ଟମାଟୋରେ ହାତ ମାରିଲେ ଲାଗୁଛି ଡର

ଆକାଶ ଛୁଆଁ ଟମାଟୋ ଦର । ଟମାଟୋରେ ହାତ ମାରିଲେ ଲାଗୁଛି ଡର । କିଣିଲେ ପକେଟକୁ ବାଧୁଛି

ଟମାଟୋରେ ହାତ ମାରିଲେ ଲାଗୁଛି ଡର

ଆକାଶ ଛୁଆଁ ଟମାଟୋ ଦର । ଟମାଟୋରେ ହାତ ମାରିଲେ ଲାଗୁଛି ଡର । କିଣିଲେ ପକେଟକୁ ବାଧୁଛି । ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ପାର୍ କରିଛି ସେଞ୍ଚୁରୀ । ସପ୍ତାହକ ଭିତରେ ଛୁଇଁଲାଣି ୧୦୦ । ମାର୍କେଟରେ ଏବେ ପଡିଛି ଚଡକ । ଇଚ୍ଛା ନଥିଲେ ଗ୍ରାହକ କିଣବାକୁ ବାଧ୍ୟ ।କହିବାକୁ ଗଲେ ଖୁଚୁରା ବଜାରରେ କିଲୋ ପିଛା ଏହାର ଦାମ୍ ୧୦୦ ଟଙ୍କା ପାର୍ କରିଛି । ଭୁବନେଶ୍ୱରରେ ରବିବାର ଟମାଟୋ ଦର ଥିଲା ୬୦ ଟଙ୍କା । ହେଲେ ସୋମବାର ଏହା ହୋଇଯାଇଛି ଡବଲ୍ । ଅଧିକାଂଶ ବଜାରରେ ଏହାର ଦର ୧୦୦ ଟଙ୍କା ଉପରେ । ପାଇକାରୀ ବଜାରରେ ଏହା କିଲୋ ପିଛା ୬୦ରୁ ୭୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ସପ୍ତାହ ପୂର୍ବେ ପାଇକାରୀ ବଜାରରେ କିଲୋ ପିଛା ୩୦ରୁ ୩୫ ଟଙ୍କା ମଧ୍ୟରେ ଟମାଟୋ ବିକ୍ରି ହେଉଥିଲା । ସେହିଭଳି ଖୁଚୁରା ବଜାରରେ ଦର ୪୦ରୁ ୫୦ ଟଙ୍କା ମଧ୍ୟରେ ଥିଲା ।
ହାଣ୍ଡିଶାଳରେ ଟମାଟୋ ଜରୁରି ପରିବା ଭାବେ ଜଣା । ବିନା ଟମାଟୋରେ ତରକାରିର ମଜା ଆସି ନ ଥାଏ । ଏବେ କିନ୍ତୁ ସାଧାରଣ ଖାଉଟିଙ୍କ ପକେଟକୁ ଦେଖିଲେ ଏହା ଅପହଞ୍ଚ ପାଲଟିଛି । ଖୁଚୁରା ବଜାରରେ କିଲୋ ପିଛା ଏହାର ଦାମ୍‌ ୧୦୦ ଟଙ୍କା ପାର୍‌ କରିଛି । ମାସେ ପୂର୍ବେ ଅର୍ଥାତ୍‌ ମେ’ରେ ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ କିଲୋ ପିଛା ଏହା ୫ ଟଙ୍କାରେ ବିକ୍ରି ହେଉଥିଲା । ମାସକ ମଧ୍ୟରେ ଏସବୁ ବଜାରରେ ଟମାଟୋ ଦରରେ ୧୯୦୦% ବୃଦ୍ଧି ଘଟିଛି ।

ଟମାଟୋ ଦର ବଢ଼ିବାର ଅନେକ କାରଣ ରହିଛି । କେତେକ ରାଜ୍ୟରେ ଅତିରିକ୍ତ ବର୍ଷା ଯୋଗୁ ଫସଲ ନଷ୍ଟ ହୋଇଥିବାବେଳେ କିଛି ସ୍ଥାନରେ ପ୍ରବଳ ଗରମ ଯୋଗୁ ବି ଉତ୍ପାଦନ ହ୍ରାସ ପାଇଛି । ପଡ଼ୋଶୀ ରାଜ୍ୟଗୁଡ଼ିକରୁ ପର୍ୟ୍ୟାପ୍ତ ମାତ୍ରାରେ ଟମାଟୋ ଯୋଗାଣ ହୋଇପାରୁନାହିଁ । କେତେକ ସ୍ଥାନରେ ଏ ବର୍ଷ ଟମାଟୋ ଚାଷ ପୂର୍ବ ବର୍ଷ ତୁଳନାରେ କମ୍‌ ହୋଇଛି ।