ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ କଡା ସମାଲୋଚନା କଲା କଂଗ୍ରେସ

ମେକ୍ ଇନ ଓଡ଼ିଶା ଧୂଆଁ ବାଣରେ କେତେ ପୁଞ୍ଜି ନିବେଶ ହୋଇଛି ?  ୨୫ ବର୍ଷ ଶାସନ କାଳରେ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର ?  ଓଡିଆ ଙ୍କୁ ଅଣଦେଖା କରି ଅଣ ଓଡିଆ ଙ୍କୁ ପ୍ରସୟ  ଆଗକୁ ନିର୍ବାଚନ ଆସୁଥିବାରୁ ଏହା ଏକ ପ୍ରହସନ 

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ କଡା ସମାଲୋଚନା କଲା କଂଗ୍ରେସ

ଭୁବନେଶ୍ବର: ସରକାରୀ ଖର୍ଚ୍ଚରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟୟବହୁଳ ଜାପାନ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ସରକାରଙ୍କୁ ଟାର୍ଗେଟ୍ କରିଛି। ମୁଖ୍ୟମନ୍ତ୍ରୀ ରୋମ, ଦୁବାଇ ଓ ଜାପାନ ଗଲେ ଓଡ଼ିଶା ଓ ଓଡ଼ିଆଙ୍କ କ’ଣ ସ୍ବାର୍ଥ ସାଧନ ହେଉଛି ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ସମାଲୋଚନା କରିବା ସହ ୧୦ଟି ପ୍ରଶ୍ନ ପଚାରିଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ, ରାଜ୍ୟ ସରକାର ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଦେଶରେ ବୈଠକ କରୁଛନ୍ତି। ମାତ୍ର ସୂଚନା ଅଧିକାର ଆଇନ(ଆରଟିଆଇ)ରେ ମିଳିଥିବା ତଥ୍ୟ ଅନୁସାରେ ୨୦୧୬ରୁ ୨୦୨୨ ମସିହା ମଧ୍ୟରେ କେବଳ ୫ଟି ବିଦେଶୀ କମ୍ପାନି ରାଜ୍ୟରେ ଶିଳ୍ପ ସ୍ଥାପନ କରିଛନ୍ତି। ଏଥିରେ ୧୩୬୮.୫୪ କୋଟିର ପୁଞ୍ଜିନିବେଶ ହୋଇଛି। ୨୦୧୬ରେ ହୋଇଥିବା ମେକ୍ ଇନ୍‌ ଓଡ଼ିଶା ପାଇଁ ରାଜ୍ୟ ସରକାର ୨୦.୭୯ କୋଟି, ୨୦୧୮ରେ ୩୪.୫୧ କୋଟି ଖର୍ଚ୍ଚ କରିଥିଲେ। ୨୦୧୬ରେ ୮୪ଟି ପ୍ରକଳ୍ପରେ ୨.୦୩ଲକ୍ଷ କୋଟି ଟଙ୍କା ବିନିଯୋଗରେ ୮୦,୦୩୮ଜଣଙ୍କୁ ନିଯୁକ୍ତି ଲକ୍ଷ୍ୟ ରହିଥିଲା। ୨୦୧୮ରେ ୨୦୨ଟି ପ୍ରକଳ୍ପରେ ୪.୨୩ ଲକ୍ଷ କୋଟି ଟଙ୍କା ବିନିଯୋଗରେ ୨୪,୧୫,୧୮ଜଣଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟ ରହିଥିଲା। ‌୨୦୨୨ ମେକ ଇନ ଓଡ଼ିଶା କନକ୍ଲେଭରେ ମଞ୍ଚରେ କେବଳ ଜଣେ ଓଡ଼ିଶା ନିବେଶକଙ୍କୁ ଦେଖିବାକୁ ମିଳିଥିଲା। କନକ୍ଲେଭ୍‌ରେ କ’ଣ ଓଡ଼ିଆ ନିବେଶଙ୍କ ପାଇଁ ସ୍ଥାନ ନାହିଁ ? କେବଳ ଅଣ ଓଡ଼ିଆ ଏଥିରେ ସାମିଲ ହେବେ ? ଓଡ଼ିଶାର ଖଣି, ପାଣି ଓ ପବନ ପାଇଁ ଅଣ ଓଡ଼ିଆ ନିବେଶକମାନେ ଓଡ଼ିଶାକୁ ଆସୁଛନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପ ପ୍ରତିଷ୍ଠାନରେ ଓଡ଼ିଆଙ୍କ ସ୍ଥାନ କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିପରି ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇକୁ ଆକର୍ଷିତ କରିବା, ଡାଉନଷ୍ଟ୍ରିମ୍ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟରେ କେତୋଟି ଡାଉନଷ୍ଟ୍ରିମ ଶିଳ୍ପ ପ୍ରତିଷ୍ଠା କରାଯାଇଛି। ତହିଁରୁ କେତୋଟି ଓଡ଼ିଆଙ୍କ ଦ୍ବାରା ପ୍ରତିଷ୍ଠା ହୋଇଛି ? ରାଜ୍ୟର ପ୍ରମୁଖ ଶିଳ୍ପରୁ କେଉଁ କେଉଁ କାର୍ଯ୍ୟ ପାଇଁ ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ ଅର୍ଡର ପାଇଛନ୍ତି। ଏହାର ମୂଲ୍ୟ କେତେ ଓ ଏସବୁ ଉପରେ ନଜର ରଖିବା ପାଇଁ ରାଜ୍ୟ ସରକାର କ’ଣ ବ୍ୟବସ୍ଥା କରିଛନ୍ତି ? ଏମ୍‌ଏସ୍‌ଏମ୍‌ଇଙ୍କ ରହିଥିବା ଜମି, ମାର୍କେଟିଂ ଇତ୍ୟାଦିର ସମସ୍ୟାର ସମାଧାନ ପାଇଁ ସରକାର କି ପ୍ରକାର ପ୍ରଚେଷ୍ଟା କରିଛନ୍ତି। ଏହାସହ ରାଜ୍ୟରେ ଥିବା ଷ୍ଟାର୍ଟଅପ୍‌ରୁ ସ୍ବତନ୍ତ୍ର କ୍ରୟ ପାଇଁ ରାଜ୍ୟ କେଉଁ ଆଇଟମ୍‌କୁ ସଂରକ୍ଷଣ କରିଛନ୍ତି ? ଏସୁବୁକୁ ଦେଖିଲେ ରାଜ୍ୟ ସରକାରଙ୍କ ମେକ୍ ଇନ ଓଡ଼ିଶା ଅଭିଯାନ କେବଳ ପ୍ରଚାରରେ ସୀମିତ ରହିଯାଇଛି। ରାଜ୍ୟ ସରକାର ପରିସଂଖ୍ୟାନ ନ ରଖି ପ୍ରକୃତ ସତ୍ୟ କ’ଣ ତାହା ସର୍ବସାଧାରଣଙ୍କ ସମ୍ମୁଖରେ ରଖନ୍ତୁ ବୋଲି ସେ କହିଛନ୍ତି।

ଅପରପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ପୁଞ୍ଜି ନିବେଶ ପାଇଁ ସରକାର ଯାହା ବିନିଯୋଗ କରିଛନ୍ତି ତାହାର ଆନୁପାତିକ ଫଳ ପାଉନାହାନ୍ତି। ଓଡ଼ିଶାରେ ଓଡ଼ିଆ ‌ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ମିଳୁନାହିଁ। ରାଜ୍ୟ ସରକାର କେବଳ ‘ନାମ ବଡ଼ା-ଦର୍ଶନ ଥୋଡ଼ା’ ଧାରାରେ ଚାଲିଛନ୍ତି ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ସେଲ ଅଧ୍ୟକ୍ଷ ଗଣେଶ୍ବର ବେହେରା ସଭାପତିତ୍ବ କରିଥିଲେ।