କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ସୁର ରାଉତରାୟ
କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ । ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଛନ୍ତି

କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ । ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଛନ୍ତି । ଏକ ଚିଠି ଲେଖି ସୁର କହିଛନ୍ତି, ସାନପୁଅ ମନ୍ମଥଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ କଥା ନ ରଖି ବିଜେଡିରେ ସାମିଲ ହେଲେ । ଏହା ମୋ ସ୍ୱାଭିମାନ ଓ ଅନ୍ତରାତ୍ମାକୁ ଅଧିକ ଆଘାତ ଦେଇଛି ।
ଏହାପୂର୍ବରୁ ଆଜି ସୁରଙ୍କ ସାନପୁଅ କ୍ୟାପଟେନ ମନ୍ମଥ ରାଉତରାୟ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ । ମନ୍ମଥ କହିଥିଲେ, ବାପାଙ୍କ ଅନୁମତି ଓ ଆଶୀର୍ବାଦ ନେଇ ଏଠାକୁ ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ସ୍କଲାରସିପ ଦେଇଥିଲେ ତାହା ଏବେ ବି ମୋର ମନେଅଛି । ବିଜୁ ପଟ୍ଟନାୟକ ମୋର ଆଦର୍ଶ । ଭିକେ ପାଣ୍ଡିଆନଙ୍କ କାର୍ଯ୍ୟଶୈଳୀକୁ ପ୍ରଂଶସା କରିବା ସହ ବଡଭାଇ ଭଳି ପରାମର୍ଶ ଦେଇଥିବାରୁ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି ମନ୍ମଥ । ଅନ୍ୟପଟେ ପୁଅ ବିଜେଡିରେ ସାମିଲ ହେବାକୁ ନେଇ ସୁର କହିଛନ୍ତି, ଯେତେ ଚେଷ୍ଟା କଲି ପାରିଲିନି, ଅଭିମାନ କଲା । ସେଥି ପାଇଁ ଛାଡିଦେଲି ବିଜେଡିରେ ମିଶିବା ପାଇଁ । ଭଗବାନଙ୍କୁ ଡାକୁଛି, ମୋ ପୁଅକୁ ଜିତେଇ ଦିଅ । ମନ୍ମଥଙ୍କୁ ସହଯୋଗ କରିବି କିନ୍ତୁ ପ୍ରଚାର କରିବାକୁ ଯିବିନି । ବିଜେଡି ମୋ ପୁଅକୁ ନେଇଛି, ଆଶା ସେମାନେ ଉପଯୁକ୍ତ ସମ୍ନାନ ଦେବେ କହିଛନ୍ତି ସୁର ରାଉତରାୟ ।