ନରହନ୍ତାକାରୀ ଙ୍କୁ ଦୟା ମାୟା ନାହିଁ, ଘାଣ୍ଟୁଛି ସିବିଆଇ
ବାହାନଗା ଟ୍ରେନ୍ ଦୁର୍ଘଟଣା: ଅଭିଯୁକ୍ତଙ୍କୁ ଦୟା ମାୟା ନାହିଁ, ଗିରଫଦାରୀ ଙ୍କ ସଂଖ୍ୟା ବଢିବ

ଭୁବନେଶ୍ବର : ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ୍ଠାରେ ଲୋମଟାଙ୍କୁରା ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ୩ ରେଳ ଅଧିକାରୀଙ୍କୁ ରିମାଣ୍ଡରେ ନେଇ ମାରାଥନ୍ ଜେରା କରୁଛି ସିବିଆଇର ସ୍ବତନ୍ତ୍ର ଟିମ୍। ସିଗନାଲିଂ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ଏମିତି ହେଲା, ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା, ଏହା ପଛରେ ଷଡ଼୍ଯନ୍ତ୍ର ରହିଛି କି ଆଦି ଦିଗ ଉପରେ ସିବିଆଇ ଅଧିକ ତଦନ୍ତ ଚଳାଇଛି। ୫ ଦିନିଆ ରିମାଣ଼୍ଡରେ ଆସିଥିବା ୩ ରେଳ ଅଧିକାରୀଙ୍କୁ ଚନ୍ଦକା ଥାନାରେ ଅଲଗା ଅଲଗା ଜେରା କରାଯାଉଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ସେମାନଙ୍କ ବୟାନରେ ତାଳମେଳ ରହୁ ନାହିଁ। ଯାହାକୁ ନେଇ ଅଧିକ ସନ୍ଦେହ ଉପୁଜିବାରେ ଲାଗିଛି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ଷ୍ଟେସନ୍ରେ ଲାଗିଥିବା ପୁରୁଣା ଇଲେକ୍ଟ୍ରିକ୍ ଲିଫ୍ଟିଂ ବ୍ୟାରିଅର(ଇଏଲବି)କୁ ଖୋଲାଯାଇ ବାହାନଗା ଷ୍ଟେସନରେ ଲଗା ଯାଇଥିଲା। ଗିରଫ ହୋଇଥିବା ଟେକ୍ନିସିଆନ୍, ସେକ୍ସନ୍ ଇଞ୍ଜିନିୟର୍ ଓ ସିନିଅର ସେକ୍ସନ୍ ଇଞ୍ଜିନିୟର୍ ଏହାକୁ ଯାଞ୍ଚ କରିଥିଲେ। ସେମାନଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କିନ୍ତୁ ଏହି ସିଗନାଲିଂ ଓ ଇଣ୍ଟର୍-ଲକିଂ ସିଷ୍ଟମ୍ ଠିକ୍ ଭାବେ କାମ କରୁଛି କି ନାହିଁ, ତାହାକୁ ବରିଷ୍ଠ ଅଧିକାରୀମାନେ ଯାଞ୍ଚ କରିବା କଥା। ବରିଷ୍ଠ ଅଧିକାରୀଙ୍କ ଭୂମିକା କ’ଣ ରହିଛି, ସେନେଇ ତଦନ୍ତକାରୀ ଅଧିକାରୀ ଖୋଳତାଡ଼ କରୁଛନ୍ତି। ଷ୍ଟେସନ ମାଷ୍ଟର୍ଙ୍କୁ ମଧ୍ୟ ଖୁବ୍ଶୀଘ୍ର ଜେରା କରାଯିବ ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଅନ୍ୟ କେତେକ ଅଧିକାରୀଙ୍କୁ ହାଜର ହୋଇ ତଦନ୍ତରେ ସହଯୋଗ କରିବା ଲାଗି ନୋଟିସ୍ ମଧ୍ୟ କରାଯାଇଥିବା ସୂଚନା ମିଳିଛି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ ସାରା ଦେଶର ନଜର ଥିବାରୁ ଏସ୍ପି ଓ ଡିଆଇଜି ପାହ୍ୟାର ଅଧିକାରୀ ତଦନ୍ତରେ ସାମିଲ ହୋଇଛନ୍ତି। ରିମାଣ୍ଡ ଅବଧି ଆଉ ୪ଦିନ ଥିବା ବେଳେ ଅଭିଯୁକ୍ତଙ୍କଠାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉଗାରିବାକୁ ଚେଷ୍ଟା ଚଳାଇଛି ତଦନ୍ତକାରୀ ଟିମ୍।
ସୂଚନାଯୋଗ୍ୟ, ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ଗତକାଲି ସିବିଆଇ ସିନିଅର ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହାନ୍ତି, ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମିର୍ ଖାନ ଓ ଟେକ୍ନିସିଆନ୍ ପପୁ କୁମାରଙ୍କୁ ଗିରଫ କରିଥିଲା।
ଅନ୍ୟ ଏକ ଗୁରତ୍ବପୂର୍ଣ୍ଣ କଥା ହେଉଛି ସିବିଆଇ ଦ୍ବାରା ଗିରଫ ସିନିୟର ସେକସନ ଇଂଜିନିୟର ଅରୁଣ କୁମାର ମହାନ୍ତ ଦୁର୍ଘଟଣା ପରେ ରେଳବାଇ ଦ୍ବାରା କରାଯାଇଥିବା ଯୁଗ୍ମ ନିରୀକ୍ଷଣ କମିଟିର ସଦସ୍ୟ ଥିଲେ। ସେ ତିନି ଜଣିଆ କମିଟିର ସଦସ୍ୟ ରୂପେ ଦୁର୍ଘଟଣା ଖରାପ ସିଗନାଲ ଯୋଗୁ ହୋଇଥିବା ରିପୋର୍ଟ ଉପରେ ଅସହମତି ବ୍ୟକ୍ତ କରିଥିଲେ। ସୂତ୍ର ଅନୁସାରେ ରେଳ ନିରାପତ୍ତା କମିସନ (ସିଆରଏସ୍)ଙ୍କ ତଦନ୍ତ ରିପୋର୍ଟ ସିବିଆଇକୁ ଯାଂଚ ପ୍ରକ୍ରିୟାରେ ବିଶେଷ ସହାୟକ ହୋଇଛି। ସିଆରଏସ୍ ରିପୋର୍ଟରେ ଷ୍ଟେସନ ମ୍ୟାନେଜର, ସିଗନାଲ୍ ଇଂଜିନିୟର ଓ ଟେକନିସିଆନଙ୍କ କଥାରେ ତାଳମେଳ ରହିନଥିଲା ବୋଲି ଯାହା କୁହାଯାଇଥିଲା ତାହା ସିବିଆଇ ପାଇଁ ମାମଲାର ମୂଳକୁ ଯିବାରେ ସାହାଯ୍ୟ କରିଥିଲା। ସପ୍ତାହେ ଧରି ସିବିଆଇ ସିଆରଏସ୍ଙ୍କ ରିପୋର୍ଟକୁ ତନ୍ନ ତନ୍ନ କରି ତର୍ଜମା କରି ସେଥିରୁ ଗୁରତ୍ବପୁର୍ଣ୍ଣ ଟିପ୍ସ ପାଇଥିବାର କୁହାଯାଉଛି।
ମାମଲାର ଅପରାଧିକ ଷଡ଼୍ଯନ୍ତ୍ରର ଦିଗ ଖୋଜିବା ପାଇଁ ସିବିଆଇ ଜେରା କରିବା ସମୟରେ ତିନି ଅଭିଯୁକ୍ତଙ୍କୁ ମୁହାମୁହିଁ କରିବା ସମ୍ଭାବନା ମଧ୍ୟ ରହିଛି। ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ହୋଇଥିବାରୁ ସିବିଆଇ ତଦନ୍ତକାରୀ ଟିମ୍ ଅଭିଯୁକ୍ତଙ୍କ ବୟାନ ଆଧାରରେ ଘଟଣାରେ ଅନ୍ୟମାନଙ୍କ ସଂପୃକ୍ତିର ଦିଗକୁ ମଧ୍ୟ ଖୋଜିବା ପାଇଁ ପ୍ରୟାସ କରିବ। ସିବିଆଇ ଅନ୍ୟ ରେଳ ଅଧିକାରୀ ତଥା କର୍ମଚାରୀଙ୍କୁ ପଚରାଉଚରା କରିବ ଏବଂ ସମସ୍ତ ତଥ୍ୟ ଅନୁଧ୍ୟାନ କରିବ। ସିବିଆଇ ଗିରଫ କରିବାର ୯୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବାକୁ ପଡ଼ିବ। ନଚେତ୍ ଗିରଫ ଅଭିଯୁକ୍ତମାନେ ଡିଫଲ୍ଟ ଜାମିନ ପାଇଁ ଯୋଗ୍ୟ ହେବେ। ସିବିଆଇ ସୂତ୍ରରୁ ଏହା ମଧ୍ୟ ଜଣାପଡ଼ିଛି ଯେ ସିବିଆଇର ଏହା ପ୍ରାରମ୍ଭିକ ତଦନ୍ତ ହୋଇଥିବାରୁ ଆଗକୁ ଚାର୍ଜସିଟ ଦାଖଲ କରାଯିବା ସମୟରେ ଆହୁରି କିଛି ଧାରା ଲଗାଯିବ। ତଦନ୍ତକୁ ନିର୍ଣ୍ଣାୟକ ସ୍ତରରେ ପହଂଚାଇବା ପାଇଁ ସିବିଆଇର ଚାର୍ଜସିଟ ପ୍ରମୁଖ ଭୂମିକା ଗ୍ରହଣ କରିବ।