଙ୍କ ଡ୍ରିଙ୍କ ଗ୍ରାମ ଟ୍ୟାପ ଏବଂ ବସୁଧା ଯୋଜନା ଫେଲ୍ । ଜଳ ଜୀବନ ମିଶନ କ୍ରିୟାନ୍ଵୟନ କରିବାରେ ମଧ୍ୟ ରାଜ୍ୟ ସରକାର ଫେଲ୍ । ଜଳ ଜୀବନ ମିଶନର ୨୦୭ ମେଗା ପାନୀୟ ଜଳ ପ୍ରକଳ୍ପ ହେବାର ଥିଲା । କିନ୍ତୁ ଏବେ ସୁଦ୍ଧା ମାତ୍ର ୧୬ଟି ପ୍ରକଳ୍ପର କାମ ସରିଛି । ୧୮୯ଟି ପ୍ରକଳ୍ପ ଏବେ ଯାଏଁ ସରିନି । ଯଦି ସରିଥାନ୍ତା ତେବେ ୧୦୦ ପ୍ରତିଶତ ଲୋକଙ୍କ ପାଖରେ ଟ୍ୟାପ୍ ପାଣି ପହଞ୍ଚି ପାରିଥାନ୍ତା । ୧୮୯ ପ୍ରକଳ୍ପ ପାଇଁ ବାହାର ରାଜ୍ୟର ଠିକାଦାର କାମ କରୁଛନ୍ତି । ସେମାନେ ବିଲ ନେଇ ସାରିଲେଣି । କିନ୍ତୁ କାମ ସରିନି । କେବଳ ବାହାର ଠିକାଦାରଙ୍କୁ ପୋଷିବା ପାଇଁ ନବୀନ ଗ୍ୟାରେଣ୍ଟି କାମ କରୁଛି ।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମାନସ ଯୋଜନା । ଏହି ଯୋଜନାରେ ଗତ ୫ ବର୍ଷ, ୨୦୧୮-୨୦୨୩ ମଧ୍ୟରେ ୨୦,୭୨୨ କିମି ରାସ୍ତା ଓଡ଼ିଶାରେ ତିଆରି ହୋଇଛି । କିନ୍ତୁ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କୁଆଡେ ଗଲା । ୧୦ ହାଜର କିମି ରାସ୍ତା କରିବେ ବୋଲି କହିଥିଲେ । ମାତ୍ର ୩ ହାଜର କିମି ରାସ୍ତା ତିଆରି କରିଛନ୍ତି ରାଜ୍ୟ ସରକାର । ସେଗୁଡିକ ମଧ୍ୟ ନିମ୍ନ ମାନର କାମ ହୋଇଛି । ଠିକାଦାର ପୋଷା ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି । ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ଓଡ଼ିଶାରେ ୨୪ ଲକ୍ଷ ୫୨ ହାଜର ପରିବାରକୁ ମାଗଣା ବିଜୁଳି । ସବୁ ରାଜସ୍ବ ଗାଁକୁ ବିଜୁଳି ପହଞ୍ଚିଛି । ତେବେ ଅଣ ରାଜସ୍ବ ଗାଁ ବା ପଡ଼ା ଗାଁ ଗୁଡ଼ିକୁ ବିଜୁଳି ପାଇଁ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା କରିଥିଲେ ରାଜ୍ୟ ସରକାର । କିନ୍ତୁ କେବଳ କାଗଜ ପତ୍ରରେ ସୀମିତ ରାଜ୍ୟ ସରକାରଙ୍କ ଯୋଜନା । ଏବେ ବି ଅନେକ ପଡ଼ା ଗାଆଁରେ ବିଜୁଳି ପହଞ୍ଚି ନାହିଁ । ୨୦୦୯ରେ ବର୍ଷକୁ ୧ ଲକ୍ଷ ଚାକିରି ଦେବେ ବୋଲି କହିଥିଲେ ନବୀନ ସରକାର । ୧୫ ବର୍ଷରେ ୧୫ ଲକ୍ଷ ଚାକିରି କୁଆଡେ ଗଲା । ୩୦ ଲକ୍ଷ ଲୋକ ଦାଦନ ଯାଉଛନ୍ତି ।
ମୋଦି ଗ୍ୟାରେଣ୍ଟିରେ କେନ୍ଦ୍ର ସରକାର ଓଡ଼ିଶାରେ ୨ଟି କୌଶଳ ବିକାଶ ମେଣ୍ଟ ସେଣ୍ଟର ଖୋଲିଛନ୍ତି । ପିଲାଙ୍କୁ ଟ୍ରେନିଂ ଦିଆଯାଉଛି । ୧୫ ଲକ୍ଷରୁ ଅଧିକ ବାଳିକାଙ୍କୁ ପ୍ରଧାନମନ୍ତ୍ରୀ ସୁକନ୍ୟା ସମୃଦ୍ଧି ଯୋଜନାରେ ମିଳୁଛି ସହାୟତା । କିନ୍ତୁ ରାଜ୍ୟ ସରକାରଙ୍କ ବିଜୁ କନ୍ୟା ରତ୍ନ ଯୋଜନା ହଜିଗଲା । ଓଡିଶାରେ ଲୋକ ମନ ବଳାଇ ସାରିଲେଣି, ଡବଲ ଇଞ୍ଜିନ ସରକାର ହେବ ।